ନୂଆଦିଲ୍ଲୀ,୧୬/୦୯: ଏସି ର ଗୋଟିଏ ଲାଭ ଅଛି କିନ୍ତୁ ଅନେକ କ୍ଷତି ଅଛି। ଏଡା ନିଃସନ୍ଦେହ ଯେ, ଗ୍ରୀଷ୍ମ ଋତୁ ଅର୍ଥାତ୍ ଖରା ଦିନରେ ଏୟାର କଣ୍ଡିସନର ଆପଣଙ୍କୁ ଥଣ୍ଡା ପବନ ଦିଏ କିନ୍ତୁ ଏସି ର ବାହାର ୟୁନିଟରୁ ବାହାରୁଥିବା ଗରମ ପବନ ପରିବେଶକୁ ଗରମ କରୁଛି ଯାହା ଦ୍ଵାରା ପ୍ରତିବର୍ଷ ପାରଦ ବୃଦ୍ଧି ପାଉଛି। କେବଳ ପରିବେଶ ନୁହେଁ ବର୍ତ୍ତମାନ ଏକ ନୂଆ ସର୍ଭେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି, ଏହି ସର୍ଭେରୁ ଜଣାପଡ଼ିଛି ଯେ ରାସ୍ତାରେ ଚାଲୁଥିବା ଯାନ ଯେତିକି ପ୍ରଦୂଷଣ ବଢ଼ାଉଛି, ୨୦୩୫ ସୁଦ୍ଧା ଏସି ଏହାର ଦୁଇଗୁଣ ପ୍ରଦୂଷଣ କରିବ।
୨୦୩୫ ସୁଦ୍ଧା ଦୁଇଗୁଣା ବଢ଼ିଯିବ ପ୍ରଦୂଷଣ:
ସର୍ଭେରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା, ଏସି ସବୁଠାରୁ ବଡ଼ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକାରୀ ଉପକରଣ ହୋଇଯିବ। ସାତଟି ସହରର ୩୧୦୦ ଘରେ ଏକ ସର୍ଭେ କରାଯାଇଥିଲା, ଫଳାଫଳରୁ ଜଣାପଡ଼ିଛି ଯେ ୪୦ ପ୍ରତିଶତ ଘର ପ୍ରତିବର୍ଷ ଏସି ଗ୍ୟାସ୍ ପୁନଃଭରଣ କରନ୍ତି ଏବଂ ୨୦୨୪ ମସିହାରେ ଗ୍ୟାସ୍ ପୁନଃଭରଣରୁ ନିର୍ଗମନ ୫୦ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ ସହିତ ସମାନ ଥିଲା। ୨୦୨୪ ମସିହାରେ ପ୍ରାୟ ୩୨ ମିଲିୟନ କିଲୋଗ୍ରାମ (୩୨,୦୦୦ ଟନ୍) ରେଫ୍ରିଜରେଣ୍ଟ (ଏସି ଗ୍ୟାସ୍) ପୁନଃଭରଣ କରାଯାଇଛି ଏବଂ ଏସିର ବର୍ଦ୍ଧିତ ଚାହିଦା ସହିତ, ଏହା ୨୦୩୫ ସୁଦ୍ଧା ୧୨୫,୦୦୦ ଟନ୍ କୁ ବୃଦ୍ଧି ପାଇବାର ଆଶା କରାଯାଉଛି।
କାର୍ ଭଳି ପ୍ରଦୁଷଣ ବଢ଼ାଉଛି ଏସି:
ପରିବେଶଗତ ସମସ୍ୟା ଉପରେ କାର୍ଯ୍ୟ କରୁଥିବା ଏକ ଥିଙ୍କ ଟ୍ୟାଙ୍କ, iFOREST (ଇଣ୍ଟରନ୍ୟାସନାଲ ଫୋରମ୍ ଫର ଏନଭାଇରନ୍ମେଣ୍ଟ, ସଷ୍ଟେନେବିଲିଟି ଆଣ୍ଡ୍ ଟେକ୍ନୋଲୋଜି)ର ସିଇଓ ଚନ୍ଦ୍ର ଭୂଷଣଙ୍କୁ ପଚାରାଯାଇଥିଲା ଯେ ପରିବେଶ ଉପରେ ଏସିର ପ୍ରଭାବକୁ ହ୍ରାସ କରିବା ପାଇଁ ଆମେ କ'ଣ ଏସିକୁ ସଠିକ୍ ଭାବରେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରୁଛେ? ଚନ୍ଦ୍ର ଭୂଷଣ କହିଛନ୍ତି ଯେ, ଭାରତରେ, ଯଦି ପ୍ରତି ଦୁଇ ବର୍ଷରେ ଏକ ଏସି'କୁ ପୁନଃଭରଣ କରାଯାଏ, ତେବେ ଏହା ଏକ ଯାତ୍ରୀବାହୀ କାର ପରି ସମାନ ପରିମାଣର ପ୍ରଦୁଷଣ ନିର୍ଗତ କରେ, ଯାହାର ଅର୍ଥ ହେଉଛି ଏସି ଏକ କାର୍ ପରି କ୍ଷତି କରୁଛି।
କେଉଁ ସହରରେ ହେଉଛି ଏସିର ଗ୍ୟାସ୍ ଭରଣା:
ଥିଙ୍କ୍ ଟ୍ୟାଙ୍କ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ, ପୁଣେ ଏବଂ ଜୟପୁରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ମଧ୍ୟରେ ଏକ ସର୍ଭେ କରିଥିଲା। ସର୍ଭେ ଫଳାଫଳରୁ ଜଣାପଡ଼ିଛି ଯେ ସହରୀକରଣ, ଆୟ ବୃଦ୍ଧି ଏବଂ ବର୍ଦ୍ଧିତ ଗରମ ଯୋଗୁଁ ଭାରତରେ ଏସିର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରାୟ ୮୦ ପ୍ରତିଶତ ଘରେ ପାଞ୍ଚ ବର୍ଷରୁ କମ୍ ପୁରୁଣା ଏସି ଏବଂ ୪୦ ପ୍ରତିଶତ ଘରେ ଦୁଇ ବର୍ଷରୁ କମ୍ ପୁରୁଣା ଏସି ଅଛି। ପ୍ରାୟ ୮୭ ପ୍ରତିଶତ ଘରେ କେବଳ ଗୋଟିଏ ଏସି ଅଛି ଯେତେବେଳେ ୧୩ ପ୍ରତିଶତ ଘରେ ଦୁଇଟିରୁ ଅଧିକ ଏସି ଅଛି। ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଦଶଟି ଏସି ମଧ୍ୟରୁ ଆଠଟି ବାର୍ଷିକ ରିଫିଲିଂ ଆବଶ୍ୟକ କରେ ଏବଂ ଏକ ତୃତୀୟାଂଶ ନୂଆ ମେସିନରେ ମଧ୍ୟ ଲିକେଜ୍ ଯୋଗୁଁ ଗ୍ୟାସ୍ ରିଫିଲିଂ ଆବଶ୍ୟକ ହୁଏ। ଏହି ସମସ୍ୟା ବିଶେଷ ଭାବରେ ଜୟପୁର (୮୮ ପ୍ରତିଶତ), ଦିଲ୍ଲୀ (୭୮ ପ୍ରତିଶତ), ପୁଣେ (୮୧ ପ୍ରତିଶତ) ଏବଂ ଚେନ୍ନାଇ (୭୩ ପ୍ରତିଶତ) ଭଳି ବଡ଼ ସହରରେ ଅଧିକ।