ନୂଆଦିଲ୍ଲୀ, ୦୭/୦୧ : 'ଡୋନାଲ୍ଡ ଟ୍ରମ୍ପ ମୋ ବାପା।' ତୁର୍କୀର ଜଣେ ମହିଳା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବାପା ବୋଲି ଦାବି କରିଛନ୍ତି । ସେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ଦିଶୁଥିବା କହିଛନ୍ତି । ଏ ନେଇ ସେ କୋର୍ଟରେ ମକଦ୍ଦମା କରିଛନ୍ତି । ଟ୍ରମ୍ପ୍‌ ତାଙ୍କ ବାପା, ଏହା ପ୍ରମାଣ କରିବାକୁ ଡିଏନ୍‌ଏ ଟେଷ୍ଟ୍‌ ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି ।

୫୫ ବର୍ଷୀୟା ନେକ୍‌ଲା ଓଜ୍‌ମେନ ତୁର୍କୀର ରାଜଧାନୀ ଆନ୍‌କାରାରେ ରହୁଛନ୍ତି । ଗତ ସେପ୍ଟେମ୍ବର ୨୫ରେ ଆନ୍‌କାରା ୨୭ତମ ପରିବାର ଅଦାଲତରେ ସେ ମକଦ୍ଦମା କରିଥିଲେ । ତେବେ ତାଙ୍କର ଅଜବ ମକଦ୍ଦମାକୁ କୋର୍ଟ ତୁରନ୍ତ ଖାରଜ କରିଦେଲେ, ତଥାପି ସେ ଏହା ବିରୋଧରେ ଆବେଦନ କରିଛନ୍ତି । ନେକ୍‌ଲା କହନ୍ତି, ସେ ୧୯୭୦ରେ ଜନ୍ମ ହୋଇଥିଲେ ଏବଂ ସତୀ ଓ ଦୁରସୁନ୍‌ ଓଜ୍‌ମେନଙ୍କ ଝିଅ ଭାବେ ନାଗରିକ ରେକର୍ଡରେ ତାଙ୍କ ନାଁ ପଞ୍ଜୀକୃତ ହୋଇଛି । ଏହି ଦମ୍ପତିଙ୍କ ଲାଳନପାଳନରେ ନେକ୍‌ଲା ବଡ଼ ହୋଇଛନ୍ତି । କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ ଓଜ୍‌ମେନ ଦମ୍ପତି ତାଙ୍କୁ ପାଳିଥିଲେ । ୨୦୧୭ରେ ସତୀ ତାଙ୍କୁ ସତ କଥା କହିଲେ ।

ନେକ୍‌ଲା ଅଭିଯୋଗ କରିଛନ୍ତି, ୧୯୭୦ରେ ଆନ୍‌କାରାର ଏକ ହସ୍ପିଟାଲରେ ଶିଶୁ ବଦଳ ଘଟଣା ଘଟିଥିଲା । ନେକ୍‌ଲାଙ୍କ ଦାବି ଅନୁସାରେ, ତାଙ୍କୁ ପାଳିଥିବା ମା’ ସତୀ ହସ୍ପିଟାଲରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ । ସେହି ସମୟରେ ଅନ୍ୟ ଜଣେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ସେ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ନାଁ ସୋଫିଆ ବୋଲି ନେକ୍‌ଲା କହିଛନ୍ତି । ସୋଫିଆ ନିଜ ନବଜାତକର ଲାଳନପାଳନ ଓ ନାଁ ପଞ୍ଜିକରଣ ପାଇଁ ତାକୁ ଓଜ୍‌ମେନ ପରିବାର ହାତକୁ ଟେକି ଦେଇଥିଲେ । ନେକ୍‌ଲା ଅଭିଯୋଗ କରିଛନ୍ତି, ଟ୍ରମ୍ପ୍‌ଙ୍କ ସହ ଅବୈଧ ସମ୍ପର୍କ ଏହାର କାରଣ ବୋଲି ସୋଫିଆ କହିଥିଲେ । ସେହି ଶିଶୁକୁ ଓଜ୍‌ମେନ ପରିବାର ନିଜ ସନ୍ତାନ ଭଳି ଲାଳନପାଳନ କଲା । ନେକ୍‌ଲା ଏ ସମସ୍ତ କାରଣ ଦର୍ଶାଇ ପିତୃତ୍ୱ ଓ ଜିନ୍‌ଗତ ପରୀକ୍ଷଣର ନିର୍ଦ୍ଦେଶ ଲାଗି ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ।

ତୁର୍କୀ ଗଣମାଧ୍ୟମ ସହ ସାକ୍ଷାତକାରରେ ନେକ୍‌ଲା କହିଛନ୍ତି, ଟ୍ରମ୍ପ୍‌ ଓ ସୋଫିଆ କିଭଳି ଭେଟିଥିବେ, ସେ କେବଳ ଅନୁମାନ କରିପାରୁଛନ୍ତି । ସେ ଦାବି କରିଛନ୍ତି, ମା’ ସତୀ ତାଙ୍କୁ କହିଥିଲେ ଯେ ସୋଫିଆ ତାଙ୍କୁ ନିଜର ଶିଶୁକୁ ଦେବା ବେଳେ ଟ୍ରମ୍ପ୍‌ଙ୍କର ଏକ ଫଟୋ ଦେଖାଇଥିଲେ ଏବଂ ତାଙ୍କର ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ନେକ୍‌ଲା ଏବେ ଟ୍ରମ୍ପ୍‌ଙ୍କ ସହ କଥା ହେବାକୁ ଚାହୁଁଛନ୍ତି । କହିଛନ୍ତି, ମୁଁ ଟ୍ରମ୍ପ୍‌ଙ୍କ ସମସ୍ୟାର କାରଣ ହେବାକୁ ଚାହୁଁନାହିଁ । କେବଳ ସତ ଜାଣିବାକୁ ଚାହୁଁଛି । ଜାଣିବାକୁ ଚାହୁଁଛି ଯେ ସେ ମୋର ବାପା କି ନୁହେଁ । ଯଦି ସେ ରାଜି ହୁଅନ୍ତି, ଡିଏନ୍‌ଏ ଟେଷ୍ଟ୍‌ ଜରିଆରେ ମୁଁ ପ୍ରମାଣ କରିପାରିବି ଯେ ସେ ମୋ ବାପା । ସେ ଜଣେ ଭଲ ବାପା ବୋଲି ମୋର ବିଶ୍ୱାସ । ସେ ମୋତେ କେବେ ମନା କରିବେ ନାହିଁ । ଯଥେଷ୍ଟ ପ୍ରମାଣ ଅଭାବ ଯୋଗୁ କୋର୍ଟ ନେକ୍‌ଲାଙ୍କ ଆବେଦନ ଖାରଜ କରିଛନ୍ତି । କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ନେକ୍‌ଲା ଅପିଲ କରିଛନ୍ତି ଏବଂ ଆମେରିକା ଦୂତାବାସ ଓ ଆମେରିକୀୟ କୋର୍ଟକୁ ମଧ୍ୟ ପିଟିସନ୍‌ ପଠାଇଛନ୍ତି ।