ନୂଆଦିଲ୍ଲୀ, ୯।୬: ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ରାଜ୍ୟ ଅସ୍ତବ୍ୟସ୍ତ । ଦିନ ବେଳେ ପ୍ରବଳ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକେ ଘରକୁ ଆସୁ ଆସୁ ଏସିକୁ ସବୁଠାରୁ କମ୍ ତାପମାତ୍ରା ଅର୍ଥାତ୍ ୧୬ କିମ୍ବା ୧୭ ଡିଗ୍ରୀରେ ସେଟ୍ କରିଦେଉଛନ୍ତି, ଫଳରେ ରୁମ୍‌ଟି ତୁରନ୍ତ ଥଣ୍ଡା ହୋଇଯିବ । ଆମେ ଭାବୁ ଯେ ଏହା ଦ୍ୱାରା ଶୀଘ୍ର ଆରାମ ମିଳିବ, କିନ୍ତୁ ବାସ୍ତବରେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଏତେ କମ୍ ତାପମାତ୍ରାରେ କ୍ରମାଗତ ଭାବେ ଏସି ଚଲାଇବା ଦ୍ୱାରା କେବଳ ଘରର ବିଦ୍ୟୁତ ବିଲ୍ ରକେଟ୍ ଗତିରେ ବଢ଼ିନଥାଏ, ବରଂ ଏହା ଆପଣଙ୍କୁ ଅସୁସ୍ଥ କରି ହସ୍ପିଟାଲର ଲମ୍ବା ବିଲ୍ ଦେବାକୁ ମଧ୍ୟ ବାଧ୍ୟ କରିପାରେ । ଆସନ୍ତୁ ଜାଣିବା ଏହି ଅଭ୍ୟାସ ଆମ ଶରୀରକୁ କିଭଳି କ୍ଷତି ପହଞ୍ଚାଇଥାଏ ।

୧. ଶରୀରକୁ ଲାଗେ 'ଥର୍ମାଲ ଶକ୍', କମିଯାଏ ରୋଗ ପ୍ରତିରୋଧକ ଶକ୍ତି:

ଯେତେବେଳେ ଆପଣ ବାହାରର ୪୦ ରୁ ୪୫ ଡିଗ୍ରୀ ପ୍ରବଳ ଖରାରୁ ସିଧାସଳଖ ଆସି ୧୬ ଡିଗ୍ରୀର ଅତ୍ୟଧିକ ଥଣ୍ଡା ରୁମ୍‌ରେ ବସନ୍ତି, ସେତେବେଳେ ଶରୀରକୁ ଏକ ଗମ୍ଭୀର 'ଥର୍ମାଲ ଶକ୍' ଲାଗିଥାଏ । ତାପମାତ୍ରାରେ ହଠାତ୍ ଆସୁଥିବା ଏହି ବଡ଼ ପରିବର୍ତ୍ତନକୁ ଆମ ଶରୀର ସହଜରେ ଗ୍ରହଣ କରିପାରେ ନାହିଁ । ଏହାଦ୍ୱାରା ରକ୍ତନଳୀଗୁଡ଼ିକ ହଠାତ୍ ସଙ୍କୁଚିତ ହୋଇଯାଏ, ଯାହା ରକ୍ତ ସଞ୍ଚାଳନ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବାକୁ ଲାଗେ । ଏହି କାରଣରୁ ଲୋକଙ୍କୁ ବାରମ୍ବାର ସର୍ଦ୍ଦି, କାଶ, ଜ୍ୱର ଏବଂ ଗଳା ସଂକ୍ରମଣ ଭଳି ସମସ୍ୟା ଦେଖାଦେଇଥାଏ ।

୨. ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀରେ ସମସ୍ୟା:

