ରାଜ୍ୟରେ ସିଏମ୍ କିଷାନ ଯୋଜନାରେ ସହରାଞ୍ଚଳର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରି ସରକାର ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ଏହି ଯୋଜନା ସହାୟତା ରାଶି ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ କିଣିବା ସହିତ ଶ୍ରମ ଦେୟ ଏବଂ ଅନ୍ୟାନ୍ୟ ଚାଷଜନିତ ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିବ ।
ରାଜ୍ୟର ଅଧିକାଂଶ ଜନସଂଖ୍ୟାର ମୁଖ୍ୟ ଆଧାର ହେଉଛି କୃଷି, ଯେଉଁମାନେ କି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିଜର ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ମିଳିତ ଭାବରେ ମୋଟ୍ ଶ୍ରମଶକ୍ତିର ୪୯% (ପିଏଲ୍ଏଫ୍ଏସ୍, ୨୦୨୩-୨୪) ନିୟୋଜିତ କରନ୍ତି ଏବଂ ରାଜ୍ୟର ଏକମାତ୍ର ବୃହତ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ରୂପେ ପରିଗଣିତ । ବିଗତ ଦିନର କୃଷି ଏବଂ ଆଜିର କୃଷି ଭିତରେ ଅନେକ ବାଟ ଆମେ ଆଗେଇ ଆସିଛେ, ଦୀର୍ଘ ଏକବର୍ଷ ଧରି ନିରବଚ୍ଛିନ୍ନ ଭାବରେ କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯାଇପାରିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ।
ରାଜ୍ୟର କୃଷିକ୍ଷେତ୍ର ସଠିକ୍ କୃଷିନୀତି, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଜଳବାୟୁ ପ୍ରତିରୋଧୀ କୃଷିପଦ୍ଧତି ଏବଂ ଡିଜିଟାଇଜେସନ୍ ଭଳି ପଦକ୍ଷେପ ଗ୍ରହଣ କରି ଉଲ୍ଲେଖନୀୟ ଅଭିବୃଦ୍ଧି ଓ ରୂପାନ୍ତରଣ ଆଣିପାରିଛି । ଏତଦ୍ ବ୍ୟତୀତ ରାଜ୍ୟର କୃଷିକ୍ଷେତ୍ର ଏକ ପ୍ରଗତିଶୀଳ ପରିବର୍ତ୍ତନ ଦେଇ ଗତିକରୁଛି, ଫଳରେ ଏହା ରେକର୍ଡ ପରିମାଣ ଖାଦ୍ୟଶସ୍ୟ ଉତ୍ପାଦନ, ଆବଶ୍ୟକୀୟ ନିବେଶ ଏବଂ ଅନ୍ତର୍ଭୁକ୍ତୀକରଣ ପଦ୍ଧତିକୁ ଆପଣାଇ ଏକ ନୂତନ ସମ୍ଭାବନା ଦିଗରେ ଅଗ୍ରସର ହେଉଛି । ରାଜ୍ୟ ଏହାର ବଜେଟ୍ ଆବଣ୍ଟନ, ଅଭିନବ ଯୋଜନା ପ୍ରଣୟନ, କୃଷିକ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଏବଂ ସମସ୍ତ ସାମାଜିକ ବର୍ଗମାନଙ୍କ ବିକାଶ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି କରିଛି ।
ରାଜ୍ୟ ସରକାର ୨୦୨୪-୨୫ ବର୍ଷଠାରୁ ରାଜ୍ୟରେ କୃଷି ବିକାଶ ଧାରାର ଏକ ବ୍ୟାପକ ଆଭିମୁଖ୍ୟକୁ ପ୍ରତିଫଳିତ କରିବା ସଙ୍ଗେ ସଙ୍ଗେ ଆର୍ଥିକ ସହାୟତା, ଭିତ୍ତିଭୂମି ବିକାଶ, ନୀତି ସମନ୍ୱୟ³ ଅନ୍ତର୍ଜାତୀୟ, ଜାତୀୟ, ରାଜ୍ୟସ୍ତରୀୟ ଗବେଷଣା ଏବଂ ବିକାଶରେ ଅଂଶୀଦାର ସଂସ୍ଥାମାନଙ୍କ ସହିତ ସହଯୋଗକୁ ସମନ୍ୱିତ କରିପାରିଛି । ରାଜ୍ୟର କ୍ଷୁଦ୍ର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଏବଂ ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି, ଯାହାକି ବିଗତ ତିନି ବର୍ଷର କୃଷି ବଜେଟ୍ ଆବଣ୍ଟନରେ ପ୍ରତିଫଳିତ ହୋଇଛି । ଏହା ସରକାରଙ୍କ କୃଷି ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ।
