ଭୁବନେଶ୍ୱର, ୨୪।୮: ଏହା ଭିତରେ ଅନେଶତ ସୁପର ସାଇକ୍ଲୋନ୍ କଥା ଅନେକ ଭୁଲିଯିବେଣି । ଭୁଲିଯିବାଟା ବି ସ୍ୱାଭାବିକ । ମଣିଷ ଅନେକ କଥା ଭୁଲିଯାଏ । ଏଇ ଯେମିତି ମଣିଷ ହୀରୋସିମା-ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ କଥା ଭୁଲିଗଲାଣି । ପୋଲିଓ, ବସନ୍ତ, ପ୍ଲେଗ୍, ହଇଜା, ଭଳି ମହାମାରୀ କଥା ମଣିଷ ଭୁଲିଗଲାଣି । ଏଇ ଏବେ ଏବେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀକୁ ବି ମଣିଷ ଭୁଲିଗଲାଣି । ଅଠରଶ’ ଛଷଠି ସାଲରେ ଓଡ଼ିଶାରେ ଦେଖା ଦେଇଥିବା ନ’ଅଙ୍କ ଦୁର୍ଭିକ୍ଷକୁ କିଏ ବା ମନେ ରଖିଥିବ ? ଆଜିକାଲିର ରିଲ୍ସ, ଇନ୍ଷ୍ଟା ଯୁଗର ଛୁଆମାନେ ଉଣେଇଶ’ ଅନେଶତ ମସିହାର ସୁପରସାଇକ୍ଲୋନ୍ କଥା କ’ଣ ବା ବୁଝିବେ ? ସୁପରସାଇକ୍ଲୋନ୍ କହିଲେ, ସେମାନେ ସୁପରମ୍ୟାନ୍ ବୁଝିବେ । ଉଣେଇଶ ଅନେଶତ ସୁପର ସାଇକ୍ଲୋନ୍ ବେଳର ଗୋଟିଏ ନିଛକ କାହାଣୀ ଏବେ ଆମର ମନକୁ ଆସୁଛି ।
କଥା କ’ଣ କି, ସୁପର ସାଇକ୍ଲୋନରେ ଜଗତସିଂହପୁର ଜିଲ୍ଲାର ଏରସମା, ତିର୍ତ୍ତୋଲ ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ମହାକାଳପଡ଼ା ଭଳି ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଥିଲା । ଆପଣମାନେ ଜାଣିଥିବେ । ପାଖାପାଖି ଦଶ ହଜାର ଲୋକ ପୋକ ମାଛି ଭଳି ମରି ଯାଇଥିଲେ । କେତେ ସମୁଦ୍ରରେ ଭାସି ଯାଇଥିଲେ ତା’ର ଠିକଣା ନାହିଁ । ଓଃ, କି ପବନ, କି ଝଡ଼ତୋଫାନରେ ଭାଇ! ମନ ପଡ଼ିଲେ ଦେହ ଶୀତେଇ ଉଠୁଛି । କଲିଜା ଥରି ଉଠୁଛି । ଝଡ଼ତୋଫାନରେ ଗଛବୃଚ୍ଛସବୁ ଭାଙ୍ଗି ପଡ଼ିଥାଏ । ଘରଦ୍ୱାର ମାଟିରେ ମିଶି ଯାଇଥାଏ । ଚାରିଆଡ଼େ ମଣିଷ, ଗାଈ, ମଇଁଷି, ଛେଳିମେଣ୍ଢାଙ୍କ ମଢ଼ ଆଉ ଧରାଶାୟୀ ଗଛଙ୍କ ମେଳା । ଲକ୍ଷ ଲକ୍ଷ ସଂଖ୍ୟାରେ ଗଛସବୁ ଭାଙ୍ଗି ରାସ୍ତା ଅବରୋଧ କରିଥାନ୍ତି । କଟକ, ଭୁବନେଶ୍ୱର ଆଡୁ ଗାଡ଼ି ଆସିପାରୁ ନଥାଏ । ରାସ୍ତାରେ ହଜାର ହଜାର ଗାଡ଼ି ଅଟକି ରହିଥାଏ ।
