ନୂଆଦିଲ୍ଲୀ,୨୫/୦୭: ସହମତିରେ ଶାରୀରିକ ସମ୍ପର୍କର ଆଇନଗତ ବୟସ ୧୮ରୁ ୧୬କୁ ହ୍ରାସ କରିବାକୁ ବରିଷ୍ଠ ଓକିଲ ତଥା ନ୍ୟାୟମିତ୍ର (ଆମିକସ୍ କ୍ୟୁରୀ) ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ରଖିଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ‘ନିପୁଣ ସକ୍ସେନା ବନାମ ଭାରତ ସରକାର’ ମାମଲାରେ ଆମିକସ୍ କ୍ୟୁରୀ କୋର୍ଟଙ୍କ ସହାୟତା କରୁଛନ୍ତି ।
ସେ ନିଜ ଲିଖିତ ଦଲିଲରେ ଦର୍ଶାଇଛନ୍ତି ଯେ, ୧୬ରୁ ୧୮ ବର୍ଷ ବୟସ ଭିତରେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଅପରାଧିକ କରାଯିବା ଭୁଲ୍ । ଏହି ପ୍ରାବଧନ ପୋକ୍ସୋ ଆଇନ ୨୦୧୨ ଏବଂ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅଧୀନରେ ଆସୁଛି ।
ଜୟସିଂ କହିଛନ୍ତି, ବର୍ତ୍ତମାନର ଆଇନ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଛି । ଏହା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ । ଉତ୍ତମ ବୁଝାମଣା ଏବଂ ନିର୍ଣ୍ଣୟ ନେବା ଲାଗି ଦକ୍ଷତା ରଖୁଥିବା କିଶୋର କିଶୋରୀ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ଏହି ଆଇନ ତାହାକୁ ଯୌନ ଶୋଷଣ ଭାବେ ଦେଖୁଛି ।
ସହମତିରେ ସମ୍ପର୍କର ବୟସ ୧୬ରୁ ୧୮ କରାଯିବାର କୌଣସି ଠୋସ୍ କିମ୍ବା ବୈଜ୍ଞାନିକ କାରଣ ନାହିଁ । ୭୦ ବର୍ଷ ଧରି ଏହି ବୟସ ୧୬ ବର୍ଷ ହିଁ ଥିଲା । କିନ୍ତୁ ୨୦୧୩ରେ ଅପରାଧିକ (ସଂଶୋଧନ) ଆଇନ ପରେ ଏହାକୁ ବଢ଼ାଯାଇଥିଲା, ତାହା ପୁଣି ବିନା କୌଣସି ବିତର୍କରେ । ଜଷ୍ଟିସ୍ ବର୍ମାଙ୍କ କମିଟି ମଧ୍ୟ ସହମତିରେ ସମ୍ପର୍କର ବୟସକୁ ୧୬ ବର୍ଷ ହିଁ ରଖିବାକୁ ସୁପାରିସ୍ କରିଥିଲେ । ଆମିକସ୍ କ୍ୟୁରୀ ଆହୁରି କହିଛନ୍ତି, ଆଜି ସମୟରେ କିଶୋରମାନେ ବେଶ୍ ପୂର୍ବରୁ ଯୌବନାବସ୍ଥାରେ ପହଞ୍ଚି ଯାଉଛନ୍ତି ଏବଂ ସେମାନେ ନିଜେ ନିର୍ଣ୍ଣୟ ନେବାକୁ ମଧ୍ୟ ସକ୍ଷମ । ସେମାନେ ନିଜ ମନରେ ରୋମାଣ୍ଟିକ୍ ଏବଂ ଯୌନ ସମ୍ପର୍କର ବିଚାର କରିପାରନ୍ତି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ତଥ୍ୟ ମଧ୍ୟ କହୁଛି ଯେ କିଶୋର କିଶୋରୀ ଶାରୀରିକ ସମ୍ପର୍କ ରଖିବା କୌଣସି ଆସାଧାରଣ କଥା ନୁହେଁ । ୨୦୧୭ରୁ ୨୦୨୧ ମଧ୍ୟରେ ୧୬ରୁ ୧୮ ବର୍ଷ ବୟସର କିଶୋରଙ୍କ ବିରୋଧରେ ପୋକ୍ସୋ ମାମଲାରେ ୧୮୦ ପ୍ରତିଶତ ବୃଦ୍ଧି ଘଟିଛି ।
ସେ ଦର୍ଶାଇଛନ୍ତି ଯେ, ଅଧିକାଂଶ ମାମଲା ଝିଅର ଇଚ୍ଛା ବିରୋଧରେ ତାଙ୍କ ବାପାମା’ଙ୍କ ପକ୍ଷରୁ ରୁଜୁ କରାଯାଉଛି । ବିଶେଷକରି ଯଦି ସେହି ମାମଲା ଜାତି କିମ୍ବା ଧର୍ମ ସମ୍ବନ୍ଧୀୟ ହୋଇଥାଏ । ଏପରି ମାମଲାକୁ ଅପରାଧ ବିବେଚନା କରାଯିବା ଦ୍ୱାରା କିଶୋର କିଶୋରୀ ଭୟରେ ଲୁଚନ୍ତି, ତରବରିଆ ଭାବେ ଲୁଚିଛପି ବିବାହ କରିଥାନ୍ତି । ଏଥିଯୋଗୁ ଅଧିକାଂଶ ସମୟରେ ସେମାନେ ଆଇନଗତ ବିବାଦରେ ଛନ୍ଦି ହୋଇଯାଆନ୍ତି । ବାସ୍ତବରେ ସେମାନଙ୍କ ସହ ଖୋଲାଖୋଲି ଆଲୋଚନା ଏବଂ ଯୌନ ଶିକ୍ଷା ଦେବାର ଆବଶ୍ୟକତା ରହିଛି ।
ଇନ୍ଦିରା ଜୟସିଂ ପ୍ରସ୍ତାବ ଦେଇଛନ୍ତି ଯେ, ଆଇନରେ ‘କ୍ଲୋଜ୍-ଇନ୍-ଏଜ୍ଏକ୍ସେପସନ୍’ ପ୍ରାବଧାନ ଯୋଡ଼ାଯାଉ । ଏଥିରେ ୧୬ରୁ ୧୮ ବର୍ଷ ବୟସର କିଶୋରଙ୍କ ମଧ୍ୟରେ ସହମତିରେ ବନୁଥିବା ଶାରୀରିକ ସମ୍ପର୍କକୁ ଅପରାଧ ବିବେଚନା କରା ନ ଯାଉ । ଏଥିସହ ଏପରି ମାମଲାକୁ ପୋକ୍ସୋ ଆଇନରୁ ବାହାରେ ରଖାଯାଉ । ସେ ଅନ୍ତର୍ଜାତୀୟ ନିୟମ ଏବଂ ଭାରତରେ ଥିବା ନିୟମ ଓ ଆଇନଗତ ଫଇସଲାର ଉଦାହରଣ ଦେଇଥିଲେ । ଯେଉଁଥିରୁ ଏହା ପ୍ରମାଣିତ ହେଉଛି ଯେ ନିଷ୍ପତ୍ତି ନେବାର କ୍ଷମତା କେବଳ ବୟସ ଆଧାରିତ ହୋଇ ନ ଥାଏ ।