ପୁରୀ, ୦୧/୦୬ : ଏବେ ବି ଗ୍ରାମାଞ୍ଚଳରେ ଚାଲିଛି କ୍ୱାକ୍ଙ୍କ ରାଜୁତି। ଜଣେ ଝାଡ଼ା ରୋଗୀ ମହିଳାଙ୍କୁ ଗୋଟିଏ ଦିନରେ ୧୮ଟି ସାଲାଇନ୍ ଦେଇଛନ୍ତି କ୍ୱାକ୍ । ୧ଟି ସାଲାଇନ୍ରେ ୫୦୦ ଗ୍ରାମ୍ ଜଳ ରହିଥିବାବେଳେ ମୋଟ ୯ ଲିଟର ମହିଳାଙ୍କୁ ଦେଇଥିଲେ । ଫଳରେ ମହିଳା ରୋଗୀ ଭଲ ହେବା ପରିବର୍ତ୍ତେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପରିବାର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ କାଣ୍ଡଗୋଦା (ମନପୁର) ଗ୍ରାମରେ । ଚିକିତ୍ସା ପରେ ଗୁରୁତର ଥିବା ରଶ୍ମିତା ଭଟ୍ଟ (୩୭)ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ରଶ୍ମିତାଙ୍କ ଭଉଣୀଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ରଶ୍ମିତାଙ୍କ ୭ରୁ୮ଟା ପତଳା ଝାଡ଼ା ହୋଇଥିଲା । ବ୍ରହ୍ମଗିରି କେରାଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶକ୍ରମେ ୨ଟି ସାଲାଇନ୍ ଦେବା ପରେ ପରିବାର ଲୋକେ ଘରକୁ ନେଇ ଆସିଥିଲେ । ମାତ୍ର ଶନିବାର ପୁଣି ଝାଡ଼ା ହେବାରୁ ଗ୍ରାମରେ ଥିବା କ୍ୱାକ୍ଙ୍କ ପରାମର୍ଶ ନେଇଥିଲେ । କ୍ୱାକ୍ ଦିନତମାମ ୧୮ଟି ସାଲାଇନ୍ ଦେଇଥିଲେ । ଏଥିରେ ରଶ୍ମିତା ସୁସ୍ଥ ହେବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଆହୁରି ପଢନ୍ତୁ- କଟକ ଅଗ୍ନିକାଣ୍ଡ ଘଟଣା: ସ୍ଥିତି ପରଖିଲେ ମେୟର, ବ୍ୟାଙ୍କ ଅଧିକାରୀ କହିଲେ ଆମର ସବୁ ସୁରକ୍ଷିତ ଅଛି
ଡାକ୍ତରଙ୍କ କହିବାନୁଯାୟୀ, ଲୋକେ ସଚେତନ ହେଉନାହାନ୍ତି । ଲୋକେ ଡାକ୍ତରଙ୍କୁ ନଦେଖାଇ ଗ୍ରାମାଞ୍ଚଳରେ ଔଷଧ ଦୋକାନ କରିଥିବା ଲୋକଙ୍କୁ ଦେଖାଉଛନ୍ତି । ସେମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଓ ସାଲାଇନ୍ ମଧ୍ୟ ଦେଉଛନ୍ତି ଯାହା ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଉକ୍ତ ମହିଳାଙ୍କ ବୟସ କମ୍ ଥିବାରୁ ତାଙ୍କ ଶରୀର ୧୮ଟି ସାଲାଇନ୍କୁ ମ୍ୟାନେଜ କରିବାରେ ସଫଳ ହୋଇଥିଲା । ମାତ୍ର ବୟସ୍କ ଲୋକେ ହୋଇଥିଲେ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥାନ୍ତା ବୋଲି ଡାକ୍ତର କହିଛନ୍ତି ।