ନୂଆଦିଲ୍ଲୀ,୭/୯ : ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଭବିଷ୍ୟବାଣୀ କରିଛନ୍ତି ଯେ, କରୁଣ ନାୟର ଏବେ ହୁଏତ ଟିମ୍ ଇଣ୍ଡିଆକୁ କେବେ ଫେରିପାରିବେ ନାହିଁ । ଅଷ୍ଟ୍ରେଲିଆ ଏ ଦଳ ଖୁବଶୀଘ୍ର ଭାରତ ଗସ୍ତ କରିବାକୁ ଯାଉଛି । ଯେଉଁଠାରେ ନାୟରଙ୍କୁ ୨ଟି ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ସ୍ଥାନ ମିଳିନାହିଁ । କରୁଣ ନାୟର ସେହି ବ୍ୟାଟର ଯିଏ ୭ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଥିଲେ । କିନ୍ତୁ ଇଂଲଣ୍ଡ ଗସ୍ତରେ କେବଳ ୨୦୫ ରନ୍ କରିପାରିଥିଲେ। ଆକାଶ ଚୋପ୍ରା ଦାବି କରିଛନ୍ତି ଯେ, ଏବେ ହୁଏତ ଚୟନକର୍ତ୍ତାମାନେ ନାୟରଙ୍କ ବଦଳରେ ଅନ୍ୟ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି ।
ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ କହିଛନ୍ତି ଯେ, କରୁଣ ନାୟରଙ୍କୁ ତାଙ୍କ ଇଚ୍ଛା ଅନୁସାରେ ଦ୍ୱିତୀୟ ସୁଯୋଗ ମିଳିଛି। ସେ ଫିଟ୍ ଥିଲେ ଏବଂ ଉପଲବ୍ଧ ଥିଲେ, ତଥାପି ତାଙ୍କୁ ଭାରତ ଇ ସ୍କ୍ବାର୍ଡ଼ରେ ଚୟନ କରାଯାଇ ନ ଥିଲା। ଆକାଶ ଚୋପ୍ରା କହିଛନ୍ତି, "ଦୁର୍ଭାଗ୍ୟବଶତଃ, ଏବେ ଲାଗୁଛି ଯେ କରୁଣ ନାୟର ଆଉ ଟିମ୍ ଇଣ୍ଡିଆ ପାଇଁ ଖେଳିବେ ନାହିଁ। ଏହା ନୁହେଁ ଯେ, ସେ ଉପଲବ୍ଧ ନ ଥିଲେ। ସେ ଫିଟ୍ ଅଛନ୍ତି, ତଥାପି ତାଙ୍କୁ ଚୟନ କରାଯାଇ ନ ଥିଲା। ଏହା ଦେଖାଯାଉଛି ଯେ, ଚୟନକର୍ତ୍ତାମାନେ ନାୟରଙ୍କ ବଦଳରେ ଅନ୍ୟ ଖେଳାଳିଙ୍କ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।"
ଇଂଲଣ୍ଡ ଗସ୍ତରେ, କରୁଣ ନାୟରଙ୍କୁ ନମ୍ବର ୩ରେ ସୁଯୋଗ ଦିଆଯାଇଥିଲା । ଏହାସହ ସେ ନମ୍ବର ୫ ଏବଂ ୬ରେ ମଧ୍ୟ ବ୍ୟାଟିଂ କରିଥିଲେ। ସମଗ୍ର ଇଂଲଣ୍ଡ ଗସ୍ତରେ ସେ ୮ଇନିଂସରେ ମାତ୍ର ୨୫.୬୩ହାରରେ ୨୦୫ରନ କରିଥିଲେ। ସେ ଆଠ ଇନିଂସରେ କେବଳ ଗୋଟିଏ ଅର୍ଦ୍ଧଶତକ କରିପାରିଥିଲେ। ସେ ଭଲ ପ୍ରଦର୍ଶନ କରିପାରିଥାନ୍ତେ ଏବଂ ସ୍ଥାୟୀ ତୃତୀୟ ସ୍ଥାନ ହାସଲ କରିପାରିଥାନ୍ତେ, କିନ୍ତୁ ସେ ବିଫଳ ହୋଇଥିଲେ।