ନୂଆଦିଲ୍ଲୀ: ପଞ୍ଜାବର ଜଣେ ଆପ୍ ବିଧାୟକ ଦେବିନ୍ଦରଜୀତ ସିଂ ଲଡ୍ଡି ଢୋସେ ନିଜ ଦଳ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମୋଗା ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଅଭାବ ପରିଲକ୍ଷିତକୁ ନେଇ ନିଜ ଦଳକୁ ଘେରିଛନ୍ତି ଦେବେନ୍ଦର। ଆଜି ପଞ୍ଜାବ ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୋଗା ପାଇଁ କୌଣସି ନୂଆ ପ୍ରୋଜେକ୍ଟ ନଥିବା କହିଥିଲେ। ଏଥିରେ କ୍ଷୁବ୍ଧ ହୋଇ ବିଧାୟକ ଜଣଙ୍କ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବିଭିନ୍ନ ଭୁଲଭଟକା ପାଇଁ ସରକାରଙ୍କୁ ଦୋଷ ଦବା ଆରମ୍ଭ କରିଦେଇଥିଲେ। 

ସୂଚନା ମୁତାବକ, ଆଜି ପଞ୍ଜାବର ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିଲା। ଏହି ସମୟରେ ଦେବିନ୍ଦରଜୀତଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ବଲବିର ସିଂ କହିଥିଲେ ଯେ ଧରମକୋଟ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରଖାନା ଭାବେ ରୂପାନ୍ତରିତ କରିବାକୁ ସରକାରଙ୍କର କୈଣସି ଯୋଜନା ନାହିଁ। ଏହା ସହ ଧରମକୋଟରେ କୌଣସି ଟ୍ରମା ସେଣ୍ଟର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇ ନାହାନ୍ତି। କାରଣ ପ୍ରଥମରୁ ପଞ୍ଜାବର ଜଲନ୍ଧର, ପଠାନକୋଟ, ଖନ୍ନା, ଫିରୋଜପୁର ଓ ଫଜଲିକାରେ ୫ଟି ଟ୍ରମା ସେଣ୍ଟର ରହିଛି। 

ଆଉ ଏହାପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଦେବିନ୍ଦରଜୀତ। ସେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଧରମକୋଟ ଏକ ପଛୁଆ ଅଞ୍ଚଳ। ଏହା ବିଷୟରେ ସରକାରଙ୍କୁ ଚିନ୍ତା କରିବାକୁ ପଡିବ। ସରକାର କଣ ପାଇଁ ଏ ପଛୁଆ ଅଞ୍ଚଳ ପାଇଁ ସ୍ୱସ୍ଥ୍ୟା ସେବାକୁ ମଜବୁତ କରୁନାହାନ୍ତି ଜଣାପଡୁନାହିଁ। ଧରମକୋଟ ନିର୍ବାଚନ ମଣ୍ଡଳୀରେ ଯେମିତି ହେଉ ଗୋଟିଏ ଟ୍ରମା ସେଣ୍ଟରର ଆବଶ୍ୟକତା ରହିଛି। ତା ସହ  ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ଜଣ ଡାକ୍ତରଙ୍କର ଆବଶ୍ୟକତା ଥିବା ବେଳେ ମାତ୍ର ୨ ଡଣ ଡାକ୍ତରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି। ମୋଗା ପାଇଁ ଏ ଅନ୍ୟାୟ କଣ ପାଇଁ। ମତେ ଲାଗୁଛି ଆମେ ପାକିସ୍ଥାନରେ ରହୁଛେ।

ଦେବିନ୍ଦରଜୀତ କ୍ଷୋଭ ପ୍ରକାଶ କରିବା ପରେ ତାଙ୍କୁ ସ୍ୱସ୍ଥ୍ୟ ମନ୍ତ୍ରୀ ଉତ୍ତର ଦେଇଥିଲେ। ମୋଗା ଜିଲ୍ଲାରେ ଏକ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ରହିଛି। ତେବେ କୌଣସି ଜିଲ୍ଲାରେ ଏକ ସବ-ଡିଭିଜନାଲ ଡାକ୍ତରଖାନା ଖୋଲିବା ପାଇଁ ଉକ୍ତ ଅଞ୍ଚଳର ଜନସଂଖ୍ୟା ୧୦ ଲକ୍ଷ ରହିବା ଦରକାର। କିନ୍ତୁ ମୋଗା ଜିଲ୍ଲା ଏହି ପାରାମିଟରରେ ଆସୁ ନଥିବାରୁ ଏଠାରେ ଆଉ ଏକ ଡାକ୍ତରଖାନା ଖୋଲିବା ଅସମ୍ଭବ ବୋଲି ସେ କହିଥିଲେ। 




ଦେବିନ୍ଦରଜୀତଙ୍କ ଏହି ବୟାନ ଆସିବା ପରେ ପଞ୍ଜାବର ଶାସନ ଭାର ସମ୍ଭାଳିଥିବା ଆପ୍ କୁ ବିରୋଧି ଦଳ ମାନେ ଘେରିବା ଆରମ୍ଭ କରିଛନ୍ତି। ପଞ୍ଜାବରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ବିରୋଧିମାନେ ଏବେଠୁ ସରକାରଙ୍କୁ ଘେରିବା ଆରମ୍ଭ କଲେଣି। ବିଜେପି ସାଂସଦ ରେଖା ଶର୍ମା ଆପ୍ ଉପରେ ବର୍ଷିଛନ୍ତି। ଦଳ କେବଳ ପଞ୍ଜାବରେ ସୀମିତ। ଲୋକଙ୍କ ବିଷୟରେ ଚିନ୍ତା କରିବାକୁ ଦଳ ପାଖରେ ସମୟ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିରୋଧି କଂଗ୍ରେସ ମଧ୍ୟ ଆପ୍ କୁ ଟାର୍ଗେଟ କରିଛି। ଏହା ହେଉଛି ଆପ୍ ସରକାରର ତଥାକଥିତ ସ୍ୱାସ୍ଥ୍ୟସେବା ମଡେଲ। ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ କହି ନିର୍ବାଚନ ଜିତିଥିବା ଆପ୍ ର ମୁଖା ଖୋଲି ଯାଇଛି ବୋଲି କହି କଂଗ୍ରେସ ଆପ୍ କୁ କଟାକ୍ଷ କରିଛି।