ପୁରୀ, ୨୭/୦୭: ଆଷାଢ଼ ଶୁକ୍ଳ  ଦ୍ୱାଦଶୀ ରାତ୍ରରେ ରଥାରୂଢ଼ ଠାକୁରଙ୍କୁ  ଅଧର ପଣା ଅର୍ପଣ କରାଯାଇଛି ।  ତିନି ରଥରେ ଦାରୁବ୍ରହ୍ମଙ୍କ ଅଧର ଉଚ୍ଚା ୯ଟି ମାଟି ହାଣ୍ଡିରେ ପଣା ଭୋଗ  ଲାଗିଥିଲା । ଏଥିସହ ରାମକୃଷ୍ଣଙ୍କୁ ୨  ହାଣ୍ଡି ଓ ମଦନମୋହନଙ୍କୁ ୧ ମାଟି  ହାଣ୍ଡି (ବଡ଼ ମଠ କୁଡ଼ୁଆ)ରେ ପଣା  ଭୋଗ ଅର୍ପଣ ଲାଗିଲା । ପରେ ସମସ୍ତ  ହାଣ୍ଡିକୁ ଗଡ଼ାଇ ଭାଙ୍ଗି ଦିଆଯାଇଥିଲା ।  ରାତି ୯ଟା ୧୫ରୁ ୯ଟା ୪୦ ମଧ୍ୟରେ ତିନି ରଥରେ ଅଧର ହାଣ୍ଡି ଭଙ୍ଗା ନୀତି ସମ୍ପନ୍ନ  ହୋଇଥିଲା । ରଥର ପାଶ୍ୱ ର୍ଦେବଦେବୀ,  ଚଣ୍ଡୀଚାମୁଣ୍ଡା ତଥା ଅଶରୀରଙ୍କ ପାଇଁ  ଅଧର ହାଣ୍ଡିଗୁଡ଼ିକୁ ଭଙ୍ଗା ଯାଏ ।  ଠାକୁରଙ୍କ ପଣା ଭୋଗ ପାଇଲେ ଏମାନେ  ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

କ୍ରମାନୁସାରେ ଶ୍ରୀବଳଭଦ୍ର,  ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ  ରଥରେ ଅଧର ହାଣ୍ଡି ଭଙ୍ଗା ନୀତି  ସମ୍ପନ୍ନ ହୋଇଥିଲା । ରଥ ତଳେ ଠିଆ  ହୋଇ ସେବକମାନେ ପଣା ସଂଗ୍ରହ  କରିଥିଲେ । ରଥରୁ ଅଧର ପଣା ବୋହିଯାଇ ବଡ଼ଦାଣ୍ଡରେ ଭାସିଥିଲା ।  ପଣା ଭୋଗରେ ମିଶୁଥିଲା ବର୍ଷା ଜଳ ।  ପ୍ରଭୁଙ୍କ ପ୍ରସାଦରେ ଟୋପାଏ ପାଇବାକୁ  ଶ୍ରଦ୍ଧାଳୁମାନେ ପ୍ରତିଯୋଗିତା କରୁଥିଲେ ।  ଭକ୍ତମାନେ ବେଶ୍‌ ଭକ୍ତି ଭାବରେ  ବଡ଼ଦାଣ୍ଡରୁ ପଣା ନେଉଥିଲେ । ଯିଏ  ଯେଉଁଥିରେ ପାରୁଥିଲେ ପଣା ସଂଗ୍ରହ  କରୁଥିଲେ । ଧାର୍ଯ୍ୟ ସମୟ ଠାରୁ ଅଧର  ନୀତି କିଛି ସମୟ ବିଳମ୍ବ ହୋଇଥିଲା ।  ରବିବାର ସକାଳ ୮ଟା ୩୫ରୁ ୮ଟା  ୫୦ ମଧ୍ୟରେ ତିନି ରଥରେ ମଙ୍ଗଳ  ଆଳତି ଶେଷ ହେଲା । ପରେ ଅନ୍ୟାନ୍ୟ  ନୀତି ହୋଇ ଅପରାହ୍ଣ ୪ଟା ୫ ସୁଦ୍ଧା  ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲା । ପରେ  ଅଧର ପଣା ପ୍ରସ୍ତୁତି ଆରମ୍ଭ ହେଲା ।

ରଥ ଉପରେ ବିଶାଳ ପାତ୍ର  ରଖାଗଲା । ପାଣିଆ ଆପଟ  ସେବକମାନେ ପାଣି ଆଣି ରଥ ଉପରକୁ  ଯୋଗାଇଥିଲେ । ୯ଟି ମାଟି ହାଣ୍ଡିକୁ ରଥ  ଉପରକୁ ଅଣାଯାଇ ମାଟି ମଳା ଦ୍ୱାରା  ରଖାଯାଇଥିଲା । ପରମ୍ପରା ମୁତାବକ ମାଟି  ପାତ୍ର ଉପରେ ଧଳା କରିଆ ଗାମୁଛା  ମାନ ରଖି ମହାସୁଆର ସେବକମାନେ  ପଣା ପ୍ରସ୍ତୁତ କରିଥିଲେ । ଛାଚି, ସର,  ଛେନା, କଦଳୀ, କପୂ ର୍ର ଓ ଜାଇଫଳ  ଆଦି ପଡ଼ ି ପଣା ପ୍ରସ୍ତୁତ ହୋଇଥିଲା ।  ସେବକମାନେ ଠାକୁରଙ୍କ ଅଧର ଆଗରେ  ନୂଆ ଗାମୁଛା ଟେରା (ଆଢୁଆଳ)  କରିଥିଲେ । ପତ୍ର ିବଡୁ, ସୁଆରବଡୁ ଓ  ଗରାବଡୁ ପାଳିଆ ସେବକମାନେ ତିନି  ରଥ ଉପରେ ପୂଜା ଠା’ କରିଥିଲେ ।  ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ  ଠାକୁରଙ୍କୁ ପୂଜା କରିଥିଲେ । ହଜାର  ହଜାର ଭକ୍ତ ଠାକୁରଙ୍କ ଏହି ନୀତି  ଦେଖିବାର ସୌଭାଗ୍ୟ ଲଭି ହରିବୋଲ  ଓ ହୁଳହୁଳି ଧ୍ୱନି ଦେଇଥିଲେ ।