ନୂଆଦିଲ୍ଲୀ, ୧୬/୧୨ : ସିରିଆରେ ବଶର ଅଲ ଅସଦ ସରକାରର ଅନ୍ତ ଘଟିବା ପରେ ନୂଆ ସରକାରଙ୍କ ସହ କୂଟନୈତିକ ସମ୍ଵନ୍ଧ ବଢାଇବା ଆରମ୍ଭ କରିସାରିଲେଣି ଅନ୍ୟ ଦେଶ। ଏହି ମଧ୍ୟରେ ସିରିଆର ରାଜଧାନୀ ଦମସକସ୍ରେ ପହଞ୍ଚିଛନ୍ତି ମିଳିତ ଜାତିସଙ୍ଘର ଦୂତ। ସେ ସିରିଆର ନୂଆ ନେତା ତଥା ତେହରିର ଅଲ ଶାମର ପ୍ରମୁଖ ଅବୁ ମହମ୍ମଦ ଅଲ ଜୋଲାନୀଙ୍କ ସହ ଭେଟିଛନ୍ତି। ଦେଶରେ ଏକ ବିଶ୍ଵାସଯୋଗ୍ୟ ନ୍ୟାୟ ପ୍ରଣାଳୀ ସ୍ଥାପନ କରିବାକୁ, ପ୍ରତିଶୋଧ ପରାୟଣ ହୋଇ କାମ ନକରିବାକୁ ନିବେଦନ କରିଛନ୍ତି। ସେହିପରି କତାର ମଧ୍ୟ ଦୀର୍ଘ ୧୩ ବର୍ଷ ପରେ ଦମିଶକରେ ଦୂତାବାସ ଖୋଲିବା ଆରମ୍ଭ କରିଛି।
୧୩ ବର୍ଷ ପୂର୍ବେ ସିରିଆରେ ସରକାର ବିରୋଧୀ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ଗୃହଯୁଦ୍ଧରେ ପରିଣତ ହେଲା। ଯାହାକି ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଲା। ଗୃହଯୁଦ୍ଧ ସମୟରେ ଅନ୍ୟ ଦେଶ ଗୁଡ଼ିକ ଅସଦ ସରକାରଙ୍କ ସହ ସମ୍ଵନ୍ଧ ଜାରି ରଖିଥିଲେ। କିନ୍ତୁ କତାର ଦମସକସ୍ରେ ଥିବା ତାର ଦୂତାବାସକୁ ବନ୍ଦ କରି ଦେଇଥିଲା। ଏବେ ଅସଦ ସରକାର ପତନ ପରେ କତାର ପୁଣି ଥରେ ଦୂତାବାସ ଖୋଲିଛି। ସେହିପରି ତୁର୍କୀ ମଧ୍ୟ ଦୀର୍ଘ ୧୨ ବର୍ଷ ପରେ ଦମସକସ୍ରେ ତାର ଦୂତାବାସ ଖୋଲିଛି। ଏତଦ୍ ବ୍ୟତୀତ ବ୍ରିଟେନ ମଧ୍ୟ ସିରିଆର ନୂଆ ସରକାରଙ୍କ ସହ କୂଟନୈତିକ ସମ୍ବନ୍ଧ ମଜବୁତ କରିଛନ୍ତି। ବ୍ରିଟେନ ସିରିଆବାସୀଙ୍କୁ ସହଯୋଗ କରିବା ପାଇଁ ସହାୟତା ରାଶି ମଧ୍ୟ ଘୋଷଣା କରିଛି। ସେପଟେ ଆମେରିକା ମଧ୍ୟ ୨୦୧୮ରୁ ଏଚଟିଏସ୍ ସହ ସମ୍ପର୍କରେ ରହିଛି। ଏନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ସୂଚନା ଦେଇଛନ୍ତି। ଫ୍ରାନ୍ସର ମଧ୍ୟ ଏକ ଟିମ୍ ମଙ୍ଗଳବାର ଦମଶିକ ଗସ୍ତରେ ଯିବେ।
ପ୍ରକାଶ ଥାଉକି, ସିରିଆରେ ଚାଲିଥିବା ଗୃହଯୁଦ୍ଧରେ ପ୍ରାୟ ୫୦୦,୦୦୦ରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଛନ୍ତି। ଦେଶର ଅଧା ଜନସଂଖ୍ୟା ବିସ୍ଥାପିତ ହୋଇସାରିଛନ୍ତି। ଏବେ ଦମସକସ୍ର ସଡ଼କରେ ଶାନ୍ତି ଫେରିଛି। ବଶର ଅଲ ଅସଦ ସିରିଆ ଛାଡି ପଳାୟନ କରିବା ପରେ ପ୍ରଥମ ଥର ପାଇଁ ପିଲାମାନେ ସ୍କୁଲ ଯିବା ଆରମ୍ଭ କରିଛନ୍ତି।