ନୂଆଦିଲ୍ଲୀ, ୨୪।୭: ବ୍ରେକଅପ୍ ପରେ ନିଜ ପ୍ରିୟ ମଣିଷକୁ ଭୁଲି ଆଗକୁ ବଢ଼ିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ କଷ୍ଟକର ହୋଇଥାଏ । ସାଧାରଣତଃ ଲୋକେ ଏହି କଷ୍ଟକୁ ଭଲିବା ପାଇଁ ପରିବାର କିମ୍ବା ସାଙ୍ଗସାଥୀଙ୍କ ସାହାରା ନିଅନ୍ତି । ମାତ୍ର ଚୀନରେ ଏବେ ଏକ ନୂଆ ତଥା ବିଚିତ୍ର ଟ୍ରେଣ୍ଡ ଦେଖିବାକୁ ମିଳିଛି । ଛାଡ଼ପତ୍ର କିମ୍ବା ବ୍ରେକଅପ୍ ପରେ ପୁରୁଣା ସାଥୀଙ୍କୁ ନିଜ ଜୀବନକୁ ଫେରାଇ ଆଣିବା ପାଇଁ ସେଠାକାର ଯୁବତୀ ଓ ମହିଳାମାନେ 'ରିଲେସନସିପ୍ କୋଚ୍' ଙ୍କ ସାହାରା ନେଉଛନ୍ତି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।
୪୦ ହଜାରରୁ ଆରମ୍ଭ ହୋଇ ୩ ଲକ୍ଷ ଟଙ୍କାର ପ୍ୟାକେଜ୍:
ଦକ୍ଷିଣ ଚୀନର ଏକ ପ୍ରମୁଖ ସମ୍ବାଦପତ୍ର ‘ସାଉଥ୍ ଚାଇନା ମୋର୍ନିଂ ପୋଷ୍ଟ’ର ରିପୋର୍ଟ ଅନୁସାରେ, ଜଣେ ଯୁବତୀ ନିଜ ଏକ୍ସ-ବୟଫ୍ରେଣ୍ଡଙ୍କୁ ଫେରାଇ ଆଣିବା ପାଇଁ ଜଣେ କୋଚ୍ଙ୍କ ସହ ଯୋଗାଯୋଗ କରିଥିଲେ । ମାସିକ ଗାଇଡେନ୍ସ ପାଇଁ କୋଚ୍ ତାଙ୍କଠାରୁ ୩,୫୦୦ ୟୁଆନ୍ ନେଇଥିଲେ, ଯାହା ଭାରତୀୟ ମୁଲ୍ୟରେ ପ୍ରାୟ ୪୦ ହଜାର ଟଙ୍କା । କେତେକ ପ୍ରିମିୟମ୍ କୋଚିଂ ପ୍ୟାକେଜ୍ ପାଇଁ ଏହି ଫି ୩,୦୦୦ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି । ସେହି ଯୁବତୀଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କ ସହ ୯୦ ମିନିଟ୍ ମାଗଣାରେ କଥାବାର୍ତ୍ତା କରାଯାଇ ତାଙ୍କ ବିଶ୍ୱାସ ଜିତିଥିଲେ । ପରେ ତାଙ୍କୁ ଗୋଟିଏ ମାସର ପ୍ୟାକେଜ୍ ବିକ୍ରି କରାଗଲା, ଯେଉଁଥିରେ କିଛି ନିୟମ ପାଳନ କରିବାକୁ କୁହାଯାଇଥିଲା । ୨୧ ଦିନ ପର୍ଯ୍ୟନ୍ତ ଏକ୍ସ-ବୟଫ୍ରେଣ୍ଡଙ୍କ ସହ କୌଣସି ଯୋଗାଯୋଗ କରାଯିବ ନାହିଁ । ସୋସିଆଲ ମିଡିଆରେ କିପରି ଫଟୋ କିମ୍ୱା ପୋଷ୍ଟ ସେୟାର କରିବେ ଏବଂ କେବେ ମେସେଜର ଉତ୍ତର ଦେବେ, ସେନେଇ କୋଚ୍ ସ୍ୱତନ୍ତ୍ର ଟିପ୍ସ ଦେଇଥିଲେ । ସମସ୍ତ ନିୟମ କୋଠର ଭାବେ ପାଳନ କରିବା ପରେ ମଧ୍ୟ ଯୁବକ ଜଣକ ସେହି ଯୁବତୀଙ୍କୁ ଚାଟ୍ ଆପ୍ରୁ ବ୍ଲକ୍ କରିଦେଇଥିଲେ । ପରବର୍ତ୍ତୀ ସମୟରେ କୋଚ୍ ଜଣକ ନିଜର ବିଫଳତା ସ୍ୱୀକାର ନକରି ଓଲଟା ୧.୧୫ ଲକ୍ଷ ଟଙ୍କାର ଅନ୍ୟ ଏକ ଦାମୀ ପ୍ୟାକେଜ୍ ନେବାକୁ ପରାମର୍ଶ ଦେଇଥିଲେ ।
ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତାଣ୍ଡବ: ପୁଣି ବିଶ୍ୱବ୍ୟାପୀ ଶକ୍ତି ସଂକଟ ଆଶଙ୍କା, ପେଟ୍ରୋଲ, ଡିଜେଲ ଓ ପୁଞ୍ଜି ବଜାର ଉପରେ ଚାପ
ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ#getbacktogether #datingskills ହ୍ୟାସଟ୍ୟାଗର ଟ୍ରେଣ୍ଡ ଚାଲିଛି । ସାମାଜିକ ଓ ପାରିବାରିକ ଚାପ ଯୋଗୁଁ ବ୍ରେକଅପ୍ ପରେ ଯୁବତୀମାନେ ନିଜକୁ ଏକାକୀ ମନେକରୁଛନ୍ତି । ଏହି ମାନସିକ ଦୁର୍ବଳତାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ 'ରିଲେସନସିପ୍ କୋଚିଂ' ନାମରେ ରୀତିମତ ଲୁଟ୍ ଚଳାଇଛନ୍ତି । ମନୋବିଜ୍ଞାନୀ ଏବଂ ବିଶେଷଜ୍ଞଙ୍କ ଅନୁସାରେ, ୨୦୧୬ ମସିହାରେ ଚୀନରେ ମାତ୍ର ୧୮ ହଜାର ମାନସିକ ପରାମର୍ଶଦାତା କମ୍ପାନୀ ଥିବାବେଳେ, ବର୍ତ୍ତମାନ ଏହା ବୃଦ୍ଧି ପାଇ ୧.୬ ଲକ୍ଷରୁ ଅଧିକ ହୋଇସାରିଛି । ଗ୍ରାହକ ଅଭିଯୋଗ ମଞ୍ଚଗୁଡ଼ିକରେ ଏହିସବୁ କୋଚିଂ ସଂସ୍ଥା ବିରୋଧରେ ହଜାର ହଜାର ଅଭିଯୋଗ ଦାଖଲ ହେବା ପରେ ଏବେ ଏହି ଇଣ୍ଡଷ୍ଟ୍ରିର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।