ଭୁବନେଶ୍ୱର,୧୮/୧୧: କେନ୍ଦ୍ରରେ ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ମନୋଜ କୁମାର ସାହୁ ଇଣ୍ଟର କ୍ୟାଡର୍‌ ଡେପୁଟେସନ୍‌ରେ ଓଡ଼ିଶା ଆସିବେ । ସେଥି ପାଇଁ ତାଙ୍କୁ କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟିର କାର୍ମିକ ବିଭାଗ ପକ୍ଷରୁ  ଅନୁମତି ମିଳିଛି । ୨୦୦୬ ବ୍ୟାଚ୍‌  ଆଇଏଏସ୍‌ ଶ୍ରୀ ସାହୁ ଅରୁଣାଚଳ  ପ୍ରଦେଶ, ଗୋଆ, ମିଜୋରାମ ଏବଂ  କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡର୍‌ ଅଧିକାରୀ । ଶନିବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି । 

ଶ୍ରୀ ସାହୁ ଜଗତସିଂହପୁର  ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମ ବାସିନ୍ଦା । ବିଭିନ୍ନ ସମ୍ବେଦନଶୀଳ  ଜିଲ୍ଲାରେ ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି  ମନ୍ତ୍ରଣାଳୟରେ ହର ଘର ଜଲ୍‌ରେ କାମ  କରି ପ୍ରଶଂସିତ ହୋଇଛନ୍ତି । ମୋହନ  ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ  ଗ୍ରହଣ କରିବା ସମୟରେ ଶ୍ରୀ ସାହୁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରି ଭାବେ ତାଙ୍କୁ ଡେପୁଟେସନରେ  ଅଣାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ  ପଦବିରେ ଅବସ୍ଥାପିତ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।