ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତ୍ରୀ ଏବଂ କୀର୍ତ୍ତି କିଷାନ ୟୁନିଅନ ନେତା ବଳଦେବ ସିଂହଙ୍କ ଝିଅ ସୋନିଆ ମାନ ରବିବାର ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଆମ୍‌ ଆଦମୀ ପାର୍ଟି (AAP)ରେ ଯୋଗ ଦେଇଛନ୍ତି । ନୂଆ ସଦସ୍ୟଙ୍କୁ ସ୍ୱାଗତ କରି AAP ର ପଞ୍ଜାବ ୟୁନିଟ୍ ଏକ୍ସରେ ପୋଷ୍ଟ କରିଛି ଯେ, ‘କୀର୍ତ୍ତି କିଷାନ ୟୁନିଅନ ନେତା ଏସ ବଳଦେବ ସିଂହ ଜୀଙ୍କ ଝିଅ ଏବଂ ପଞ୍ଜାବୀ ଅଭିନେତ୍ରୀ ସୋନିଆ ମାନ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କୁ ଆମ ଆଦମୀ ପାର୍ଟି ପରିବାରକୁ ସ୍ୱାଗତ କରୁଛୁ।’




ସୋନିଆ ମାନ କିଏ?

ପଞ୍ଜାବ ଚଳଚ୍ଚିତ୍ର ଶିଳ୍ପ ବ୍ୟତୀତ, ସୋନିଆ ମାନ ମାଲାୟଲମ, ହିନ୍ଦୀ, ତେଲୁଗୁ ଏବଂ ମରାଠୀ ସମେତ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ମାଲାୟଲମ ଚଳଚ୍ଚିତ୍ର 'ହାଇଡ୍ ଆନ୍‌ ସିକ୍' ମାଧ୍ୟମରେ ଡେବ୍ୟୁ କରିଥିଲେ ଏବଂ ପରେ କହିଁ ହେ ମେରା ପ୍ୟାର ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ସେ ୨୦୨୦ରେ ହାପି ହାର୍ଡି ଏବଂ ହିରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ୨୦୧୮ରେ ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲେଙ୍କ ସହ ଗୀତ ଗାଈଥିଲେ । ସୋନିଆଙ୍କ ପିତା, ବଳଦେବ ସିଂହ ଜଣେ କୃଷକ ନେତା । ତାଙ୍କୁ ୧୯୮୦ ଦଶକରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ।

ଅରବିନ୍ଦ କେଜ୍ରିଓ୍ବାଲଙ୍କ ଫୋକସରେ ପଞ୍ଜାବ

ଉଲ୍ଲେଖଯୋଗ୍ୟ, ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଅରବିନ୍ଦ କେଜ୍ରିୱାଲ ଆପର ପଞ୍ଜାବ ୟୁନିଟ୍ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଦୁଇ ବର୍ଷର ପ୍ରସ୍ତୁତି ସହିତ, ସେ ପଞ୍ଜାବର ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଆପର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆସନ ବଞ୍ଚାଇପାରି ନଥିଲେ । ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପିର ପରବେଶ ବର୍ମା ବିଜୟୀ ହୋଇଥିଲେ ଏବଂ ଏବେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ।  ୧୩ ବର୍ଷ ଧରି ଜାତୀୟ ରାଜଧାନୀରେ ଶାସନ କରିବା ପରେ, ଆପ ଦିଲ୍ଲୀରେ କ୍ଷମତାଚ୍ୟୁତ ହୋଇଛି ଏବଂ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।