ରାଜ୍ୟର ଧାନଚାଷୀମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବା ଏବଂ ଚାଷୀମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷରୁ ଚାଷୀମାନଙ୍କ ନିମନ୍ତେ "ସମୃଦ୍ଧ କୃଷକ ଯୋଜନା’ ନାମରେ ଏକ ନୂତନ ଯୋଜନା ପ୍ରଣୟନ କରି ଇନପୁଟ୍ ସହାୟତା ବାବଦକୁ ଚାଷୀମାନଙ୍କୁ ପ୍ରତି କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି (୨୩୦୦ ଟଙ୍କା) ସହିତ ଅତିରିକ୍ତ ୮୦୦ ଟଙ୍କା ମିଶେଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଇ ଧାନ କ୍ରୟ କରାଯାଉଛି । ୨୦୨୩-୨୪ ଖରିଫ ଋତୁରେ ୧୩.୩୬ ଲକ୍ଷ ଚାଷୀଙ୍କଠାରୁ ୫୮.୦୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା ଏବଂ ୨୦୨୪- ୨୫ ବର୍ଷରେ ୧୬.୬୦ ଲକ୍ଷ ଚାଷୀଙ୍କଠାରୁ ୭୩.୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି ।
ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ କୃଷିକ୍ଷେତ୍ର ଏବଂ ଖାଦ୍ୟ ଥାଳିରେ ପୁଷ୍ଟିଶସ୍ୟକୁ ପୁନରୁଦ୍ଧାର କରିବାର ଦାୟିତ୍ୱ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଏବଂ ଜଳବାୟୁ-ପ୍ରତିରୋଧୀ ପୁଷ୍ଟିଶସ୍ୟ-ଆଧାରିତ କୃଷିପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଆଣିବା, ଅନ୍ତର୍ଭୁକ୍ତୀକରଣ, ସାମାଜିକ ନ୍ୟାୟ ନୀତି ସହିତ ମହିଳା ଏବଂ ଆଦିବାସୀ ସମ୍ପ୍ରଦାୟର ଉନ୍ନତ ଆୟ, ପୋଷଣ ଏବଂ ସଶକ୍ତୀକରଣକୁ ସୁନିଶ୍ଚିତ କରିବା ସହ ଆମ ରାଜ୍ୟକୁ ପୁଷ୍ଟି ଶସ୍ୟ ହବ୍ରେ ପରିଣତ କରିବା ପାଇଁ ସରକାର ଦୃଢ଼ ପରିକର । ଏହି ଅଭିଯାନ ବର୍ତ୍ତମାନ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୭୭ଟି ବୃଷ୍ଟିପୁଷ୍ଟ ବ୍ଲକରେ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ସରକାର ପ୍ରତି କ୍ୱିଣ୍ଟାଲ ପିଛା ୪୨୯୦ଟଙ୍କା ସର୍ବାଧିକ ସହାୟକ ମୂଲ୍ୟ ବ୍ୟତୀତ କ୍ୱିଣ୍ଟାଲ ପିଛା ଅତିରିକ୍ତ ୨୧୦ଟଙ୍କା ବର୍ଦ୍ଧିତ ପ୍ରୋତ୍ସାହନ ସହାୟତା ପ୍ରଦାନ କରି ମାଣ୍ଡିଆ କ୍ରୟ କରୁଛନ୍ତି । ୨୦୨୪- ୨୫ ବର୍ଷରେ ୭.୬୪ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି । କୃଷିକୁ ଅଧିକ କାର୍ଯ୍ୟକ୍ଷମ, ଲାଭଦାୟକ ଏବଂ ଯୁବପିଢ଼ିଙ୍କୁ କୃଷିପ୍ରତି ଆକର୍ଷିତ କରିବା ପାଇଁ କୃଷି ଯନ୍ତ୍ରପାତିକୁ ଲୋକପ୍ରିୟ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଗ୍ରହଣ କରିଛନ୍ତି ।
କୃଷି ଉତ୍ପାଦନ ଏବଂ ଖାଦ୍ୟଶସ୍ୟର ଉପଲବ୍ଧତା ବୃଦ୍ଧି, କୃଷି ରପ୍ତାନି ବୃଦ୍ଧି, ଶ୍ରମିକ ଅଭାବକୁ ହ୍ରାସ, ଦୁର୍ଲଭ ପ୍ରାକୃତିକ ସମ୍ପଦ ଏବଂ କୃଷି ସାମଗ୍ରୀର ବିଚାରପୂର୍ଣ୍ଣ ବ୍ୟବହାରକୁ ସହଜ କରିବା ନିମନ୍ତେ କୃଷି ଯାନ୍ତ୍ରିକୀକରଣ ଉପରେ ଧ୍ୟାନ ଦିଆଯାଇଛି । ୨୦୨୪-୨୫ରେ ରାଜ୍ୟର କୃଷି ଶକ୍ତି ବ୍ୟବହାର ୨.୬୦ କିଲୋୱାଟ/ହେକ୍ଟରରେ ପହଞ୍ଚିଛି । ୨୦୩୬ ସୁଦ୍ଧା ଏହା ୩.