ବେଙ୍ଗାଲୁରୁ,୧୦/୦୨: ପଇଁତରା ମାରିଲା । ଡାହାଣକୁ ଗଲା ପୁଣି ବାମକୁ ଗଲା । ଉପରକୁ ଉଠିଲା ତଳକୁ ଖସିଲା । ମଝି ଆକାଶରେ ଘୋ ଘୋ ଗର୍ଜନ କଲା । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହେଲା ଆକାଶ । କର୍ଣ୍ଣାଟକ ବେଙ୍ଗାଲୁରୁର ୟଲହକା ଏୟରଫୋର୍ସ ଷ୍ଟେସନରେ ଏରୋ ଇଣ୍ଡିଆ ଶୋ ୨୦୨୫ ଉଦଘାଟନ ହୋଇଛି ।  ଭାରତୀୟ ସେନାର ଲଢୁଆ ଯୁଦ୍ଧ ବିମାନ ଆକାଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଭାରତର ମହାକୁମ୍ଭ ଚାଲୁଛି । ଏରୋ ଇଣ୍ଡିଆ ରୂପରେ ଆଜିଠୁ ଆଉ ଏକ ମହାକୁମ୍ଭ ଆରମ୍ଭ ହୋଇଛି ବୋଲି ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏରୋ ଇଣ୍ଡିଆ ଆମକୁ ପାରସ୍ପରିକ ସମ୍ମାନ, ପାରସ୍ପରିକ ସ୍ୱାର୍ଥ ଏବଂ ପାରସ୍ପରିକ ଲାଭ ଉପରେ ଆଧାରିତ ସମ୍ପର୍କ ବୃଦ୍ଧି କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି । ଉଭା ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଏକାଠି ମୁକାବିଲା କରିବାକୁ ଚେଷ୍ଟା କରିବା ଉଚିତ ।  ଦୁର୍ବଳ ସୁରକ୍ଷା ସ୍ଥିତିରେ କେବେ ବି ଶାନ୍ତି ହାସଲ କରାଯାଇପାରିବ ନାହିଁ। ସମସ୍ତଙ୍କୁ ଏକାଠି ଶକ୍ତିଶାଳୀ ହେବାକୁ ପଡିବ, ତେବେ ହିଁ ଆମେ ଶାନ୍ତି ସୁନିଶ୍ଚିତ କରିପାରିବୁ ।


ଆକାଶରେ ବୀରତ୍ବ ଦେଖାଇଛନ୍ତି ବାୟୁବୀର । ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଏଲସିଏ ତେଜସ ମାର୍କ 14, ସୁଖୋଇ ସୁ-୩୦ ଏମକେଆଇ, ବିଏଇ ହାୱକ ଏମକେ ୧୩୨ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ପ୍ରୋଜେକ୍ଟ କୁଶ- ଦୀର୍ଘ ଦୂରଗାମୀ ପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରୋଜେକ୍ଟ କୁଶ ପ୍ରଦର୍ଶିତ ହୋଇଛି । ଏହା ପ୍ରାୟ 400 କିଲୋମିଟର ପର୍ଯ୍ୟନ୍ତ ଆକାଶମାର୍ଗରେ ଶତ୍ରୁକୁ ଆକ୍ରମଣ କରିପାରିବ, ଏହାକୁ ବେଙ୍ଗାଲୁରୁରେ ଅନୁଷ୍ଠିତ ଏରୋ ଇଣ୍ଡିଆ ଏୟାର ଶୋ'ରେ ପ୍ରଦର୍ଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଦ୍ୱାରା ସୋଲାର ଇଣ୍ଡଷ୍ଟ୍ରିଜ୍ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ୍ ବିକଶିତ କରାଯାଇଛି ।