ପୁରୀ,୦୫/୦୭: ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କୁ ଆଡ଼ପ ଅବଢ଼ା ଦର ବଡ଼ ବାଧିଥିଲା । ସାଧାରଣ  ଦିନର ଦରଠାରୁ ଶୁକ୍ରବାର ଅନ୍ନମହାପ୍ରସାଦ କିଣିବାରେ ପ୍ରାୟ ଦୁଇଗୁଣ ମୂଲ୍ୟ ଦେବାକୁ ପଡ଼ିଥିଲା । ଦୁଇ/୩  ଜଣ ମହାପ୍ରସାଦ ପାଇବାକୁ ହେଲେ ୫ଶହରୁ ୬ଶହ  ଟଙ୍କା ଦେବାକୁ ପଡ଼ିଥିଲା । ଫଳରେ ଠାକୁରଙ୍କ ଦର୍ଶନ  ପରେ ମହାପ୍ରସାଦ ପାଇଁ ଆନନ୍ଦବଜାରରେ ପହଞ୍ଚିଥିବା ଭକ୍ତ ଶୋଷଣର ଶିକାର ହୋଇଥିଲେ । 

ଯେଉଁ ମହାପ୍ରସାଦ ଥାଳି ସେହି ଗୁଣ୍ଡିଚା  ମନ୍ଦିରରେ ଶହେ ଟଙ୍କାରେ ମିଳୁଥିବା ତାହାର ଦର ଦେଢ଼ ଶହରୁ ୨୦୦ । ସେଥିରେ ପୁଣି ନେଲେ ନିଅ ନହେଲେ ପଳାଅ ବୋଲି ବ୍ୟବହାର ।  ଦୋକାନୀଙ୍କ ପାଟିରୁ ଯେଉଁ ଦର ବାହାରୁଥିଲା ସେୟା  ଶ୍ରଦ୍ଧାଳୁଙ୍କୁ ଦେବାକୁ ବାଧ୍ୟ କରାଯାଉଥିଲା।

କଟକରୁ  ଆସିଥିବା ସୁବ୍ରତ ଜେନା ଓ ତାଙ୍କ ସାଥି କୁହନ୍ତି, ନମ୍ବରି  କୁଡ଼ିଆ ଅବଢ଼ା ଶହେ/୧୨୦ଟଙ୍କା ସ୍ଥଳେ ୨ଶହରୁ କମାଇଲେନି । ଖୋର୍ଦ୍ଧାର ସବିତା ସ୍ୱାଇଁ କୁହନ୍ତି ଧଳା  କୁଡ଼ିଆ ଅବଢ଼ା ୭୦/୮୦ ସ୍ଥାନରେ ୧୫୦ ଟଙ୍କା  ନେଲେ । ଧଳା କୁଡ଼ିଆ ଡ଼ାଲି ୧୦୦ ଜାଗାରେ ୨୦୦  ଟଙ୍କାରେ ନେଲେ । ଏହିଭଳି ଶହ ଶହ ଭକ୍ତ ବଢ଼ିଲା  ମହାପ୍ରସାଦ ଦର ନେଇ ଦୁଃଖ ପ୍ରକଟ କରିଥିଲେ । ଅବଢ଼ାର ଆକାଶ ଛୁଆଁ ଦର ଯୋଗୁ ଅନେକ ଭକ୍ତ ମହାପ୍ରସାଦ ପେଟପୁରା ନଖାଇ କେବଳ ସେବା କରି  ଫେରିଥିଲେ।