ରାୟଗଡ଼ା,୧୯/୧୨: ସାଇବର କ୍ରାଇମ୍ (ଡିଜିଟାଲ୍ ଆରେଷ୍ଟ୍)ର ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ସେ ହେଉଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ  ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଏ ସମ୍ପର୍କରେ ମମତା ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା । ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍‌ରୁ କହୁଥିବା କହିଥିଲେ । ମମତାଙ୍କ ଆଧାରକାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା ଏବଂ ତାଙ୍କ ନାଁରେ ସଙ୍ଗିନ୍ ଅଭିଯୋଗ ଥିବା କହିଥିଲେ । ସଙ୍ଗେସଙ୍ଗେ ନକଲି ପୁଲିସ୍ ଅଫିସରଙ୍କ ନିକଟକୁ କଲ୍ ଟ୍ରାନ୍ସଫର ହୋଇଥିଲା । ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କୁହାଯାଇଥିଲା । ଉଲ୍ଲଘଂନ କଲେ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଦୁଇଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏବଂ ପୁଲିସର ସାଇବର ସେଲ ଘଟଣାର ତଦନ୍ତ ଚଳାଇଛନ୍ତି । ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି, ମାମଲା ରୁଜୁ ହୋଇଛି । ତନାଘନା ଚାଲିଛି ।