ଚଣ୍ଡୀଖୋଲ-ପାରାଦୀପ ପାଞ୍ଚ ନମ୍ବର ଜାତୀୟ ରାଜପଥର ବଡ଼ପାଳ ଗୋଡ଼ାଠାରେ ଅଟକି ରହିଥାଏ ଗୋଟିଏ ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ବୋଧେ ପେଟ୍ରୋଲ ଟ୍ୟାଙ୍କରଟି ପାରାଦୀପ ଆଡ଼େ ଯାଉଥିଲା କି କ’ଣ? ବାତ୍ୟା ପବନରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ସେଇଠି ଅଟକି ଯାଇଥିଲା । ଦୁଇଦିନ ଧରି ପ୍ରକୃତି ନିଜର ଉଗ୍ର ବିକଟାଳ ରୂପ ଦେଖାଇବା ପରେ ଶାନ୍ତ ପଡ଼ିଥିଲା । ଝଡ଼ତୋଫାନ ଛାଡ଼ି ଯାଇଥିଲା । ପରିବେଶ ଶାନ୍ତ ପଡ଼ିଥିଲା । ଲୋକଙ୍କ ଘରେ ନିଆଁ ଚୁଲି ବନ୍ଦ୍ ହୋଇଯାଇଥାଏ । ରୋଷେଇବାସ ବନ୍ଦ୍ । ଝଡ଼ତୋଫାନରେ ଲୋକଙ୍କ ଘର ଭାଙ୍ଗି ଯାଇଥାଏ । ଚାଳ ଛପର ଉଡ଼ିଯାଇଥାଏ । ମାଟିକାନ୍ଥ ଧସି ଚୂଲି ପୋତି ହୋଇଯାଇଥାଏ । ଗଚ୍ଛିତ ଖାଦ୍ୟସବୁ ନଷ୍ଟ ହୋଇଯାଇଥାଏ । ଲୋକେ ଦି’ମୁଠା ଭାତ ପାଇଁ ଡହଳ ବିକଳ ହେଉଥାନ୍ତି । ବାତ୍ୟା ଛାଡ଼ିବାର ତିନିଦିନ ବିତି ଯାଇଥିଲେ ବି ଲୋକଙ୍କର ପେଟକୁ ଦାନା ମୁଠାଏ ଯାଇ ନଥାଏ । ଏଣୁ ଖାଦ୍ୟ ପାଇଁ ମଣିଷ ଭିତରେ ସଂଘର୍ଷ ଆରମ୍ଭ ହୋଇଯାଇଥାଏ । କୋଉଠି ଦି’ମୁଠା ଚାଉଳ କି ଚୁଡ଼ା ଦେଖିଲେ ଲୋକଙ୍କ ଭିତରେ ଭିଡ଼ା ଓଟରା, ଟଣାଟଣି ଲାଗି ଯାଉଥିଲା । ବାତ୍ୟା ପରଦିନ ଗାଁର ପହଲି ସାହୁ ଭୁଶାମାଲ୍ ଦୋକାନ ଭାଙ୍ଗି ଲୋକେ ଯିଏ ଯାହା ପାରିଲେ ଲୁଟି ଆଣିଲେ । ଯେଉଁ ଜଣେ ଦୁଇଜଣ ଧନୀ ଲୋକଙ୍କ କୋଠାଘରେ ଖାଦ୍ୟ ମହଜୁଦ ଥିଲା ତାକୁ ଛଡ଼େଇ ଆଣିଲେ । ଖାଦ୍ୟ ସରିଗଲା । ଲୋକେ ଅଖାଦ୍ୟ ଖାଇଲେ । ଭୋକରେ ଲୋକଙ୍କ କରଡ଼ି ଜଳୁଥାଏ । ବ୍ରହ୍ମ ଜଳୁଥାଏ । ଭୋକ ଦାଉରୁ ମଣିଷକୁ ରକ୍ଷା ନଥାଏ । ଏତିକିବେଳକୁ ଆମ ଗାଁର ରତନା, ମଗା, ହାଡ଼ିଆ, ଟାଙ୍ଗା, କାଙ୍ଗାଳି, ଗୁରୁବାରିଆ, ଚଇତନମାନେ କ’ଣସବୁ ବୋହି ଆଣୁଥିବାର ଗାଁଲୋକେ ଦେଖିଲେ । ଜଣେ କହିଲା- “ଆରେ, ଭାଇ ଏମାନେ କ’ଣ ବୋହି ଆଣୁଛନ୍ତି କି?’ ଆଉ ଜଣେ କହିଲା- “ନିଶ୍ଚୟ ଖାଇବା ଜିନିଷ କିଛି ହୋଇଥିବ । କୋଉ ସଂସ୍ଥା ରିଲିଫ ବାଣ୍ଟୁଥିବ ।’
ଆଉ ଜଣେ କହିଲା- “ହେ, ତୁ ଜାଣିନୁ କି ? ହାଇୱେରେ ପରା ଗୋଟିଏ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଠିଆ ହୋଇଛି । ଲୋକେ ଟ୍ୟାଙ୍କର ଫଟେଇ ତେଲସବୁ ବୋହି ଆଣୁଛନ୍ତି । ତୁ ଯାଇନୁ କି?’ ସେଉଠୁ ଗାଁର ପିଲାଠୁ ବୁଢ଼ା, ଅଣ୍ଡା, ଡାଗରା... ସବୁ ଧାଇଁଲେ ପେଟ୍ରୋଲ୍ ବୋହି ଆଣିବାକୁ । କିଏ ହାଣ୍ଡିରେ ତ କିଏ ମାଠିଆରେ, ଆଉ କିଏ ବାଲ୍ତିରେ ତ କିଏ ରସ ଗରିଆରେ ଭର୍ତ୍ତି କଲା ପେଟ୍ରୋଲ । ଜଣେ ବୁଢ଼ା କିଛି ନ ପାଇ ତା’ ଗାମୁଛାକୁ ବୁଡ଼େଇ ବୋହି ଆଣିଲା ପେଟ୍ରୋଲ । ଆଉ ଘରେ ପହଞ୍ଚି ପେଟ୍ରୋଲ ଭିଜା ଗାମୁଛାକୁ ଥାଳି, ତାଟିଆ, ଗିନାରେ ଚିପୁଡ଼ି ଭର୍ତ୍ତି କଲା । ଏଣେ ଭୋକରେ ଗାଁ ଲୋକଙ୍କ କରଡ଼ି ଜଳୁଥାଏ । କ୍ଷୁଧା ପେଟରେ ନିଆଁ ଲଗେଇଥାଏ । ପେଟ୍ରୋଲ୍ରେ କି ପେଟ ପୂରେ ? ଏତିକିବଳେ ଲୋକଙ୍କର ତ ଖାଦ୍ୟ ଲୋଡ଼ା । ତଥାପି କିଛି ସମୟ ପାଇଁ ମଣିଷ ଖାଦ୍ୟର ଜ୍ୱାଳା ଭୁଲି ପେଟ୍ରୋଲ୍ ଲୁଟିବାରେ ସମୟ ବିନିଯୋଗ କଲା । ଲୋକେ ବାଡ଼ିରେ, ଦାଣ୍ଡ ଅଗଣାରେ, ଦେଈପିଣ୍ଡିରେ, ରୋଷେଇଘରେ, ଅମାର ଘରେ, ଗୋରୁ ଗୁହାଳେ ପେଟ୍ରୋଲ୍ ସାଇତି ରଖିଲେ । ଭବିଷ୍ୟତ ପାଇଁ । ବାତ୍ୟା ଛାଡ଼ିଗଲା । ଭାଙ୍ଗିରୁଜି ଧ୍ୱଂସ ହୋଇ ଯାଇଥିବା ଘରସବୁକୁ ଲୋକେ ସଜାଡ଼ିବା ଆରମ୍ଭ କଲେ । କାନ୍ଥ ମରାମତି କଲେ । ଛପର ପକାଇଲେ । ଲିପାପୋଛା କରି ପୁଣି ଭଙ୍ଗା ଘରସବୁକୁ ସଳଖି କରି ଛିଡ଼ା କରାଇଲେ । ମହାବାତ୍ୟାର କିଛିଦିନ ପରେ ଘରସବୁ ପୁଣି ନିଜ ସ୍ଥିତିକୁ ଫେରି ଆସିଲେ । ଏହା ମଧ୍ୟରେ ସରକାର ଆଉ ଦେଶବିଦେଶର ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଗାଁରେ ରିଲିଫ ଖାଦ୍ୟ ପହଞ୍ଚିଲା । ଚାଉଳ, ଚୂଡ଼ା, ଗୁଡ଼ ପହଞ୍ଚିଲା । ସରକାର ମାଗଣାରେ ରନ୍ଧା ଖାଦ୍ୟ ଯୋଗେଇଲେ । ଲୋକଙ୍କ କ୍ଷୁଧା ମେଣ୍ଟିଲା । ଲୋକେ ଶାନ୍ତ ପଡ଼ିଲେ । ତୁନି ପଡ଼ିଲେ । କିଛି ଦିନ ବିତିଗଲା...ଖରାଦିନ ଆସିଲା ।
ଗୋଟିଏ ସଞ୍ଜରେ ଦେଖିବାକୁ ମିଳିଲା, ଗାଁର ସବୁ ଘର ହୁତୁହୁତୁ ହୋଇ ଜଳୁଛି । ଅନ୍ଧାର ରାତିରେ ଆଲୋକିତ ହୋଇ ଉଠିଛି ସାରା ଗାଁ । ନିଆଁ ଦୋଳି ଖେଳୁଥାଏ ଗାଁର ମଥାନରେ । ଦଇବ ସହିଲାନି । ମଣିଷ ଉପର ତା’ର କି ରାଗ କେଜାଣି ? ଏଇ କିଛିଦିନ ତଳେ ସୁପରସାଇକ୍ଲୋନ ଗାଁକୁ ଛାରଖାର କରି ଦେଇଥିଲା । ଏବେ ଏ ସର୍ବଗ୍ରାସୀ ନିଆଁ ଗାଁକୁ ଗିଳି ପକାଇଲା । ଜଣେ ବୁଢ଼ାଲୋକ କହୁଥିବାର ଶୁଣା ଯାଉଥିଲା- “ମହାବାତ୍ୟା ବେଳେ ଗାଁଲୋକେ ପେଟ୍ରୋଲ ଟ୍ୟାଙ୍କରରୁ ଯେଉଁ ପେଟ୍ରୋଲ୍ ଲୁଟି ଆଣି ଘରେ ସାଇତି ରଖିଥିଲେ, ଏ ତା’ର ଫଳ ।’ ଆଉ ଜଣେ କିଏ କହୁଥିବାର ଶୁଣାଯାଉଥିଲା- “ହବନି ? ଘୋର କଳିକାଳ । ମାଳିକା ପରା ଲେଖିଚି ‘ବାଇଶି ପାହାଚେ ଖେଳିବ ମୀନ । ହରେ କୁଷ୍ଟଁ, ହରେ କୁଷ୍ଟଁ । ସାଧୁ ସାବଧାନ ।’