ନୂଆଦିଲ୍ଲୀ,୪।୮: ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ମାତ୍ ଦେବା ପରେ ଭାରତୀୟ ସେନା ନିଜକୁ ଆହୁରି ମଜବୁତ କରୁଛି। ଭବିଷ୍ୟତରେ ସମ୍ଭାବିତ ଯୁଦ୍ଧ ଓ ବଦଳୁଥିବା ଟେକ୍ନେଲୋଜିକୁ ଧ୍ୟାନରେ ରଖି ବଡ ପରିବର୍ତ୍ତନ କରୁଛି। ଏବେ ସେନାରେ ପ୍ରତ୍ୟେକ ବାଟାଲିଅନକୁ ମାନବ ବିହୀନ ଯୁଦ୍ଧ ବିମାନ ବା ୟୁଏଭି ମିଳିବ। ଏହା ସହ ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ସିଷ୍ଟମ ସାମିଲ କରିବା ନେଇ ଯୋଜନା ଚାଲିଛି।
ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ। ଯୁଦ୍ଧ କ୍ଷମତାକୁ ଆଧୁନିକ କରିବା ପାଇଁ ବ୍ୟାପକ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ଦିଗରେ ନିଆଯାଇଛି ଦ୍ରୁତ ପଦକ୍ଷେପ । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରତ୍ୟେକ ବାଟାଲିଅନ୍କୁ ଆଗକୁ ୟୁଏଭି , ଡ୍ରୋନ୍ ଓ ଆଣ୍ଟି ଡ୍ରୋନ୍ ସିଷ୍ଟମ ମିଳିବାକୁ ଯାଉଛି। ଏହା ଦ୍ବାରା ପାରମ୍ପରିକ ଓ ହାଇବ୍ରିଡ ଓ୍ବାରରେ ସେନାର ପ୍ରସ୍ତୁତିକୁ ମଜବୁତ କରିହେବ। ଏହି ପରିବର୍ତ୍ତନର ପକ୍ରିୟା ନେଇ ଗତ କିଛି ମାସ ହେବ ଚର୍ଚ୍ଚା ଥିଲା, କିନ୍ତୁ ମଇରେ ହୋଇଥିବା ଅପରେସନ୍ ସିନ୍ଦୂର ପରେ ଏହାକୁ ବଢାଇ ଦିଆଯାଇଛି। ଏହି ଅପରେସନ୍ରୁ ମିଳିଥିବା ଅନୁଭବ ଆଧାରରେ ବହୁ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନକୁ ଅନ୍ତିମ ରୂପ ଦିଆଯାଇଛି।
ସେନା ଏବେ ପ୍ରତ୍ୟେକ ବାଟାଲିଅନରେ ଡେଡିକେଟେଡ ଡ୍ରୋନ୍ ଅପରେସନ୍ ୟୁନିଟ୍ ମୁତୟନ କରିବ। ଏପର୍ଯ୍ୟନ୍ତ ଡ୍ରୋନ୍ର ଉପଯୋଗ ସୀମିତ ଥିଲା। କିନ୍ତୁ ନୂଆ ଷ୍ଟ୍ରକଚରରେ ଏହା ଏକ ପ୍ରାଥମିକ ଯୁଦ୍ଧାସ୍ତ୍ର ହେବ। ଇନଫାନଟ୍ରି, ଆର୍ଟିଲରୀ ଓ ସଶସ୍ତ୍ର ୟୁନିଟ୍ରେ ୟୁଏଭି ଓ କାଉଣ୍ଟର-ୟୁଏଭି ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବରେ ଇଣ୍ଟିଗ୍ରେଟ୍ କରାଯିବ। ପ୍ରତ୍ୟେକ ଇନଫାନଟ୍ରି ବାଟାଲିଅନ୍ ଭିତରେ ପ୍ରାୟ ୭୦ ସୈନିକଙ୍କୁ ଡ୍ରୋନ୍ ଅପରେସନ୍ ଓ ସେ ସମ୍ପର୍କିତ ଦାୟିତ୍ବ ପାଇଁ ପୁନଃନିୟୋଜିତ କରାଯିବ।
ଏହି ପୁନଃଗଠନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୩୦ଟି ନୂତନ 'ଭୈରବ' ଲାଇଟ୍ କମାଣ୍ଡୋ ବାଟାଲିୟନ ଗଠନ ହେବ । ପ୍ରତ୍ୟେକ ବାଟାଲିୟନରେ ପ୍ରାୟ ୨୫୦ ସୈନିକ ରହିବେ, ଯେଉଁମାନେ ସ୍ୱତନ୍ତ୍ର ଅପରେସନ ପାଇଁ ତାଲିମ ପାଇବେ। ଏହି ବାଟାଲିୟନଗୁଡ଼ିକୁ ସେମାନଙ୍କର ତାଲିମ ଏବଂ ଉପକରଣ ସେମାନଙ୍କର ମିଶନ ପ୍ରୋଫାଇଲ୍ ଅନୁସାରେ ସ୍ଥିର କରାଯିବ। ସେନାର ପଦାତିକ ରେଜିମେଣ୍ଟାଲ୍ ସେଣ୍ଟରଗୁଡ଼ିକୁ ଏହି ୟୁନିଟ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶା କରାଯାଉଛି ଯେ ପ୍ରଥମ ଭୈରବ ବାଟାଲିୟନ ଗୋଟିଏ ମାସ ମଧ୍ୟରେ ସକ୍ରିୟ ହେବ। ସେନା ରୁଦ୍ର ବିଗେଡ୍ ନାମରେ ଇଣ୍ଟିଗ୍ରେଟେଡ୍ ୟୁନିଟ୍ ମଧ୍ୟ ଗଠନ କରୁଛି। ଏଥିରେ ଇନଫାନଟ୍ରି, ଟ୍ୟାଙ୍କ ଆର୍ଟିଲରୀ, ଡ୍ରୋନ୍ ଓ ଲଜିଷ୍ଟିକ୍ ୟୁନିଟ୍ ମଧ୍ୟ ରହିବ।