ଲାଞ୍ଜିଗଡ,୧୬/୯(ଆପ୍ର)କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳା ଜଣକ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି।
ମହିଳା ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ ଗତ ଶନିବାର ପୂର୍ବାହ୍ନରେ ନିଜ ଘର ଛାତ ପକାଇବା ପାଇଁ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ରୁହି କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ଲାଞ୍ଜିଗଡ ବ୍ଳକ ଲାଖବାହିଲି ପଞ୍ଚାୟତ ବୁଣ୍ଡେଲ ଗ୍ରାମର ନୀଳକଣ୍ଠ ହରିଜନ(୫୫) ପଛପଟୁ ଆସି ମହିଳାଙ୍କ ହାତ ଧରି ଦେଇଥିଲା।ମହିଳା ଜଣକ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ସେ ଛାଡି ନଥିଲା।ଶେଷରେ ମହିଳା ଜଣକ ନୀଳକଣ୍ଠ ଠେଲିଦେଇ ସେଠାରୁ ଖସି ଘରକୁ ଚାଲିଆସିଥିଲେ। ନୀଳକଣ୍ଠ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ପାଇଁ ଏଭଳି କରିଥିବା ନେଇ ମହିଳା ଜଣକ ଶନିବାର ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ନୀଳକଣ୍ଠଙ୍କୁ ଥାନାରେ ଅଟକ ରଖିଛି। ଯଦି ନୀଳକଣ୍ଠକୁ ଉଚିତ ଦଣ୍ଡ ନଦେଇ ପୋଲିସ ଛାଡିଦିଏ ତେବେ ମୋତେ ଓ ମୋର ପରିବାର ଜୀବନ ପ୍ରତି ବିପଦ ଅଛି ବୋଲି ଗଣମାଧ୍ୟମ ସମ୍ମୁଖରେ ମହିଳା ଜଣକ କହିଛନ୍ତି। ଏନେଇ ବିଜେପୁର ଥାନା ଅଧିକାରୀ ନିଳାମ୍ବର ଜାନୀଙ୍କୁ ପଚାରିବାରୁ ମହିଳାଙ୍କ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ନୀଳକଣ୍ଠଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି।