ମୁମ୍ବାଇ ୨୭/୦୪: ପହଲଗାମ୍‌ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ଭାରତ ଅଲ୍ଟିମେଟମ୍‌ ଦେଇସାରିଛି । ଇତିମଧ୍ୟରେ ପାକିସ୍ତାନର ପୂର୍ବ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧରୀ ଗାୟକ ଆଦନାନ ସାମୀଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଜଣେ ଭାରତୀୟ ସାମ୍ବାଦିକ ପହଲଗାମ୍‌ ଆକ୍ରମଣ ପରେ କେନ୍ଦ୍ରର ନିଷ୍ପତ୍ତି ବିଷୟରେ ଲେଖିଥିଲେ, ଯେଉଁଥିରେ ପାକ୍‌ ନାଗରିକଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି । ଏହି ଘଟଣାକ୍ରମ ଉପରେ ପ୍ରତିକ୍ରିୟା ଦେଇ ଫୱାଦ ଚୌଧରୀ ଲେଖିଛନ୍ତି ‘ଅଦନାନ ସାମୀଙ୍କ ବିଷୟରେ କ’ଣ?’ ଅଦନାନ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଫୱାଦ ଚୌଧରୀଙ୍କ ଟ୍ୱିଟ୍‌କୁ ଶେୟାର କରି ସେ ଲେଖିଛନ୍ତି ‘ଏହି ଅପାଠୁଆ ମୂର୍ଖକୁ କିଏ କହିବ ।’ ଏଥିସହିତ ସେ ସ୍ମାଇଲି ଇମୋଜି ଦେଇଛନ୍ତି । 

ସୂଚନାଯୋଗ୍ୟ, ଅଦନାନଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିଲା । ତାଙ୍କ ବାପା ଅରଶଦ ସାମୀ ଖାନ୍‌ ପାକିସ୍ତାନୀ ଥିଲେ ଏବଂ ତାଙ୍କ ମା’ ନୂରୀନ ଖାନ୍‌ ଜମ୍ମୁ ବାସିନ୍ଦା ଥିଲେ । ଅଦନାନଙ୍କ ପାଖରେ ପୂର୍ବରୁ ପାକିସ୍ତାନୀ ନାଗରିକତା ଥିଲା । ଡିସେମ୍ବର ୨୦୧୬ରେ ତାଙ୍କୁ ଭାରତୀୟ ନାଗରିକତା ମିଳିଲା । ଭାରତୀୟ ନାଗରିକତା ପାଇଁ ତାଙ୍କୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ତେବେ ୧୯୮୬ରେ ଇଂରାଜୀ ଆଲ୍‌ବମରୁ କ୍ୟାରିଅର ଆରମ୍ଭ କରିଥିଲେ ଅଦନାନ । ୧୯୮୯ରେ ଉସ୍ତାଦ ଜାକିର ହୁସେନଙ୍କ ସହ ତାଙ୍କର ପ୍ରଥମ କ୍ଲାସିକଲ୍‌ ଆଲ୍‌ବମ ଆସିଥିଲା । ୨୦୦୦ ମସିହାରେ ଆଶା ଭୋଁସଲେଙ୍କ ସହ ଆଦନାନ ‘କଭି ତୋ ନଜର ମିଲାଓ’ ଆଲ୍‌ବମ କଲେ । ତା’ପରେ ଅମିତାଭ ବଚ୍ଚନଙ୍କ ସହ ‘ଲିଫ୍ଟ କରା ଦେ’, ‘କଭି ନହିଁ’ ଭଳି ହିଟ୍‌ ଆଲ୍‌ବମ କଲେ । ତାଙ୍କର ଆଉ ଏକ ଷ୍ଟୁଡିଓ ଆଲ୍‌ବମ ‘ତେରା ଚେହରା’ ଅକ୍ଟୋବର ୨୦୦୨ରେ ରିଲିଜ୍‌ ହୋଇଥିଲା । 




‘ଲକି: ନୋ ଟାଇମ୍‌ ଫର୍‌ ଲଭ୍‌’ରେ ସୁନ୍‌ ଜରା ଓ ‘ବଜରଙ୍ଗୀ ଭାଇଜାନ୍‌’ର ଭର୍‌ ଦୋ ଝୋଲି ମେରୀ ଭଳି ହିଟ୍‌ ଗୀତ ଗାଇଛନ୍ତି ଅଦନାନ । ଏହା ସହିତ ‘ୟେ ରାସ୍‌ତେ ହେଁ ପ୍ୟାର୍‌ କେ’, ‘ଧମାଲ୍‌’, ‘୧୯୨୦’, ‘ଚାନ୍ସ ପେ ଡାନ୍ସ’, ‘ମୁମ୍ବାଇ ସାଲସା’, ‘ଖୁବ୍‌ସୂରତ୍‌’, ‘ସଦିୟାଁ’ ଓ ‘ଶୌର‌୍ୟ’ ଭଳି ଫିଲ୍ମରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି ।