ନୀଳଗିରି, ୬/୬(ଆ.ପ୍ର): ଦୀର୍ଘ ବର୍ଷର କୋର୍ଟ ନିର୍ଦେଶକୁ ଅବମାନନା କରି ଆସୁଥିଲା ସ୍ଥାନୀୟ ପ୍ରଶାସନ। ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ଈଶ୍ୱରପୁର ପଂଚାୟତ ଅଧୀନସ୍ଥ ବିଦୁ ବଜ଼ାରରେ ଜବର ଦଖଲ କରିଥିବା ଦୋକାନ ଘର ଶେଷରେ କୋର୍ଟଙ୍କ ନିର୍ଦେଶକୁ ପାଳନ କରି ହଟାଇଛି ପ୍ରଶାସନ। 

ସୂଚନାଯୋଗ୍ୟ ବିଦୁ ବଜାରରେ କିଛି ଦୋକାନ ଗୃହ ଜବର ଦଖଲ ରେ ଥିଲା। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଏହା ପୂର୍ବରୁ ମଧ୍ୟ ବାଧକ ସାଜିଥିବା ବେଳେ ଏନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଉଚ୍ଛେଦ କରିବାର ନାଁ ଧରୁ ନଥିଲା। ଶେଷରେ ଘଟଣା ଯାଇ ମାନ୍ୟବର ହାଇକୋର୍ଟରେ ପହଁଚିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଉଚ୍ଛେଦ ହେଉ ନଥିଲା। ଏପରିକି ଦୋକାନୀ ମାନଙ୍କୁ ପରବର୍ତ୍ତି ସମୟରେ ପେଟ ପାଟଣା ପାଇଁ ଥଇଥାନ ମଧ୍ୟ ଜରୁରୀ ବୋଲି ଦାବି ମଧ୍ୟ ଉଠିଥିଲା। 

ତେବେ ଆଜି ବିଦୁ ବଜାରକୁ ନୀଳଗିରି ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ସୋନମ ଦାସ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି। ଆଇନ ଶୃଂଖଳା ପରିସ୍ଥିତି ଦେଖି ନୀଳଗିରି ପ୍ରଶାସନ ତରଫରୁ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।ଦୋକାନ ବଜାର କରି ଆତ୍ମ ନିର୍ଭର ହୋଇଥିବା ଦୋକାନୀମାନେ ହତାଶ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ସେପଟେ ଏହି ଉଛେଦକୁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି। ମୋଟ ୬୦ଟି ଅସ୍ଥାୟୀ ଦୋକାନ ଭଙ୍ଗା ଯାଇଥିବା ବେଳେ ସ୍ଥାୟୀ ଗୃହ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାଧନା ମଳିକ କହିଛନ୍ତି।