ଭୁବନେଶ୍ୱର,୦୭/୦୭: ଟ୍ରାଫିକ୍‌  ପୁଲିସ ଭଳି ଧଳା ସାର୍ଟ, ନୀଳ ପ୍ୟାଣ୍ଟ ସାଙ୍ଗକୁ ମୁଣ୍ଡରେ ଧଳା ଟୋପି ପିନ୍ଧିଥିଲେ ବିଧାୟକ ତଥା ଓଲିଉଡ ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର । ରାଜଧାନୀ ରାଜରାସ୍ତାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ପ୍ରମୋ ଭିଡିଓ ସୁଟିଂରେ ବ୍ୟସ୍ତ ଥିଲେ । ଏତିକିବେଳେ ୨ଜଣ ଯୁବକ ବିନା ହେଲମେଟ୍‌ରେ ବାଇକ୍‌ରେ ଯାଉଥିବା ତାଙ୍କ ନଜରରେ ପଡିଥିଲା । ସେ ସଙ୍ଗେ ସଙ୍ଗେ ରିଅଲ ଟ୍ରାଫିକ୍‌ ପୁଲିସ ସାଜି ଦୁଇ ଅମାନିଆଙ୍କୁ ରାସ୍ତାରେ ଅଟକାଇଥିଲେ ଆଉ ହେଲମେଟ୍‌ ପିନ୍ଧିବା ଓ ଦ୍ରୁତଗତିରେ ଗାଡି  ନ ଚଳାଇବା ପାଇଁ ସଚେତନ କରାଇଲେ । ଏହିଭଳି ସିଦ୍ଧାନ୍ତ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି।

ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)  ପକ୍ଷରୁ ବିଧାୟକଙ୍କୁ ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି । କିଛି ଦିନ  ତଳେ ସେ ପୋଡକାଷ୍ଟ ମାଧ୍ୟମରେ ନାନା ସଚେତନମୂଳକ ବାର୍ତ୍ତା ବଖାଣି ଗାଡିଚାଳକଙ୍କୁ ସଚେତନ କରାଇଥିଲେ । ଏବେ ଏସ୍‌ଟିଏ  ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ ଏକ ପ୍ରମୋ ଭିଡିଓ ପ୍ରସ୍ତୁତ କରାଯାଉଛି ।  ଏଥିପାଇଁ ଭୁବନେଶ୍ୱର ଇନ୍‌ଫୋସିଟି ଛକ  ରାସ୍ତାରେ ରବିବାର ପୂର୍ବାହ୍ମରେ ସୁଟିଂ ଚାଲିଥିଲା ।  ଟ୍ରାଫିକ୍‌ କନଷ୍ଟେବଳ ବେଶରେ ସୁଟିଂରେ ବ୍ୟସ୍ତ ଥିବା ସିଦ୍ଧାନ୍ତଙ୍କ ନଜର ଦୁଇ ଅମାନିଆଙ୍କ  ଉପରେ ପଡିଥିଲା। ସେ ସୁଟିଂ ଛାଡ଼ି ସେମାନଙ୍କୁ  ରାସ୍ତାରେ ଅଟକାଇ ହେଲମେଟ୍‌ ପିନ୍ଧିବାକୁ  ବୁଝାଉଥିଲେ । ଦୁଇ ଜଣଙ୍କ ସହ ସେଲ୍ଫି ବି  ନେଇଥିଲେ। କେହି ଜଣେ ଏହାକୁ ରେକର୍ଡିଂ  କରି ନିଜ ମୋବାଇଲ୍‌ରେ ଉତ୍ତୋଳନ  କରିନେଇଥିଲେ । ଯାହାକି ଏବେ ଫେସ୍‌ବୁକ୍‌, ଏକ୍ସରେ ଭାଇରାଲ୍‌ ହେଉଛି । ସିଦ୍ଧାନ୍ତ  ସବୁବେଳେ ସଡ଼କ ସୁରକ୍ଷା ପାଇଁ ପ୍ରତିବଦ୍ଧ ।