ଫୁଲବାଣୀ,୧୪/୫ : ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୧୧ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧ବର୍ଷ ୩ ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାଲିଗୁଡ଼ା ଥାନା ନୂଆସାହି- ପିପଲସାହିର ତାଜୁ ନାୟକ(୨୫)।
ସୂଚନା ଅନୁସାରେ ଗତ ୨୦୨୧ଜୁନ ୧୪ତାରିଖରେ ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ଇଛା ବିରୁଦ୍ଧରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାପରେ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବ୍ଳାକ୍ ମେଲିଂ ସହିତ ଏସିଡ୍ ପକାଇ ଦେବି କହି ଛୁରୀ ଦେଖାଇ ଦୁଷ୍କର୍ମ କରି ଚାଲିଥିଲା। ପୀଡିତା ଗର୍ଭବତୀ ହେବା ପରେ ସେ ଗର୍ଭପାତ ମଧ୍ୟ କରାଇଥିଲା।
ପରେ ଗ୍ରାମ୍ୟ କମିଟିର ନିଷ୍ପତ୍ତି କ୍ରମେ ପିଡୀତାକୁ ସ୍ତ୍ରୀ ରୂପେ ଗ୍ରହଣ କରି ଘରକୁ ନେଇଥିଲା। କିନ୍ତୁ କିଛି ଦିନ ପରେ ଗାଳିଗୁଲଜ ଏବଂ ଶାରିରୀକ ନିର୍ଯାତନା ଦେଇ ବାପ ଘରୁ ଧନ ସମ୍ପତ୍ତି ଆଣିବାକୁ କହି ଘରୁ ବାହାର କରି ଦେଇଥିଲା। ଫଳରେ ପୀଡିତା ଜଣଙ୍କ ୧୦-୫-୨୦୨୩ରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୧୨୩/ ୨୩ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାମଲାକୁ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପି.ପି.ବନମାଳୀ ବେହେରା ପରିଚାଳନା କରୁଥିଲେ।