ଭଞ୍ଜନଗର ୧୩/୬ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଠାରୁ ମାତ୍ର ୧୦ କିମି ଦୂର ପଞ୍ଚଭୂତି ନିକଟ ରାଜ୍ୟ ରାଜପଥ ନମ୍ବର ୨୧ରେ ଏକ ସଡକ ଦୁର୍ଘଟଣା ହୋଇଛି। ଏଥିରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ବେଳେ ପଛରେ ବସିଥିବା ପତ୍ନୀଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୁଚନା ପ୍ରକାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧୀନ ସୁଗଡ଼ବାଡି ଗ୍ରାମର ଦମ୍ପତି ଇନ୍ଦିରା ସାହୁ ଓ ତାଙ୍କ ସ୍ୱାମୀ ରଂଜିତ ସାହୁ ନିଜର ସ୍କୁଟି (ନମ୍ବର -ଓଡି ୦୭ ଏଚ୍ ୪୬୯୫) ଯୋଗେ ନୟାଗଡ ଠାରୁ ନିଜ ଗାଁ ଅଭିମୁଖେ ଫେରୁଥିବା ବେଳେ ସ୍କୁଟିଟି ଭାରସାମ୍ୟ ହରାଇ ପଞ୍ଚଭୂତି ନିକଟରେ ଓଲଟି ପଡିବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଦମକଳ ବାହିନୀ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଇନ୍ଦିରା ସାହୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ରଂଜିତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ଶେଷ ସୁଦ୍ଧା ମୃତକଙ୍କ ଭଉଣୀଙ୍କ ଅଭିଯୋଗ କ୍ରମେ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିବା ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ସୂଚନା ଦେଇଛନ୍ତି।