ମୁମ୍ବାଇ,୨୨/୧୦: ଅଭିନେତା ତଥା ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଜଣେ ପୂର୍ବତନ ଦଳର ସଦସ୍ୟ ଇଣ୍ଡିଆ ଟୁଡେକୁ ଏହି ଖବର ନିଶ୍ଚିତ କରିଛନ୍ତି। ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କୁ ଦୁଃଖିତ କରିଛି।
ତେବେ ଋଷଭ ତାଙ୍କ ପତ୍ନୀଙ୍କ ସହ ମୁମ୍ବାଇରେ ରହୁଥିଲେ। ସେ ତାଙ୍କ ପରିବାର ସହିତ ଦୀପାବଳି ପାଳନ କରିବାକୁ ଦିଲ୍ଲୀ ଆସିଥିଲେ। କିନ୍ତୁ କିଏ ଜାଣିଥିଲା ଏହା ତାଙ୍କ ପରିବାର ସହିତ ରିଷଭଙ୍କ ଶେଷ ଦୀପାବଳି ହେବ? ଏହି କଷ୍ଟକର ସମୟରେ ଅଭିନେତାଙ୍କ ପରିବାର ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି। ଅଭିନେତାଙ୍କ ଶେଷକୃତ୍ୟ ଏପର୍ଯ୍ୟନ୍ତ କରାଯାଇ ନାହିଁ। ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରକାଶ ଥାଉକି, ଋଷଭ ପେଶାରେ ଜଣେ ଗାୟକ, ସଂଗୀତକାର ଏବଂ ଅଭିନେତା ଥିଲେ। ସେ ତାଙ୍କର ଶାନ୍ତ ଆଚରଣ ଏବଂ ସଙ୍ଗୀତ ପ୍ରତି ପ୍ରେମ ପାଇଁ ଜଣାଶୁଣା ଥିଲେ। ସେ ୨୦୦୮ ମସିହାରେ ଟି-ସିରିଜ୍ ଆଲବମ୍ "ଫିର୍ ସେ ୱାହି" ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଋଷଭ "ଫକୀର - ଲିଭିଂ ଲିମିଟେଡ୍ ଲେସ୍" ଏବଂ "ରୁଷ୍ଣା: ଦି ରେ ଅଫ୍ ଲାଇଟ୍" ଭଳି ସିନେମାରେ କାମ କରିଛନ୍ତି।
ତାଙ୍କର ହିଟ୍ ଗୀତଗୁଡ଼ିକ ମଧ୍ୟରେ "ୟେ ଆଶିକି," "ଚାନ୍ଦ ତୁ," ଏବଂ "ଫକୀର କି ଜୁବାନି" ଅନ୍ତର୍ଭୁକ୍ତ। ତାଙ୍କ କାମ ବ୍ୟତୀତ, ଋଷଭ ପଶୁମାନଙ୍କୁ ଭଲ ପାଉଥିଲେ । ତାଙ୍କ ମୁମ୍ବାଇ ଘରେ ଅନେକ ବିଲେଇ, କୁକୁର ଏବଂ ପକ୍ଷୀ ଥିଲେ। ଋଷଭଙ୍କର ନାମ ଥରେ ଅଭିନେତ୍ରୀ ସାରା ଖାନଙ୍କ ସହ ଯୋଡା ଯାଇଥିଲା। ସେମାନଙ୍କ ସିନ୍ଦୁର ପିନ୍ଧିଥିବା ଏକ ଫଟୋ ଭାଇରାଲ ହୋଇଥିଲା, ଯାହା ସେମାନଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି କରିଥିଲା। ତଥାପି, ଦୁହେଁ ପରେ ସ୍ପଷ୍ଟ କରିଥିଲେ ଯେ, ସେମାନେ ବିବାହ କରିନାହାଁନ୍ତି। ଅଭିନେତା ଋଷୀୟ ମହିଳା ଓଲେସ୍ୟା ନେଡୋବେଗୋଭାଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେଟ୍ରେ ଭେଟିଥିଲେ। ଓଲେସ୍ୟା ଋଷଭଙ୍କ ଡିଜିଟାଲ୍ ସିରିଜ୍ରେ ଲାଇନ୍ ପ୍ରଯୋଜକ ଭାବରେ କାମ କରୁଥିଲେ। ଏହି ଦମ୍ପତି ମାର୍ଚ୍ଚ ୨୦୨୩ରେ ବିବାହ କରିଥିଲେ।