ମୁମ୍ବାଇ,୨୧/୨ : ଓଟିଟି ପ୍ଲାଟଫର୍ମରେ ସସ୍ପେନ୍ସରେ ଭରି ରହିଥିବା ଏକ କାହାଣୀ ଆସିବାକୁ ଯାଉଛି । ନେଟଫ୍ଲିକ୍ସରେ ନୂଆ ଫିଲ୍ମ ‘ଆକ୍ୟୁଜ୍ଡ’ର ଦମଦାର୍ ଟ୍ରେଲର ରିଲିଜ୍ ହୋଇଛି । ଯାହା ରିଲିଜ୍ ହେବା ମାତ୍ରକେ ଢେର ସାରା ଚର୍ଚ୍ଚା ସାଉଣ୍ଟିଛି । ଫେବୃଆରୀର ଆରମ୍ଭରେ ମେକର୍ସ ଫିଲ୍ମର ସୂଚନା ଦେଇଥିଲେ ଏବଂ ଏବେ ଏହି ଫିଲ୍ମ ୨୭ଫେବୃଆରୀରେ ଓଟିଟିରେ ଷ୍ଟ୍ରିମିଂ ହେବାରେ ଅଛି । ଫିଲ୍ମର କାହାଣୀ ଜଣେ ସଫଳ ଡକ୍ଟରଙ୍କ ଜୀବନରେ ଆସିଥିବା ବିଭିନ୍ନ ସମସ୍ୟାକୁ ନେଇ ଦେଖାଯାଇଛି । ଯାହା ଏକ ଅଭିଯୋଗ ପରେ ସବୁ କିଛି ବଦଳି ଯାଉଛି ।

ପ୍ରାୟ ଦୁଇ ମିନିଟର ଏହି ଟ୍ରେଲରରେ ଜଣେ ଗାୟନୋକୋଲୋଜିଷ୍ଟ ଏବଂ ସର୍ଜନ ଡ.ଗୀତିକା ସେନ ଅଚାନକ ନିଜକୁ କାଠଗଡ଼ାରେ ପାଉଛନ୍ତି । ତାଙ୍କ ଉପରେ ସେକ୍ସୁଆଲ ମିସକଣ୍ଡକ୍ଟର ଅଭିଯୋଗ ଲାଗୁଛି ଏବଂ ଏହାପରେ ତାଙ୍କ ଜୀବନ ଛାରଖାର ହୋଇଯାଉଛି । ଗଣମାଧ୍ୟମ, ସୋସିଆଲ ମିଡ଼ିଆ ଏବଂ ପବ୍ଲିକ୍ ଓପିନିଅନ ମିଶି ତାଙ୍କ ଉପରେ ଚାପ ପକାଉଛନ୍ତି । ଫଳରେ ସତ କ’ଣ ମିଛ କ’ଣ, ଏହା ବୁଝିବା ବହୁ କଷ୍ଟ ହୋଇଯାଉଛି । ଯାଞ୍ଚ ଆଗକୁ ଯାଉଛି ତ ତାଙ୍କର ନିଜ ସମ୍ପର୍କରେ ବି ଫାଟ ଦେଖାଯାଉଛି । ବିଶେଷ କରି ତାଙ୍କ ପାର୍ଟନର ମୀରାଙ୍କ ସହ ବିବାଦ ସ୍ପଷ୍ଟ ଭାବେ ଦେଖାଯାଉଛି । ଫିଲ୍ମରେ ଡ. ଗୀତିକାଙ୍କ ଭୂମିକା କେଙ୍କଣା ସେନ ଶର୍ମା ନିଭାଇଛନ୍ତି ଏବଂ ମୀରାଙ୍କ ଚରିତ୍ର ପ୍ରତିଭା ରଣ୍ଟା କରିଛନ୍ତି ।