ମୁମ୍ୱାଇ,୧୪/୦୧: ରଣଭୀର ସିଂଙ୍କ ଅଭିନୀତ 'ଧୁରନ୍ଧର' ବକ୍ସ ଅଫିସରେ ଧମାକା କରିଛି । ଆଉ ଏହାର ସଫଳତା ପରେ ନିର୍ମାତା ଏହାରି ସିକ୍ୱେଲ 'ଧୁରନ୍ଧର ୨' ନେଇ ଘୋଷଣା କରିଥିଲେ । ଯାହା ଆସନ୍ତା ମାର୍ଚ୍ଚ ୧୯ରେ ପରଦାକୁ ଆସିବ । ଫ୍ୟାନ୍ସ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ନିର୍ଦ୍ଦେଶକ ଆଦିତ୍ୟ ଧର ଏହାର ଟିଜର ଖୁବ୍ ଶୀଘ୍ର ରିଲିଜ୍ ହେବା ନେଇ ଘୋଷଣା କରିଛନ୍ତି ।
ପୂର୍ବରୁ ଧୁରନ୍ଧର ୨ ର ଟିଜରକୁ ବର୍ଡର ୨ ର ଥିଏଟ୍ରିକାଲ ପ୍ରିଣ୍ଟ ସହ ରିଲିଜ କରାଯିବା ନେଇ କହୁଯାଇଥିଲା। କିନ୍ତୁ, ତାହା ହୋଇନଥିଲା, । ସେବେଠାରୁ, ଆଦିତ୍ୟ ଧରଙ୍କୁ ସୋସିଆଲ ମିଡିଆରେ ଟିଜର ରିଲିଜ୍ ବିଷୟରେ ପ୍ରଶ୍ନ ପଚରାଯାଉଛି । ଚଳଚ୍ଚିତ୍ର ନିର୍ମାତା ଏବେ ଶେଷରେ ଏହି ଚର୍ଚ୍ଚା ନେଇ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ, ଆଦିତ୍ୟ ପ୍ରଶଂସକଙ୍କ ଦ୍ୱାରା ତିଆରି ମିମ୍ ପୁନଃ ସେୟାର କରିଛନ୍ତି ଯେଉଁଥିରେ ଲେଖାଥିଲା, "@adityadharfilms ମଜା କରନ୍ତୁ ନାହିଁ ଟିଜର ଶୀଘ୍ର ରିଲିଜ କରନ୍ତୁ। ଏହାର ଜବାବ ଦେଇ ସେ ଲେଖିଛନ୍ତି, "ଟିଜର କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବ ।"
ଆହୁରି ପଢନ୍ତୁ-ପରଦାକୁ ପୁଣି ଆସିବ ଲଭ୍-ରୋମାନ୍ସର କାହାଣୀ, ରୋହିତଙ୍କ ସହ ସ୍କ୍ରିନ୍ ସେୟାର କରିବେ ରାଶା
ତେବେ ଧୁରନ୍ଧର ୨ର ଟିଜର ଜାନୁଆରୀ ୨୬ରେ ରିଲିଜ ହେବାର ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, ଧୁରନ୍ଧର ସିକ୍ୱେଲର ନାମ 'ଧୁରନ୍ଧର ୨: ଦି ରିଭେଞ୍ଜ' ରଖାଯାଇଛି । ତଥାପି, ନିର୍ମାତାମାନେ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି । କୁହାଯାଉଛି ଯେ, ଟିଜରର ରନଟାଇମ୍ ୧ ମିନିଟ୍ ୪୮ ସେକେଣ୍ଡ ବୋଲି ଜଣାପଡ଼ିଛି । ନିର୍ମାତାମାନେ ଏଥର ଟିଜରକୁ ଛୋଟ ରଖିଛନ୍ତି ଏବଂ ଫିଲ୍ମ ବିଷୟରେ ଅଧିକ କିଛି ପ୍ରକାଶ କରିବାକୁ ମନସ୍ଥ ନାହାନ୍ତି । ପ୍ରକାଶ ଥାଉକି, ଧୁରନ୍ଧର ଡିସେମ୍ବର ୫ରେ ମୁକ୍ତିଲାଭ କରିଥିଲା ଏବଂ ସାରା ବିଶ୍ୱରେ ୧୩୦୦ କୋଟିରୁ ଅଧିକ ଆୟ କରି ଘରୋଇ ବକ୍ସ ଅଫିସରେ ପ୍ରାୟ ୯୦୦ କୋଟି ଟଙ୍କା ଆୟ କରିଛି । ରିଲିଜର ୪୬ ଦିନ ପୂରଣ କରି ଏବେ ବି ବକ୍ସ ଅଫିସରେ ଧୁରନ୍ଧର ଦୃଢ଼ ସ୍ଥିତିରେ ଅଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣଭୀର ସିଂ, ସାରା ଅର୍ଜୁନ, ଅର୍ଜୁନ ରାମପାଲ, ଆର. ମାଧବନ, ଅକ୍ଷୟ ଖାନ, ସଞ୍ଜୟ ଦତ୍ତ ଏବଂ ରାକେଶ ବେଦୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ପ୍ରତ୍ୟେକ ଅଭିନେତା ସେମାନଙ୍କ ଭୂମିକାରେ ଜୀବନ୍ତ ହୋଇଛନ୍ତି । ଧୁରନ୍ଧର ଏହି ସମସ୍ତ ତାରକାଙ୍କ କ୍ୟାରିଅରର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଛି । ଧୁରନ୍ଧର ମଧ୍ୟ ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ।