ଶ୍ରୀନଗର : କାଶ୍ମୀରରେ ପ୍ରତିବନ୍ଧିତ ସଂଗଠନ ଜମାତ୍-ଏ-ଇସଲାମୀର ବିରୋଧରେ କାର୍ଯ୍ୟାନୁଷ୍ଠାନ। ଏହି ଅନୁସାରେ ପୁଲିସ ଅନେକ ସ୍ଥାନରେ କରିଛି ଚଢାଉ। ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି। ସେ କହିଛନ୍ତି ଯେ, ଏହି ଚଢାଉ ଶ୍ରୀନଗର , ଅନନ୍ତନାଗ , ପୁଲୱାମା , ଶୋପିୟାନ , କୁଲଗାମ, ବଡଗାମ ଓ କୁପୱାଡା ଜିଲ୍ଲା ଗୁଡ଼ିକରେ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କୀ ନେଟୱର୍କ ଓ ଏହାକୁ ସମର୍ଥନ କରୁଥିବା ଲୋକଙ୍କୁ ଭାଙ୍ଗିବା ପ୍ରୟାସ ସ୍ୱରୂପ ଜେଇଆଇ ସଦସ୍ୟ ଓ ସେମାନଙ୍କ ସହଯୋଗୀଙ୍କ ବାସସ୍ଥାନ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳ ଗୁଡ଼ିକୁ ଟାର୍ଗେଟ୍ କରାଯାଇ ଥିଲା।
ସେମାନେ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ଏହି ଗୁଇନ୍ଦା ସୂଚନା ପାଇବା ପରେ କରାଯାଇଛି ଯେ, ଜେଇଆଇର କିଛି ସଦସ୍ୟ ରାଷ୍ଟ୍ର-ବିରୋଧୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି। ଅଧିକାରୀଙ୍କ ଅନୁସାରେ, ସଙ୍ଗଠନ ଓ ଏହା ସହ ଜଡିତ ସଂସ୍ଥା ସହ ଜଡ଼ିତ ଲୋକଙ୍କ ଘରୁ ଇଲେକ୍ଟ୍ରୋନିକ୍ ଉପକରଣ , କାଗଜପତ୍ର ଓ ବହି ଜବତ କରାଯାଇଛି। ସେମାନେ କହିଛନ୍ତି ଯେ, ମିଳିଥିବା ସବୁ ସାମଗ୍ରୀକୁ ବିସ୍ତୃତ ଭାବେ ଯାଞ୍ଚ ପାଇଁ ଜବତ କରି ନିଆ ଯାଇଛି। ଶ୍ରୀନଗରରେ, ପୁଲିସ ଜମାତ-ଏ-ଇସଲାମୀର ସହଯୋଗୀଙ୍କ ଘର ଓ ବ୍ୟବସ୍ଥା ଉପରେ ଚଢାଉ କରିଛି।
ଅଧିକାରୀମାନେ କହିଛନ୍ତି ଯେ, ଧନପୋରାର ଉମର ସୁଲତାନ ଗୁରୁ, ବର୍ତ୍ତମାନ ଶ୍ରୀନଗରର ମନ୍ଦିର ବାଗଘାଟରେ ରହୁଥିବା ବଡଗାମର ମହମ୍ମଦ ଅବଦୁଲ୍ଲା ଭାନି, ବେମିନାର ଗୁଲାମ ମହମ୍ମଦ ଭଟ , ଲାଲ ବଜାରର ମହମ୍ମଦ ରମଜାନ ନାଇକ ଓରଫ ଫହିମ , ହରୱାନର ବଶୀର ଅହମ୍ମଦ ଲୋନ୍ ଓ ନୌଗାମ ସ୍କ୍ୱୋୟାରର ମଞ୍ଜୁର ଅହମ୍ମଦଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ତଲାସୀ ନିଆଯାଇଛି।