୫ କିଲୋୱାଟ/ ହେକ୍ଟରରେ ପହଞ୍ଚିବା ପାଇଁ ଯୋଜନା ରହିଛି । ରାଜ୍ୟର କୃଷି ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସରକାର ଚାଷୀମାନଙ୍କୁ ରିହାତି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରି ଉନ୍ନତ କୃଷି ଯନ୍ତ୍ରପାତି ଏବଂ ଉପକରଣ କ୍ରୟ କରିବାକୁ ଉତ୍ସାହିତ କରିଆସୁଛନ୍ତି । ରାଜ୍ୟରେ ସିଏମ୍ କିଷାନ ଯୋଜନାରେ ସହରାଞ୍ଚଳର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରି ସରକାର ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ଏହି ଯୋଜନା ସହାୟତା ରାଶି ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ କିଣିବା ସହିତ ଶ୍ରମ ଦେୟ ଏବଂ ଅନ୍ୟାନ୍ୟ ଚାଷଜନିତ ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିବ ।
ରାଜ୍ୟରେ ରସାୟନମୁକ୍ତ ଜୈବିକ ଚାଷକୁ ଉତ୍ସାହିତ କରିବା ନିମନ୍ତେ "ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ' ପରି ଏକ ପ୍ରମୁଖ କାର୍ଯ୍ୟକ୍ରମ ଜରିଆରେ ମୃତ୍ତିକାର ଜୈବ ଅଙ୍ଗାର ବୃଦ୍ଧି ନିମନ୍ତେ ତାଲିମ ଦିଆଯିବ । କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଏବଂ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ଜୈବିକ କୃଷିକୁ ରୂପାନ୍ତରଣ ନିମନ୍ତେ କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ଜୈବ ଉତ୍ପାଦ କେନ୍ଦ୍ରର ସ୍ଥାପନା, କୃଷକମାନଙ୍କୁ ପ୍ରୋତ୍ସାହନ ପ୍ରଦାନ, ଜୈବିକ ବିହନ ଉତ୍ପାଦନ, ମୂଲ୍ୟଯୋଗକରଣ ଏବଂ ଜୈବିକ ଉତ୍ପାଦର ବଜାର ସମ୍ପର୍କ ସ୍ଥାପନା ଦ୍ୱାରା ରପ୍ତାନିକୁ ପ୍ରୋତ୍ସାହିତ କରାଯିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ । କୃଷି ବିପଣନ ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ସୁଦୃଢ଼ କରିବା ନିମନ୍ତେ ରାଜ୍ୟରେ ଶୀତଳଭଣ୍ଡାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ୫୮ଟି ଉପଖଣ୍ଡ ସ୍ତରରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ଘରୋଇ ସହଭାଗିତାରେ ପ୍ରତିଷ୍ଠା କରାଯାଇ ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ସହ କୃଷି ଉତ୍ପାଦର ଉପଯୁକ୍ତ ମୂଲ୍ୟ ଦ୍ୱାରା ବଜାର ସୁବିଧା ଯୋଗାଇ ଦେଇ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରାଯାଇପାରିବା ସହ ଅଭାବୀ ବିକ୍ରି ମଧ୍ୟ ରୋକାଯାଇ ପାରିବ । କୃଷକମାନଙ୍କର ଉତ୍ପାଦର ମୂଲ୍ୟଯୁକ୍ତ, ବିକ୍ରିବଟା ଓ ବଜାର ସଂଯୋଗୀକରଣ ପାଇଁ କୃଷକ ଉତ୍ପାଦକ ସଂଗଠନମାନଙ୍କର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ସହଯୋଗ କରାଯାଉଛି ।
କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା ୧୦୦ଟି ଆଦିବାସୀ ବହୁଳ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର (ଏପିସିଏସ୍) ସ୍ଥାପନ କରାଯାଇ ଜୀବିକା ସମ୍ପଦ ସୃଷ୍ଟି କରିବା ସହିତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ପାଇଁ ବଜାର ସଂଯୋଗର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯାଇଛି । ୧୬ଟି ଜିଲ୍ଲାର ୧୦୦ଟି ବ୍ଲକରେ ୨,୫୮,୩୫୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ନେଇ ୨୧୪୮ ଉତ୍ପାଦକ ଗୋଷ୍ଠୀ ଏବଂ ୬୨ ଉତ୍ପାଦକ କମ୍ପାନୀକୁ ପ୍ରୋତ୍ସାହିତ କରାଯାଇଛି । ଉତ୍ପାଦକ ଗୋଷ୍ଠୀର ଚାଷୀମାନଙ୍କ ଦ୍ୱାରା ୧୧୩୭୭ ଲକ୍ଷ ଟଙ୍କାର ସାମୂହିକ ବିପଣନ କରାଯାଇଛି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ତଥା ଏହାର ଆନୁସଙ୍ଗିକ କ୍ଷେତ୍ରରେ ବିନିଯୋଗର ଅଭିବୃଦ୍ଧି ନିମନ୍ତେ ଯୁବ ଉଦ୍ୟୋଗୀମାନଙ୍କ ବ୍ୟବସାୟ ଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ସହ ନିଜର ଆର୍ଥିକ ଉନ୍ନତି ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରାଜ୍ୟ ସରକାରଙ୍କ ଏକ ମୁଖ୍ୟ ଯୋଜନା, ଯେଉଁଥିରେ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବାର ବ୍ୟବସ୍ଥା ଅଛି । ରାଜ୍ୟର କୃଷିକ୍ଷେତ୍ରରେ ଆପିକଲ ଏକ ପ୍ରେରକ ଶକ୍ତି ରୂପେ କାମ କରିଚାଲିଛି, ଯେଉଁଥିରେ କୃଷି ଉଦ୍ୟୋଗୀମାଙ୍କୁ ସଶକ୍ତ କରିବା ସହ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।
କୃଷିକ୍ଷେତ୍ରରେ ଜଳ ସଂରକ୍ଷଣ ଆବଶ୍ୟକତାକୁ ଆଖିଆଗରେ ରଖି ରାଜ୍ୟ ସରକାର ଯନ୍ତ୍ର ସାହାଯ୍ୟରେ କ୍ଷେତପୋଖରୀ ଖନନ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏହି କ୍ଷେତପୋଖରୀ କୃଷି କାର୍ଯ୍ୟ ତଥା ଉଚ୍ଚ ମୂଲ୍ୟଯୁକ୍ତ ଫସଲ ଏବଂ ପନିପରିବା ଚାଷ କରିବାରେ ସହାୟତା କରିବା ସହିତ ଗୃହ ଓ ପ୍ରାଣୀ ପାଳନ ନିମିତ୍ତ ଜଳ ଯୋଗାଇଥାଏ । ଏହା ମାଧ୍ୟମରେ ଜଳବାୟୁର ସ୍ଥାୟୀ ସଂରଚନା ସହିତ କୃଷକଙ୍କ ଆୟକୁ ବହୁଗୁଣ ଏବଂ ବାରମ୍ବାର ଅନିୟମିତ ପାଣିପାଗ ଘଟଣାକୁ ପ୍ରତିହତ କରିବାରେ ସାହାଯ୍ୟ କରିଥାଏ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସୁନାମ ପ୍ରାପ୍ତ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହାୟତାରେ ଅନ୍ତର୍ଭୁକ୍ତ ଓ ପରିବେଶ ଅନୁକୂଳ କୃଷିକୁ ପ୍ରାଧାନ୍ୟ ଦେଇ ସହଭାଗିତାରେ ଜଳବାୟୁ ପରିବର୍ତ୍ତନ ଆଧାରିତ କୃଷି, ତଥ୍ୟ ଆଧାରିତ କୃଷି, ଲିଙ୍ଗଗତ ସାମ୍ୟତା ଓ ବିଜ୍ଞାନଭିତ୍ତିକ କୃଷି ଉପରେ ଗୁରୁତ୍ୱ ଦିଆଯାଉଛି ।
ରାଜ୍ୟର କୃଷି ପ୍ରଗତି ପଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଭାବଶାଳୀ ନେତୃତ୍ୱ ଓ ଦିଗଦର୍ଶୀ ଯୋଜନା ପ୍ରଣୟନ ନିଶ୍ଚିତ ଭାବରେ ଓଡ଼ିଶାକୁ ଏକ ବଳିଷ୍ଠ କୃଷି ନେତୃତ୍ୱ ଦେବା ସଙ୍ଗେ ସଙ୍ଗେ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ନିମନ୍ତେ ଏକ ସଫଳ ସୋପାନ ପ୍ରସ୍ତୁତି ସହ ରାଜ୍ୟର କୃଷି ପ୍ରଗତିକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହୋଇପାରିଛି ।