ନୂଆଦିଲ୍ଲୀ ୧୧/୦୯: ଦେଶର ୪୦ ଆଞ୍ଚଳିକ ଦଳ ୨୦୨୩- ୨୪ରେ ମୋଟ୍ ୨୫୩୨.୦୯ କୋଟି ଟଙ୍କା ଆୟ କରିଛନ୍ତି । ତନ୍ମଧ୍ୟରୁ ୭୦% ବା ୧୭୯୬.୦୨୪ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍‌ରୁ ପ୍ରାପ୍ତ ହୋଇଛି ।  ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌)ର ନୂଆ ରିପୋର୍ଟରୁ ଏହା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ଭାରତ ରାଷ୍ଟ୍ର  ସମିତି (ବିଆର୍‌ଏସ୍‌) ଆଲୋଚ୍ୟ ବର୍ଷରେ ସର୍ବାଧିକ ୬୮୫.୫୧ କୋଟି ଟଙ୍କା ଆୟ କରିଛି ।  ଏହା ପଛକୁ ଦ୍ୱିତୀୟ  ସ୍ଥାନରେ ଥିବା ତୃଣମୂଳ  କଂଗ୍ରେସ (ଟିଏମ୍‌ସି)  ୬୪୬.୩୯ କୋଟି  ଟଙ୍କା ଆୟ କରିଛି । ବିଜୁ  ଜନତା ଦଳ (ବିଜେଡି)  ୨୯୭.୮୧ କୋଟି ଟଙ୍କା  ଆୟ କରିଛି । ସେହିଭଳି  ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ୨୮୫.୦୭ କୋଟି ଟଙ୍କା ଆୟ କରିଥିବା ବେଳେ ୱାଇଏସ୍‌ଆର୍‌ କଂଗ୍ରେସ ୧୯୧.୦୪ କୋଟି ଟଙ୍କା ହାସଲ କରିଛି ।  

୪୦ ଆଞ୍ଚଳିକ ଦଳ ଦ୍ୱାରା ଘୋଷିତ ମୋଟ ଆୟର ୮୩.୧୭% ଏହି ୫ଟି  ଦଳଙ୍କୁ ପ୍ରାପ୍ତ ହୋଇଛି । ଏଡିଆର୍‌ ଦର୍ଶାଇଛି ଯେ ୨୦୨୨-୨୩ ତୁଳନାରେ  ଏହି ଦଳଗୁଡ଼ିକର ଆୟ ୪୫.୭୭% ବୃଦ୍ଧି ପାଇଛି । ୨୦୨୨-୨୩ରେ  ସେମାନଙ୍କ ଆୟ ୧୭୩୬.୮୫ କୋଟି ଟଙ୍କା ଥିଲା । ସେତେବେଳେ  ଟିଏମ୍‌ସି ସର୍ବାଧିକ ୩୧୨.୯୩ କୋଟି ଟଙ୍କା ଆୟ କରିଥିଲା।