ଭୁବନଶ୍ବେର,୧୯/୦୨: ବିଧାନସଭା ବଜେଟ୍ ଅଧିବେଶନ । ୨୦ ତାରିଖରେ ଗୃହରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇକୋନୋମିକ୍ ସର୍ଭେ ରିପୋର୍ଟକୁ ବିଧାନସଭାରେ ରଖିଛନ୍ତି । ଏଥିରେ ରାଜ୍ୟର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଓ ଖାଦ୍ୟଶସ୍ୟ ଉତ୍ପାଦନ ଅକଳନ କରାଯାଇଛି ।

କୃଷି କ୍ଷେତ୍ର:

ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଆକଳନ କରାଯାଇଛି । ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାର ୧୯.୬ ପ୍ରତିଶତ ହେବା ଅନୁମାନ । ଯାହା ସର୍ବଭାରତୀୟ ସ୍ତରରେ ଥିବା୧୬.୮ ପ୍ରତିଶତ ଠାରୁ ଅଧିକ।

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ୨୦୨୫-୨୬ରେ ୫.୩ ପ୍ରତିଶତ ଦୃଢ଼ ଅଭିବୃଦ୍ଧି ହାର ପଞ୍ଜିକୃତ ହୋଇଛି । ଯାହା ଜାତୀୟ ସ୍ତରରେ ୩.୧ ପ୍ରତିଶତ ଥିଲା। ଓଡ଼ିଶାରେ କୃଷି କ୍ଷେତ୍ରର ହାରାହାରି ଅଭିବୃଦ୍ଧି ହାର ଜାତୀୟ ସ୍ତର ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ କରୁଛି।

ଖାଦ୍ୟଶସ୍ୟ ଉତ୍ପାଦନ:

ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନନ ୨୦୨୩-୨୪ରେ ୧୪୩.୦୪ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୪-୨୫ରେ ଏହା ସର୍ବାଧିକ ୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ରେକର୍ଡ ହୋଇଛି । ୨୦୨୪-୨୫ରେ ଚାଉଳ ଉତ୍ପାଦନ ୧୧୧୮.୬ ଲକ୍ଷ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୨୩-୨୪ ଠାରୁ ୨.୮ ପ୍ରତିଶତ ବୃଦ୍ଧି ପାଇଛି । ଚାଉଳ ଉତ୍ପାଦନ ବୃଦ୍ଧିକୁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, ଅଧିକ ଏମ୍ଏସ୍ପି ଏବଂ ଇନପୁଟ୍ ସବସିଡ଼ି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ସହଯୋଗ କରାଯାଇଛି । କପା, ମକା, ପନିପରିବା, ମସଲା ଇତ୍ୟାଦି ଅର୍ଥକାରୀ ଫସଲ ଚାଷ ସହିତ ଓଡ଼ିଶାରେ ଫସଲ ବିବିଧକରଣ ବୃଦ୍ଧି ପାଉଛି, ଯାହା କୃଷକ ନିଶ୍ଚିତ ଆୟ ବୃଦ୍ଧି କରିବ।

ଖାଦ୍ୟଶସ୍ୟ ସଂଗ୍ରହ:

ଧାନ ଏବଂ ମାଣ୍ଡିଆ କ୍ରୟ ଯଥେଷ୍ଟ ବୃଦ୍ଧି ପାଇଛି ଯାହା ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଲାଭାନ୍ବିତ କରିଛି। ୨୦୨୪-୨୫ରେ ପ୍ରାୟ ୨୦ଲକ୍ଷ ଚାଷୀଙ୍କ ଠାରୁ ୯୧.୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା ଏବଂ ଚାଷୀଙ୍କୁ ଏମ୍.ଏସ୍,ପି ବାବଦରେ ୨୧,୩୦୦ କୋଟି ଟଙ୍କାର ପ୍ରଦାନ କରାଯାଇଥିଲା ଏବଂ ଇନପୁଟ୍ ସବସିଡି ବାବଦରେ ୭,୧୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରାଜ୍ୟର ମୋଟ୍ ଧାନ ଉତ୍ପାଦନର ପ୍ରାୟ ୭୮ ପ୍ରତିଶତ ସରକାରୀ କ୍ରୟ ହୋଇଛି। ଯାହା ୨୦୨୩-୨୪ ରେ ମାତ୍ର ୬୧ ପ୍ରତିଶତ ଥିଲା। ସରକାର କ୍ବିଣ୍ଟାଲ ପିଛା ୪, ୨୯୦ ଟଙ୍କାର ଏମ୍ଏସ୍ପି ଦରରେ ମାଣ୍ଡିଆ କିଣୁଛନ୍ତି । ଏଥିରେ ଅତିରିକ୍ତ ପ୍ରୋତ୍ସାହନ ସହିତ କ୍ବିଣ୍ଟାଲ ପିଛା ୨୧୦ ଟଙ୍କା ଦିଆଯାଉଛି । ୨୦୨୪-୨୫ରେ ୮.୮ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା, ଯାହା ୨୦୨୩ -୨୪ ତୁଳନାରେ ଦୁଇଗୁଣରୁ ଅଧିକ।

