ମୁମ୍ବାଇ ୧୨/୧୧: ‘ବିଗ୍‌ ବସ୍‌-୧୮’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଲୋକପ୍ରିୟ ମଡେଲ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅଦିତି ମିସ୍ତ୍ରୀ । ଏ ନେଇ ଶୋ’ ନିର୍ମାତା ତାଙ୍କ ସହ ଆଲୋଚନା କରୁଛନ୍ତି । ସୋସିଆଲ ମିଡିଆରେ ଫିଟ୍‌ନେସ ପାଇଁ ବେଶ ଜଣାଶୁଣା ଚେହେରା ଅଦିତି ବୋଲ୍ଡ ବିଷୟବସ୍ତୁ ପାଇଁ ସୋସିଆଲ ମିଡିଆରେ ସର୍ବଦା ଖବରରେ ଥାନ୍ତି । ମଡେଲିଂ ଦୁନିଆରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି । ୨୪ ବର୍ଷୀୟା ଏହି ମଡେଲଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୨୪ ଲକ୍ଷ ଫଲୋଅର୍‌ ଅଛନ୍ତି । ତାଙ୍କର ଏକ ଆପ୍‌ ମଧ୍ୟ ଅଛି, ଯେଉଁଥିରେ ଫ୍ୟାନ୍‌ ତାଙ୍କୁ କଲ୍‌ କରି କଥା ହୋଇପାରୁଛନ୍ତି । 

ଅଦିତିଙ୍କ ସମେତ ନିର୍ମାତା ଅନେକ ଚର୍ଚ୍ଚିତ ଚେହେରାଙ୍କ ସହ ଆଲୋଚନା କରୁଥିବା ଖବର ସାମ୍ନାକୁ ଆସିଛି । ତେବେ, ଅଦିତିଙ୍କ ଏଣ୍ଟ୍ରିରେ ଶୋ’ର ଟିଆର୍‌ପି ବଢ଼ିବ ବୋଲି ସେମାନଙ୍କ ଆଶା । ଅଭିନେତା ତଥା ରାଜନେତା ରବି କିଶନ ଗତ ଦୁଇ ସପ୍ତାହ ଧରି ସଲମାନ ଖାନ୍‌ଙ୍କ ସ୍ଥାନରେ ବିଗ୍‌ ବସ୍‌ ୱିକେଣ୍ଡ କା ୱାର୍‌ ଏପିସୋଡ୍‌ ହୋଷ୍ଟ୍‌ କରୁଛନ୍ତି । ସଲମାନ ଏବେ ହାଇଦ୍ରାବାଦରେ ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ‘ବିଗ୍‌ ବସ୍‌’ ନିର୍ମାତା ତାଙ୍କ ସ୍ଥାନରେ ରବି କିଶନଙ୍କୁ ସାମିଲ କରିଛନ୍ତି । ରବିଙ୍କ ସେଗ୍‌ମେଣ୍ଟ୍‌ର ନାଁ ହାୟ ଦୈୟା, ରବି ଭୈୟା ।