କ୍ରମାଗତ ଭାବେ ଅତି କମ୍ ତାପମାତ୍ରାରେ ବସିବା କିମ୍ବା ଶୋଇବା ଦ୍ୱାରା ଶରୀରର ମାଂସପେଶୀ ଏବଂ ଶିରା ପ୍ରଶିରା ଗମ୍ଭୀର ଭାବେ ପ୍ରଭାବିତ ହୁଏ । ୧୬-୧୭ ଡିଗ୍ରୀର ଥଣ୍ଡା ପବନ ସିଧାସଳଖ ଶରୀରରେ ବାଜିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ଜଡ଼ିତ ହେବା ସମସ୍ୟା ବଢ଼ିଯାଏ । ବିଶେଷ କରି ଯେଉଁମାନଙ୍କର ପୂର୍ବରୁ ଆର୍ଥ୍ରାଇଟିସ୍ କିମ୍ବା ସାଇନସ୍ ସମସ୍ୟା ରହିଛି, ସେମାନଙ୍କ ପାଇଁ ଏହି ସ୍ଥିତି ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଏହାଛଡ଼ା ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ଦେଖାଯାଏ, ଯାହା ଧୀରେ ଧୀରେ ମାଇଗ୍ରେନର ରୂପ ନେଇଥାଏ ।

୩. ତ୍ୱଚା ଏବଂ ଆଖିରେ ଶୁଷ୍କତା:

କମ୍ ତାପମାତ୍ରାରେ ଚାଲୁଥିବା ଏସି ରୁମ୍‌ର ବାୟୁମଣ୍ଡଳରୁ ସମସ୍ତ ଆର୍ଦ୍ରତାକୁ ଶୋଷି ନେଇଥାଏ । ପବନ ଶୁଷ୍କ ହେବା ଯୋଗୁଁ ଆପଣଙ୍କ ତ୍ୱଚା ଏବଂ ଆଖି ଉପରେ ଏହାର ବହୁତ ଖରାପ ପ୍ରଭାବ ପଡ଼େ । କ୍ରମାଗତ ଭାବେ ଶୁଷ୍କ ପବନରେ ରହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଓ କୁଣ୍ଡେଇ ହେବା ସମସ୍ୟା ଦେଖାଦିଏ । ଏହାସହ ଆଖିର ଆର୍ଦ୍ରତା କମିଯିବା ଯୋଗୁଁ 'ଡ୍ରାଏ ଆଇଜ୍' ସମସ୍ୟା ସୃଷ୍ଟି ହୁଏ, ଯାହା ଦ୍ୱାରା ଆଖି ପୋଡ଼ିବା ଏବଂ ଆଖି ନାଲି ପଡ଼ିବା ଭଳି ଅଭିଯୋଗ ଆସିଥାଏ ।

ଜାଣନ୍ତୁ ଏସି ଚଲାଇବାର ସଠିକ୍ ଉପାୟ କ’ଣ ?

ଡାକ୍ତର ଏବଂ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ଅନୁଯାୟୀ, ମାନବ ଶରୀର ପାଇଁ ୨୪ ରୁ ୨୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସବୁଠାରୁ ଉତ୍ତମ ଏବଂ ସ୍ୱାସ୍ଥ୍ୟକର ମାନନ୍ତି । ଏହି ତାପମାତ୍ରାରେ ଏସି ଚଲାଇବା ଦ୍ୱାରା ଶରୀର ଉପରେ କୌଣସି କୁପ୍ରଭାବ ପଡ଼େନାହିଁ ଏବଂ ରୁମ୍‌ରେ ମଧ୍ୟ ଭଲ କୁଲିଂ ବଜାୟ ରହିଥାଏ । ସବୁଠାରୁ ବଡ଼ କଥା ହେଉଛି, ୨୪ ଡିଗ୍ରୀରେ ଏସି ଚଲାଇଲେ ବିଦ୍ୟୁତ୍ ବ୍ୟବହାର ମଧ୍ୟ ଯଥେଷ୍ଟ କମ୍ ହୋଇଥାଏ, ଯାହା ଆପଣଙ୍କ ମାସିକ ବିଦ୍ୟୁତ ବିଲ୍‌କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।

ଆହୁରି ପଢ଼ନ୍ତୁ... ​​​​​​​Health Tips: ଏହି ଗୋଟିଏ ଭୁଲ୍ ଛାଡ଼ନ୍ତୁ, ସକାଳୁ ଉଠିଲେ ଲାଗିବନି ଦୁର୍ବଳ