କୋଡରେମା: ଝାଡ଼ଖଣ୍ଡର କୋଡରେମା ଜିଲ୍ଲାରେ ଥିବା ଏକ ହାଇୱେରେ ଏକ ଅଭୂତପୂର୍ବ ଘଟଣା ଘଟିଛି। ଯେଉଁଠାରେ ଏକ ବସ୍ କିଛି ସମୟ ପାଇଁ ଅସ୍ଥାୟୀ ମାତୃତ୍ୱ ଓ୍ୱାର୍ଡରେ ପରିଣତ ହୋଇଥିଲା। ପ୍ରବଳ ବର୍ଷା ଓ ଭୟରେ ଘେରା ରାତିରେ, ବସ୍ ମଧ୍ୟରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ଖବର ମୁତାବକ, ବିହାରର ବୈଶାଳିରୁ ରାଧା ଦେବୀ ନାମକ ଜଣେ ୨୦ ବର୍ଷିୟ ମହିଳା ଏକ ବସ ଯୋଗେ ରାଞ୍ଚି ଆସୁଥିଲେ। ସାଙ୍ଗରେ ତାଙ୍କ ସ୍ୱାମୀ ଓ ଶାଶୁ ମଧ୍ୟ ଯାତ୍ରା କରୁଥିଲେ। ତେବେ ଗର୍ଭବତୀ ଥିବା ଥିବା ରାଧା ଦେବୀଙ୍କୁ ଡାକ୍ତରଙ୍କ ଦ୍ୱାରା ପିଲାଟିର ପ୍ରସବ ସମୟ ଆସନ୍ତା ଅଗଷ୍ଟ ୨ ତାରିଖ ଦିଆଯାଇଥିଲା। କିନ୍ତୁ ବିଧିର ବିଧାନ ଥିଲା ବଡ ବିଚିତ୍ର।
ସେ ଯାତ୍ରା କରୁଥିବା ବସଟି ଝାଡ଼ଖଣ୍ଡର ଏକ ଦୁର୍ଗମ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ ହଠାତ୍ ରାଧା ଦେବୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଭୀଷଣ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ଏବଂ ନିକଟସ୍ଥ ହସ୍ପିଟାଲକୁ ପହଞ୍ଚିବା ଅସମ୍ଭବ ହୋଇପଡ଼ିଥିଲା। ଏହି ସମୟରେ ହଠାତ୍ ବସ୍ ଡ୍ରାଇଭରଙ୍କୁ ଅନତି ଦୁରରେ ଏକ ପୋଲିସ ଗାଡି ଥୁଆଯାଇଥିବା ଦେଖିବାକୁ ପାଇଥିଲେ। ଡ୍ରାଇଭର ଜଣଙ୍କ ବିଳମ୍ୱ ନକରି ପୋଲିସକୁ ସହାୟତା ମାଗିଥିଲେ। ପୋଲିସ ମଧ୍ୟ ଘଟଣା ବିଷୟରେ ଜାଣି ତୁରନ୍ତ ନିକଟସ୍ଥ ଅଞ୍ଚଳରେ ଥିବା ଡାକ୍ତରଖାନାରୁ ଡାକ୍ତରଙ୍କୁ ଆଣିବାକୁ ଚାଲିଯାଇଥିଲେ।
ବହୁ ଖୋଜାଖୋଜି କରିବା ପରେ ପୋଲିସ ଜଣେ ଡାକ୍ତରଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଡାକ୍ତର ଜଣକ ପରିସ୍ଥିତି ଦେଖିବା ପରେ ବସ୍ରେ ହିଁ ରାଧା ଦେବୀଙ୍କ ପ୍ରସବ କରେଇବାକୁ କହିଥିଲେ। ଏହି ସମୟରେ ବସ୍ରେ ଥିବା ଯାତ୍ରୀ ଓ ଚାଳକ ମିଳିତ ଭାବେ ମହିଳାଙ୍କୁ ସାହାଯ୍ୟ କରିଥିଲେ। ଏହା ସହ ଉକ୍ତ ବସ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ, ଯିଏ ନର୍ସିଂ ଅଭିଜ୍ଞତା ରଖିଥିଲେ, ସେ ପ୍ରସବ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟ ଯାତ୍ରୀମାନେ ତୁରନ୍ତ କମ୍ବଳ, ପାଣି ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ।
କିଛି ଘଣ୍ଟାର ନାଟକୀୟ ମୁହୂର୍ତ୍ତ ପରେ, ମହିଳାଜଣକ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ବସ୍ରେ ଉପସ୍ଥିତ ସମସ୍ତେ ଏହି ନୂଆ ଜୀବନର ଆଗମନକୁ ଉତ୍ସାହର ସହ ସ୍ୱାଗତ କରିଥିଲେ। ପରେ ବର୍ଷା କମିବା ପରେ ମା’ ଓ ଶିଶୁକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଉଭୟେ ସୁସ୍ଥ ଥିବା ନିଶ୍ଚିତ ହେବା ପରେ ଉଭୟଙ୍କୁ ଡିସଚାର୍ଜ କରିଦିଆ ଯାଇଥିଲା।
ଏହି ଘଟଣା ମାନବୀୟତା ଓ ସହଯୋଗର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ସ୍ଥାନୀୟ ଅଧିକାରୀମାନେ ଯାତ୍ରୀମାନଙ୍କର ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।