ନୂଆଦିଲ୍ଲୀ ୧୪/୦୬: ‘ଅହମ୍ମଦାବାଦ ବିମାନ  ଦୁର୍ଘଟଣାରେ ପ୍ରାଣ ହରାଇଥିବା  ମୃତକଙ୍କ ପରିଜନଙ୍କୁ ଏକ କୋଟି  ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା  କରିଛି ଏୟାର ଇଣ୍ଡିଆ । ମୁଁ ଏୟାର ଇଣ୍ଡିଆକୁ  ୨ କୋଟି ଟଙ୍କା ଦେବି, ବଦଳରେ କଂପାନି ମୋ’  ବାପାଙ୍କୁ ଫେରାଉ । ଟଙ୍କା ଦେଇ କ’ଣ କେବେ ମଣିଷ  କିଣିହେବ । ସେ ଟଙ୍କାରେ ଆମେ ପଲଙ୍କ କିଣିପାରିବୁ ।  କିନ୍ତୁ ସେଥିରେ ଆମକୁ ନିଦ କେମିତି ହେବ । ମୋ ବାପା  ମୋତେ ଯେଉଁ ଭଲପାଇବା ଦେଉଥିଲେ ତାକୁ କେଉଁଠୁ  ପାଇବି ।’ ଏହି ଶାଣିତ ଶବ୍ଦ ହେଉଛି ଫାଲ୍‌ଗୁନିଙ୍କର ।  ବିମାନ ଦୁର୍ଘଟଣାରେ ନିଜ ବାପାଙ୍କୁ ହରାଇବା  ପରେ କୋହଭରା କଣ୍ଠରେ ଏହା କହିଛନ୍ତି  ସେ । 

ଫାଲ୍‌ଗୁନିଙ୍କ ଅନୁସାରେ,  ତାଙ୍କ ବାପା ଜଣେ ଦେଶଭକ୍ତ  ଥିଲେ । ନିଜକୁ  ଏୟାର ଇଣ୍ଡିଆର  ଗୌରବଶାଳୀ ଯାତ୍ରୀ ବୋଲି  ମନେ କରୁଥିଲେ। ଏୟାର ଇଣ୍ଡିଆ  ଆମର ଗର୍ବ, ଦେଶର ସମ୍ମାନ ବୋଲି  ଅଧିକାଂଶ ସମୟରେ କହୁଥିଲେ । ତାଙ୍କ ବାପାଙ୍କୁ  ଦେଶପ୍ରେମର କ’ଣ ଏହି ଫଳ ମିଳିଲା । ଏୟାର  ଇଣ୍ଡିଆ ବିମାନରେ ଯାତ୍ରା କରିବା କ’ଣ ତାଙ୍କର ଭୁଲ୍‌  ଥିଲା । ସୁରକ୍ଷିତ ଉଡ଼ାଣ ଭରିବାରେ ଅସମର୍ଥ ହେଉଥିବାରୁ  ଏୟାର ଇଣ୍ଡିଆ ତା’ର ସେବା ବନ୍ଦ କରିଦେଉ । ଏହା କିଛି  ମଜା କଥା ନୁହେଁ । କାହାର ଜୀବନଠାରୁ ବଡ଼ ଆଉ କିଛି  ନାହିଁ ବୋଲି ସେ କହିଛନ୍ତି । ସେହିପରି ଦୁର୍ଘଟଣା  ପରେ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କ  ପରିଜନଙ୍କ ପ୍ରତି କୌଣସି ପ୍ରକାର  ସମବେଦନା ବ୍ୟକ୍ତ କରାଯାଇନଥିବା  ଫାଲ୍‌ଗୁନି ଅଭିଯୋଗ  ଆଣିଛନ୍ତି ।