ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଦିବାସୀ ସମ୍ପ୍ରଦାୟରେ ନିଆରା ବାହୁଡାଯାତ୍ରା; ଦେବାଦେବୀଙ୍କ ଲାଠିଯାତ୍ରା ସହ ବାହୁଡ଼ିଲେ ତିନି ଠାକୁର

Published By : Bijay Swain | July 5, 2025 7:30 PM

କୋକସରା,୦୫/୦୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ଏକ ନିଆରା ପରମ୍ପରାରେ ବାହୁଡା ଯାତ୍ରା ଶନିବାର ଦିନ ସମାପନ ହୋଇଛି।

ଜନଶ୍ରୁତି ଅନୁସାରେ ପୂର୍ବରୁ ଏହି ଅଞ୍ଚଳରେ ରଥଯାତ୍ରା ପାଳନ ହେଉ ନଥିଲା। ଅନେକ ବର୍ଷ ଆଗରୁ ଜଣେ ବୈଷ୍ଣବ ସଂପ୍ରଦାୟର ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଆସି ଜଗନ୍ନାଥ ପ୍ରଭୂଙ୍କୁ ରଖି ପୁଜା କରିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ସେହି ସମୟରେ ଗୋତୋମୁଣ୍ଡା ବାସୀ ଗାଁ ଗୌନ୍ତିଆ ନଥିବା ସ୍ଥଳେ ଏହି ସବୁ କାର୍ଯ୍ୟ କରିବା ପାଇଁ ମନା କରି ଦେଇଥିଲେ । ଫଳ ସ୍ୱରୂପ ସଂପୃକ୍ତ ବୈଷ୍ଣବ ବ୍ୟକ୍ତି ଜଣକ ମହାପ୍ରଭୁ ଜଗନ୍ନାଥକୁ ନେଇ ଅନ୍ୟତ୍ର ଚାଲି ଯାଇଥିଲେ । 

ଗାଁର ଗୌନ୍ତିଆ ଗୋତୋମୁଣ୍ଡା ଫେରିବା ପରେ ଗ୍ରାମବାସୀ ଘଟଣା ସଂପର୍କରେ କହିଥିଲେ । ତା ପରଦିନ ଗୌନ୍ତିଆ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଗ୍ରାମବାସୀକୁ କହିଥିଲେ। ବୈଷ୍ଣବ ବ୍ୟକ୍ତି ଜଣକ ଛତିଶଗଡ ରାଜ୍ୟ ବରିଗାଁରେ ଥିବା ଖବର ପାଇ ଗ୍ରାମବାସୀ ମାନେ ତାଙ୍କୁ ଭେଟି ଗୋତୋମୁଣ୍ଡା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ପରବର୍ତ୍ତୀ ସମୟରେ ବୈଷ୍ଣବ ବ୍ୟକ୍ତି ଗୋତମୁଣ୍ଡାଠାରେ ପହଞ୍ଚି ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୁଜା କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା ସରି ଯାଇଥିବା ବେଳେ ବାହୁଡା ଯାତ୍ର ହୋଇନଥିଲା । ଗୋତୋମୁଣ୍ଡା ଗୌନ୍ତିଆ ବାହୁଡା ଦିନ ମହାପ୍ରଭୁଙ୍କ ବିଗ୍ରହ ଆଣିବା ପାଇଁ ଅନୁମତି ଦେଇଥିଲେ । ବାହୁଡା ଯାତ୍ରା ଦିନ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଗ୍ରାମକୁ ପହଞ୍ଚିଥିଲେ । 

ବାହୁଡା ଯାତ୍ରା ଦିନ ସଂଯୋଗ ବଶତଃ  ଗୋତୋମୁଣ୍ଡା ଗ୍ରାମର ଇଷ୍ଟଦେବୀ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ସମେତ ଅନ୍ୟ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ରହିଥିଲା । ଗୋତୋମୁଣ୍ଡା ଗୌନ୍ତିଆ ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀଙ୍କ ଲାଠି, କୁର୍ସି, କାଳିଶି ସହ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁଙ୍କୁ ସ୍ୱାଗତ କରି ଗ୍ରାମକୁ ପାଛୋଟି ନେଇଥିଲେ । ସେହି ଦିନରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରା ଅନୁସାରେ ବାହୁଡା ଯାତ୍ରା ହୋଇ ଆସୁଛି ବୋଲି ଗୋତୋମୁଣ୍ଡା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ପୂର୍ବରୁ ବାହୁଡା ଯାତ୍ରା ଦିନ ଗୋତୋମୁଣ୍ଡା ଗ୍ରାମରେ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ସେହି ପରମ୍ପରା ଅନୁଯାୟୀ ବାହୁଡା ଯାତ୍ରା ଦିନ ଗୋତୋମୁଣ୍ଡା ଅଞ୍ଚଳର ପାଖାପାଖି ଗ୍ରାମ ଗୁଡିକର ଦେବାଦେବୀଙ୍କ ଲାଠି, କୁର୍ସି ଓ କାଳିଶି ଏକତ୍ରିତ ହେବା ପରେ ଏଠାରେ ବାହୁଡା ଯାତ୍ରା ପାଇଁ ଦେବାଦେବୀ ମାନେ ବାଜାଗାଜା ବଜାଇ ମାଉସୀ ମା ମନ୍ଦିରରେ ପହଞ୍ଚିବା ପରେ ଦେବାଦେବୀ ମାନେ ତିନି ଠାକୁରଙ୍କୁ ପାଛୋଟି ନେବା ପାଇଁ ଅନୁରୋଧ କରିଥିଲେ । ଦେବାଦେବୀଙ୍କ ଅନୁରୋଧ ପରେ ତିନି ଠାକୁର ରଥ ଚାରିପଟେ ପରିକ୍ରମା କରି ରଥରେ ବିଜେ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। 

ମାଉସୀ ମା  ମନ୍ଦିରରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଲାଠି, କୁର୍ସି, କାଲିସିଙ୍କ ଗହଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ରଥ ଟାଣି ନେଇଥିଲେ। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସମେତ ନବରଙ୍ଗପୁର ଓ ଦଣ୍ଡପାଟ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ବାହୁଡା ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା ପାଇଁ  ଜଗନ୍ନାଥ କମିଟିର ସଭାପତି ହେମନ୍ତ ମାଝୀ, ଉପ ସଭାପତି ପାର୍ଥବ ମାଝୀ, ପୂଜକ ମନୋହର ପୁଝାରୀ, ଜଗନ୍ନାଥ ପୂଜକ ସୁବାଷ ଚନ୍ଦ୍ର ଦାସ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ନାଏକ, ନିରଞ୍ଜନ ବାଗ, ହିମାଞ୍ଚଲ ପୁଝାରି, ବଳରାମ ମାଝୀ, ବଳିଆର ସିଂ ମୋରାଇ, ଭରତ ପୁଝାରି, ମୁକୁନ୍ଦ ନାଗେଶ, ଯଦୁମଣି ଦୁର୍ଗା, ମୂରଲୀ ଅଣ୍ଟି, ରତନ ମାଝୀ ପ୍ରମୁଖ ସମେତ ଗ୍ରାମବାସୀଙ୍କ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଆମପାଣି ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ମୁତୟନ ରହି ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ନିୟନ୍ତ୍ରଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.