ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆମେରିକାର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଭେଟି ଲାଞ୍ଚ ଯାଚିଥିଲେ ଆଦାନୀ

Published By : Tapas Panda | November 22, 2024 5:49 PM

Image Courtesy: indiatoday

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଝଟକାରୁ ମୁକୁଳିବା ପରେ ଆଉ ଏକ ଝଡ଼ର ସାମ୍ନା କରୁଛନ୍ତି ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ । ଲାଞ୍ଚ କାରବାର ନେଇ ଆମେରିକୀୟ କୋର୍ଟ ଆଦାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଚର୍ଚ୍ଚା ଲାଗିରହିଛି । ଏହାରି ଭିତରେ  ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟି ଲାଞ୍ଚ ଦେବାକୁ ଆଦାନୀ ପ୍ରତିଶ୍ରୁତି ଦେଇଥିଲେ ବୋଲି ଆମେରିକା ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଅଭିଯୋଗ ଆଣିଛି । ଏସଇସି ଅଭିଯୋଗ କରିଛି ଯେ, ଗୌତମ ଆଦାନୀ ୨୦୨୧ରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ସାକ୍ଷାତ କରି ସରକାରଙ୍କ ଦ୍ୱାରା ପରିଚାଳିତ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (SECI) ସହିତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ଚୁକ୍ତି ସୁରକ୍ଷିତ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ଲାଞ୍ଚ କାରବାର ଉପରେ ଆଲୋଚନା ହୋଇଥିଲା । 

SEC ଦାଖଲ କରିଥିବା ଅଭିଯୋଗ ଅନୁସାରେ, ଏହି ବୈଠକ ସମୟରେ ଆଦାନୀ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ କିମ୍ବା ଲାଞ୍ଚ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୧,୭୫୦ କୋଟି ଟଙ୍କାର ଡିଲ ହୋଇଥିଲା । ବୈଠକର କିଛି ଦିନ ପରେ ଆନ୍ଧ୍ରପ୍ରଦେଶ SECIରୁ ୭ ଗିଗାୱାଟ ଶକ୍ତି କିଣିବାକୁ ରାଜି  ହୋଇଥିଲା । ଏହା ସେତେବେଳେ କୌଣସି ରାଜ୍ୟ ଦ୍ୱାରା କିଣାଯାଇଥିବା ସର୍ବାଧିକ ସୌର ଶକ୍ତି ଥିଲା । ଏହାର ଅର୍ଥ ଦିଆଯାଇଥିବା ଲାଞ୍ଚ କିମ୍ବା ପ୍ରତିଶ୍ରୁତି କାମ କରିଛି ବୋଲି ଆମେରିକାର ଏଜେନ୍ସି ଅଭିଯୋଗ କରିଛି । 

ସୂଚନା ଅନୁସାରେ, ୨୦୨୦ରେ ୧୨ ଗିଗାୱାଟ ସୌର ଉତ୍ପାଦିତ ବିଦ୍ୟୁତ୍ ଏକ ନିର୍ଦ୍ଦିଷ୍ଟ ଦାମରେ ବିତରଣ ପାଇଁ SECI ଆଦାନୀ ଗ୍ରୁପ୍ ଏବଂ ଆଜ୍ୟୁର୍ ପାୱାରକୁ ଟେଣ୍ଡର ଦେଇଥିଲା । ଏହି ଟେଣ୍ଡର ମୂଲ୍ୟ ଅଧିକ ଥିବାରୁ ସୌର ଶକ୍ତି କିଣିବା ପାଇଁ SECIକୁ କ୍ରେତା ମିଳିନଥିଲେ । ଏନେଇ ଆମେରିକୀୟ ଏଜେନ୍ସି କହିଛି ଯେ, କ୍ରେତା ଖୋଜିବାରେ SECI ବିଫଳ ହେବାରୁ ସୋଲାର ପାଓ୍ବାର ବିକ୍ରି କରିବାକୁ ଆଦାନୀ ଏବଂ ଆଜ୍ୟୁର୍‌ ରାଜ୍ୟର ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ନେଇ ଷଡ଼ଯନ୍ତ୍ର କରିଥିଲେ । ଏହି କ୍ରମରେ ଆଦାନୀ ଗ୍ରୁପ୍‌ ରାଜ୍ୟ ବିଦ୍ୟୁତ ବିତରଣ ସଂସ୍ଥାଗୁଡ଼ିକ ସହ ଚୁକ୍ତି ସୁରକ୍ଷିତ ରଖିବାକୁ ମୋଟ ୨୬୫ ମିଲିୟନ୍‌ ଡଲାର ଲାଞ୍ଚ ବାବାଦରେ ଦେଇଥିଲା । ଏଥିରେ ଆନ୍ଧ୍ର ପ୍ରଦେଶ ବ୍ୟତୀତ ଛତିଶଗଡ଼, ତାମିଲନାଡୁ, ଓଡ଼ିଶା ଏବଂ ଜମ୍ମୁକାଶ୍ମୀର ସାମିଲ ଅଛି ବୋଲି ଏସଇସି ଅଭିଯୋଗ କରିଛି । 

ଏସିଇସିର ଏହି ଅଭିଯୋଗକୁ ଆଦାନୀ ଗ୍ରୁପ୍‌ ଖଣ୍ଡନ କରିଛି । ସେପଟେ ଆଦାନୀ ଲାଞ୍ଚ ଯାଚିଥିବା ଅଭିଯୋଗକୁ ଜଗନ ରେଡ୍ଡୀଙ୍କ ଦଳ ମଧ୍ୟ ଅଗ୍ରାହ୍ୟ କରିଛି ।  ଆଦାନୀ ଗ୍ରୁପ୍ ସହ କୌଣସି ପ୍ରତ୍ୟକ୍ଷ ଚୁକ୍ତି ନାହିଁ ବୋଲି ୨୦୧୯-୨୪ ମଧ୍ୟରେ କ୍ଷମତାରେ ଥିବା ଜଗନ ରେଡ୍ଡୀଙ୍କ YSR କଂଗ୍ରେସ କହିଛି । ଏହା ସହ ଲୋକଙ୍କ ହିତ ଲାଗି ଏହି ଶକ୍ତି କ୍ରୟ ହୋଇଥିଲା ଏବଂ ଏଥିରେ ରାଜ୍ୟର ୩୭୦୦ କୋଟି ଟଙ୍କା  ବଞ୍ଚିଥିଲା ବୋଲି ଦଳ କହିଛି । ସେପଟେ ଆମେରିକୀୟ ଏଜେନ୍ସିର ଅଭିଯୋଗ ଉପରେ ଶସକ ଟିଡିପି ଚୁପ୍‌ ରହିଥିବା ବେଳେ ରିପୋର୍ଟକୁ ଭଲ ଭାବେ ପଢ଼ିବା ପରେ ପ୍ରତିକ୍ରିୟା ଦିଆଯିବ ବୋଲି ଦଳର ପ୍ରବକ୍ତା କୋମାରେଡ୍ଡୀ ପାଟାଭିରମ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.