ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସଂଶୋଧିତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଆମ୍‌ ଆଦମୀ ପାର୍ଟି (ଆପ୍‌) । ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ନରେଲା ଆସନରେ ଦୀନେଶ ଭରଦ୍ବାଜଙ୍କ ସ୍ଥାନରେ ଶରଦ ଚୌହାନଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ହରି ନଗର ଆସନରେ ରାଜ କୁମାରୀ ଧିଲନଙ୍କ ସ୍ଥାନ ନେଇଛନ୍ତି ସୁରିନ୍ଦ୍ରା ସେଟିଆ । ସମସ୍ତ ୭୦ ଆସନରେ ପ୍ରାର୍ଥୀ ଦେବାର ପ୍ରାୟ ଏକ ମାସ ପରେ ଦଳ ଏହି ପରିବର୍ତ୍ତନ କରିଛି । 

ମୋଟ ୪ଟି ପର୍ଯ୍ୟାୟରେ ୭୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ଆପ୍‌ । ଚତୁର୍ଥ ତାଲିକା ଡିସେମ୍ବର ୧୫ରେ ପ୍ରକାଶ ପାଇଥିବା ବେଳେ ଏଥିରେ ୩୮ ପ୍ରାର୍ଥୀଙ୍କ ନାଁ ସାମିଲ ଥିଲା । ସେହିଭଳି ତୃତୀୟ ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାଁ ସାମିଲ ଥିବା ବେଳେ ଦ୍ବିତୀୟ ଏବଂ ପ୍ରଥମ ତାଲିକାରେ ଯଥାକ୍ରମେ ୨୦ ଏବଂ ୧୧ ପ୍ରାର୍ଥୀଙ୍କ ନାଁ ସାମିଲ କରିଥିଲା ଆପ୍‌ ।  ରାଜ କୁମାରୀ ଧିଲନ ଏବଂ ଦୀନେଶ ଭରଦ୍ବାଜଙ୍କ ନାଁ ଚତୁର୍ଥ ଏବଂ ପ୍ରଥମ ତାଲିକାରେ ସାମିଲ ଥିଲା । ଏବେ ଏହି ଦୁଇ ପ୍ରାର୍ଥୀଙ୍କୁ ବଦଳାଇ ଦଳ ନୂଆ ପ୍ରାର୍ଥୀ ଦେଇଛି । 

ସୂଚନାଯୋଗ୍ୟ, ଦିଲ୍ଲୀର ବିଧାନସଭା ନିର୍ବାଚନ ଫେବୃଆରୀ ୫ରେ ହେବାକୁ ଥିବା ବେଳେ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ଏଥର ଆପ୍‌, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରୀକୋଣୀୟ ଲଢ଼େଇ ହେବାକୁ ଯାଉଛି । ୨୦୧୩ରୁ ଦିଲ୍ଲୀରେ ଆପ୍‌ ରାଜୁତି କରିଆସିଥିବା ବେଳେ ୨୦୧୫ ଏବଂ ୨୦୨୦ ନିର୍ବାଚନରେ ବିଜେପି ଯଥାକ୍ରମେ ୩ ଓ ୮ ଆସନରେ ବିଜୟୀ ହୋଇଥିଲା । କିନ୍ତୁ କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ଖାତା ଖୋଲି ପାରିନଥିଲା ।