ଇନ୍ଦୋର: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ବୁଧବାର ରାଜାଙ୍କ ଘରେ ପହଞ୍ଚି ଏହି ଘଟଣାକୁ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟର ଖୁଲାସା କରିଛନ୍ତି। ଗୋବିନ୍ଦ କହିଛନ୍ତି ଯେ, ସୋନମ୍ ତାଙ୍କ କଥିତ ପ୍ରେମିକ ରାଜ କୁଶଓ୍ଵାହାଙ୍କୁ ରାଖୀ ବାନ୍ଧୁଥିଲେ ଏବଂ ରାଜ ତାଙ୍କୁ ‘ଦିଦି’ ବୋଲି ଡାକୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି ସୋନମ୍ ଦୋଷୀ ସାବ୍ୟସ୍ତ ହୁଏ, ତାକୁ ଫାଶୀ ଦିଆଯାଉ। ମୁଁ ରାଜାଙ୍କ ପରିବାରଙ୍କ ନିକଟରେ କ୍ଷମା ମାଗୁଛି।”
ଆପଣଙ୍କି ଜଣାଇରଖୁ ଯେ ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ରାଜା ରଘୁବଂଶୀ ଓ ସୋନମ୍ ରଘୁବଂଶୀଙ୍କ ବିବାହ ଗତ ମଇ ୧୧ ତାରିଖରେ ହୋଇଥିଲା। ହନିମୁନ୍ ପାଇଁ ଉଭୟ ସ୍ୱାମୀ’ସ୍ତ୍ରୀ ମେଘାଳୟ ଗସ୍ତ କରିଥିଲେ। ଗତ ମଇ ୨୩ ତାରିଖରେ ଉଭୟ ନିଖୋଜ ହେବା ପରେ ୨ ଜୁନ୍ରେ ରାଜାଙ୍କ ମୃତଦେହ ମେଘାଳୟର ଏକ ଖାଇରୁ ଉଦ୍ଧାର କରାଯାଇଥିଲା। ମେଘାଳୟ ପୁଲିସ୍ ଦାବି କରିଛି ଯେ, ସୋନମ୍ ଏବଂ ତାଙ୍କ କଥିତ ପ୍ରେମିକ ରାଜ କୁଶଓ୍ଵାହା ଏହି ହତ୍ୟାର ମୂଖ୍ୟ ଷଡଯନ୍ତ୍ରକାରୀ। ତେବେ ଗତ ଜୁନ୍ ୮ ତାରିଖରେ ସୋନମ୍ ଉତ୍ତରପ୍ରଦେଶର ଗାଜିପୁରରେ ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ।
ତେବେ ଏହି ପରିପ୍ରେକ୍ଷିରେ ରାଜାଙ୍କ ଘରେ ପହଞ୍ଚି ଗୋବିନ୍ଦ କହିଛନ୍ତି ଯେ, “ବର୍ତ୍ତମାନର ପ୍ରମାଣ ଅନୁଯାୟୀ, ମୁଁ ୧୦୦% ନିଶ୍ଚିତ ଯେ ସୋନମ୍ ଏହି ହତ୍ୟା କରିଛି। ଆମେ ତା’ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛୁ।“ ସେ ରାଜ କୁଶଓ୍ଵାହାଙ୍କ ସହ ସୋନମ୍ଙ୍କ ସମ୍ପର୍କକୁ ନେଇ କହିଛନ୍ତି, “ଗତ ତିନି ବର୍ଷ ଧରି ସୋନମ୍ ରାଜଙ୍କୁ ରାଖୀ ବାନ୍ଧୁଥିଲା। ରାଜ ତାକୁ ‘ଦିଦି’ ବୋଲି ଡାକୁଥିଲା।”ଗୋବିନ୍ଦ ଉତ୍ତରପ୍ରଦେଶ ପୁଲିସ୍ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ସୋନମ୍ଙ୍କୁ ଭେଟିବାକୁ ଦିଆଯାଇ ନଥିଲା।
ମେଘାଳୟ ପୁଲିସ୍ ସୋନମ୍, ରାଜ କୁଶଓ୍ଵାହା ଏବଂ ଅନ୍ୟ ତିନି ଅଭିଯୁକ୍ତ ଆକାଶ ରାଜପୁତ, ବିଶାଲ ସିଂ ଚୌହାନ ଓ ଆନନ୍ଦ କୁର୍ମୀଙ୍କୁ ଗିରଫ କରିଛି। ପୁଲିସ୍ ଅନୁଯାୟୀ, ସୋନମ୍ ଓ ରାଜ ମିଶି ରାଜାଙ୍କ ହତ୍ୟା ପାଇଁ ୨୦ ଲକ୍ଷ ଟଙ୍କାର ଚୁକ୍ତି କରିଥିଲେ। ଅଭିଯୁକ୍ତଙ୍କ ପାଖରୁ ରକ୍ତଲଗା ପୋଷାକ, ଖୁକୁରୀ (ହତ୍ୟାରେ ବ୍ୟବହୃତ ଅସ୍ତ୍ର) ଓ ଅନ୍ୟାନ୍ୟ ପ୍ରମାଣ ଜବତ ହୋଇଛି। ସୋନମ୍ ଗାଜିପୁରରେ ଆତ୍ମସମର୍ପଣ କରି ଦାବି କରିଥିଲେ ଯେ, ତାଙ୍କୁ ଡ୍ରଗ୍ ଦିଆଯାଇ ଅପହରଣ କରାଯାଇଥିଲା, କିନ୍ତୁ ପୁଲିସ୍ ଏହାକୁ ଖାରଜ କରିଛି।
ରାଜାଙ୍କ ମାଆ ଉମା ରଘୁବଂଶୀ କହିଛନ୍ତି ଯେ, “ଗୋବିନ୍ଦ କହିଛନ୍ତି ସୋନମ୍କୁ ଫାଶୀ ଦିଆଯାଉ। ସେ ରାଜା ପାଇଁ ଦୁଃଖୀ, ସୋନମ୍ ଙ୍କ ପାଇଁ ନୁହେଁ।”ରାଜାଙ୍କ ଭାଇ ବିପିନ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାରେ ୫ ଜଣରୁ ଅଧିକ ଅଭିଯୁକ୍ତ ସାମିଲ ଅଛନ୍ତି ଏବଂ ସୋନମ୍ଙ୍କ ମାଆ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ। ସେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।
ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ସୋନମ୍ଙ୍କ ବିରୋଧରେ ଜନସାଧାରଣରେ ତୀବ୍ର ବିରୋଧାଭାଷ ଦେଖାଦେଇଛି। ଅନ୍ୟପକ୍ଷରେ, ରାଜାଙ୍କ ଭଉଣୀ ସୃଷ୍ଟି ରଘୁବଂଶୀ ସୋସିଆଲ ମିଡିଆରେ ପ୍ରୋମୋସନାଲ କଣ୍ଟେଣ୍ଟ ପୋଷ୍ଟ କରିବା ନେଇ ଟ୍ରୋଲ୍ର ଶିକାର ହୋଇଛନ୍ତି। ତେବେ ଏ ଘଟଣା ନେଇ ତଦନ୍ତ ଜାରି ରହିଛି ଏବଂ ପୁଲିସ୍ ଏନେଇ ଅଧିକ ପ୍ରମାଣ ସଂଗ୍ରହ କରୁଛି। ଏହି ମାମଲାରେ ଆଗକୁ ଆହୁରି ଅଧିକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିବ ବୋଲି ସମ୍ଭାବନା ରହିଛି।