ନୂଆଦିଲ୍ଲୀ,୧୭/୧୦: ରକ୍ତଦାନ ମହତଦାନ । ଏହା ଲୋକଙ୍କୁ ନୂଆ ଜୀବନ ଦେଇଥାଏ । ଗୁଜରାଟର ଏକ ୨୭ ସଦସ୍ୟବିଶିଷ୍ଟ ଯୌଥ ପରିବାର ଏହି କଥାର ମହତ୍ତ୍ୱ ବୁଝି ବିଗତ ୪ ଦଶନ୍ଧି ମଧ୍ୟରେ ପ୍ରାୟ ୬୩୦ ଲିଟର ରକ୍ତଦାନ କରିଛନ୍ତି । ପରିବାରର ସଦସ୍ୟ ମୌଲିନ୍ ପଟେଲ(୪୪)କହିଛନ୍ତି, ଆମ ପରିବାରରେ ୪ ଜଣ ସଦସ୍ୟ ୧୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି । ୧୬ ଜଣ ୫୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି । ମୋ’ ବାପା ଅଶୋକ ପଟେଲ୍(୭୨) ଓ ମା’ ଶକୁନ୍ତଳା (୭୧)୯୮ ଥର ରକ୍ତ ଦେଇଛନ୍ତି । ୧୯୮୫ ମସିହା, ଫେବ୍ରୁଆରୀ ମାସରେ ପଟେଲ୍ ପରିବାର ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ବଡ଼ବାପା ରମେଶ ପଟେଲ ଏକ ପ୍ରବଚନ କାର୍ଯ୍ୟକ୍ରମକୁ ଯାଇଥିବାବେଳେ ସେଠାରେ ରକ୍ତଦାନର ଗୁରୁତ୍ୱ ସଂପର୍କିତ ଆଲୋଚନା ତାଙ୍କ ମନକୁ ପାଇଥିଲା । ପରେ ସେହି ବର୍ଷ ସେ ଏକ ବଡ଼ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ସେଠାରୁ ସଂଗୃହୀତ ରକ୍ତକୁ ଥାଲାସେମିଆ ଆକ୍ରାନ୍ତ ରୋଗୀଙ୍କ ଲାଗି ଦିଆଯାଇଥିଲା । ଏହାପରେ ପରିବାରର ଅନ୍ୟ ସଦସ୍ୟମାନେ ନିୟମିତ ଭାବେ ରକ୍ତଦାନ କରିବାକୁ ପ୍ରେରିତ ହେଲେ । ଏଥିନେଇ ସେମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇଲେ । ୭୬ ବର୍ଷୀୟ ରମେଶ ୯୪ ଥର ରକ୍ତଦାନ କରିଛନ୍ତି । ବର୍ତ୍ତମାନ ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ କିଛି ବର୍ଷ ହେଲା ରକ୍ତଦାନ କରିବା ବନ୍ଦ କରିଦେଇଛନ୍ତି । ତେବେ ତାଙ୍କ ଝିଅ ଡିମ୍ପଲ, ପୁଅ ଅମୋଲଙ୍କ ସମେତ ପରିବାରର ଅନ୍ୟମାନେ ରକ୍ତଦାନ ଜାରି ରଖିଛନ୍ତି । ଅଦ୍ୟାବଧି ଆମ ପରିବାର ଲୋକେ ମିଶି ପ୍ରାୟ ୬୩୦ ଲିଟର ରକ୍ତଦାନ କରିଛନ୍ତି । ମୁଁ ନିଜେ ୧୦୦ରୁ ଅଧିକ ଥର ରକ୍ତଦାନ କରିଛି । ଭବିଷ୍ୟତରେ ଆମେ ଏହି କାର୍ଯ୍ୟ ଜାରି ରଖିବାକୁ ପ୍ରତିବଦ୍ଧ ବୋଲି ମୌଲିନ କହିଛନ୍ତି ।