ଜଳସେଚନ ଏବଂ ଫସଲର ତୀବ୍ରତା:

ଜଳସେଚନ ଭିତ୍ତିଭୂମିରେ ଓଡ଼ିଶା ଉଲ୍ଲେଖନୀୟ ପୁଞ୍ଜି ବିନିଯୋଗ କରିଛି। ରାଜ୍ୟର ଜଳସେଚନ କ୍ଷମତା ବର୍ତ୍ତମାନ ୭୪.୨ ଲକ୍ଷ ହେକ୍ଟର ଜମି ପହଞ୍ଚିଛି। ଯାହା ଉଭୟ ଖରିଫ ଏବଂ ରବି ଋତୁ ଅନ୍ତର୍ଭୁକ୍ତ କରେ।

ଜଳସେଚନ ସୁବିଧାର ସାମ୍ପ୍ରସାରଣ ଏବଂ ଧାନ ଚାଷ ପରିଚାଳନା କ୍ରାର୍ଯ୍ୟକ୍ରମକୁ କାର୍ଯକାରୀ କରିବା କାରଣରୁ ରାଜ୍ୟରେ ଫସଲ ତୀବ୍ରତା ବୃଦ୍ଧି ପାଇଁ ୨୦୨୦-୨୧ରେ ୧୫୮ ପ୍ରତିଶତ ଥିବା ବେଳେ ୨୦୨୪ -୨୫ରେ ଏହି ୧୬୫ ପ୍ରତିଶତ ପହଞ୍ଚିଛି।

ଦୁଗ୍ଧ ଉତ୍ପାଦନ:

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଗତ ବର୍ଷ ତୁଳନାରେ ୨୦୨୪-୨୫ରେ ପ୍ରାୟ ୩% ବୃଦ୍ଧି ପାଇ ୨୭.୧ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର “ଗୋମାତା” (ଗୋଲ ଫର ମ୍ୟାନେଜମେଣ୍ଟ ଆଣ୍ଡ୍ ଟ୍ରିଟମେଣ୍ଟ ଅଫ ଆନିମଲ୍ସ) ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ (ଏମକେୱାଇ) ଭଳି ଅନେକ ଯୋଜନା ଆରମ୍ଭ ହୋଇଛି ।

କୁକୁଡା ପାଳନ:

୨୦୨୦-୨୧ ପରଠାରୁ ଓଡିଶାର ଅଣ୍ଡା ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟର ଅଣ୍ଡା ଉତ୍ପାଦନ ୨୪ କୋଟି ଅଣ୍ଡାରୁ ୪୦୬ କୋଟି ଅଣ୍ଡାକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଜାତୀୟ ସ୍ତରରେ ପଞ୍ଜୀକୃତ ହୋଇଥିବା ଅଭିବୃଦ୍ଧି ହାରର ଏହା ଦୁଇଗୁଣରୁ ଅଧିକ।

ମତ୍ସ୍ୟ ଉତ୍ପାଦନ ଏବଂ ସାମୁଦ୍ରିକ ରପ୍ତାନି:

ଓଡିଶା ହେଉଛି ଦେଶର ୪ର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ। ୨୦୨୪-୨୫ରେ ମାଛ ଉତ୍ପାଦନ ପୂର୍ବ ତୁଳନାରେ ୬.୧ ପ୍ରତିଶତ ବୃଦ୍ଧି ପାଇ ୧୧.୯୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ସେହିପରି ଦେଶର ତୃତୀୟ ବୃହତ୍ତମ ସାମୁଦ୍ରିକ ମତ୍ସ୍ୟ ରପ୍ତାନିକାରୀ ରାଜ୍ୟ। ସାମୁଦ୍ରିକ ଚିଙ୍ଗୁଡି ରପ୍ତାନି ୨୦୨୯-୨୦ରେ ୩,୨୪୩.୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୪,୭୦୮.୧ କୋଟି ଟଙ୍କାରେ ପହଞ୍ଚିଛି। ଏଥିରେ ୭.୭ ପ୍ରତିଶତ ସିଏଜିଆର ରେକର୍ଡ କରାଯାଇଛି।

​​​​​​​ଅଧିକ ପଢ଼ନ୍ତୁ-ଅର୍ଥନୈତିକ ସର୍ଭେ ରିପୋର୍ଟ: ଆର୍ଥିକ ଅଭିବୃଦ୍ଧି ୯.୯ ଲକ୍ଷ କୋଟି ଟଙ୍କା ହେବା ଆକଳନ ​​​​​​​