ଗୁଜରାଟ,୧୮/୦୬: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଜୁନ୍ ୧୨ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡ଼ାଣ ଭରିବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ବିମାନ ବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର ହଷ୍ଟେଲରେ ବାଡ଼େଇ ହୋଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା ବିମାନଟି । ସେହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବିମାନରେ ଥିବା ମୋଟ ୨୪୨ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଛାଡ଼ି କେହି ବର୍ତ୍ତିପାରିନଥିଲେ । ଏଥିଯୋଗୁ ବିଜେ ମେଡିକାଲ୍ କଲେଜର ହଷ୍ଟେଲରେ ରହୁଥିବା କିଛି ରେସିଡେଣ୍ଟ ଡାକ୍ତର ବି ପ୍ରାଣ ହରାଇଥିଲେ । ଇତିମଧ୍ୟରେ ମାନବିକତାର ଏକ ନିଆରା ଉଦାହରଣ ପ୍ରଦର୍ଶନ କରି ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀ ବିମାନ ଦୁର୍ଘଟଣାସ୍ଥଳରୁ ସଂଗ୍ରହ କରିଥିବା ୮୦୦ ଗ୍ରାମ ସୁନା, ୮୦ ହଜାର ଟଙ୍କାକୁ ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି ।
ତାଙ୍କର ଏଭଳି କାର୍ଯ୍ୟ ଲାଗି ସୋସିଆଲ୍ ମିଡିଆରେ ଲୋକେ ତାଙ୍କୁ ‘ପ୍ରକୃତ ହିରୋ’ ବୋଲି କହୁଛନ୍ତି । ସେଦିନର ଛାତିଥରା ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ରାଜେଶ ପଟେଲ(୫୬) ଓ ତାଙ୍କ ସହଯୋଗୀ ମାତ୍ର ୫ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ସେଠାରେ ଧୂଆଁର ମୋଟା ଆସ୍ତରଣ ଯୋଗୁ ଅନ୍ଧାର ଭଳି ହୋଇଯାଇଥିଲା । ଚାରିଆଡ଼େ ଆହତଙ୍କ ଆକୁଳ ଚିତ୍କାର ଶୁଭୁଥିଲା । ନିଆଁର ଧାସ ଯୋଗୁ ପ୍ରଥମ ୧୫- ୨୦ ମିନିଟ୍ ଧରି ସେମାନେ ଆହତଙ୍କ ନିକଟରେ ପହଞ୍ଚି ପାରିନଥିଲେ । ଅଗ୍ନିଶମ ବିଭାଗର ଗାଡ଼ି ଓ ଆମ୍ବୁଲାନ୍ସ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ଶାଢ଼ି-ବେଡ୍ସିଟ୍ରେ ଆହତଙ୍କୁ ଗୁଡ଼ାଇ ହସ୍ପିଟାଲ ପଠାଇଥିଲେ ରାଜେଶ ଓ ତାଙ୍କ ସହଯୋଗୀ । ଏହାପରେ ସେମାନେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗିଥିଲେ ।
ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡି଼ରହିଥିବା ପୋଡ଼ା ବ୍ୟାଗ୍ ମଧ୍ୟରୁ ଜରୁରି ସାମଗ୍ରୀ ସଂଗ୍ରହ କରିଥିଲେ । ସୁନା ଚୁଡ଼ି ଓ ଅନ୍ୟ ଗହଣା ସହିତ ସେମାନଙ୍କୁ ପ୍ରାୟ ୭୦ ତୋଳା ଅର୍ଥାତ୍ ୮୦୦ ଗ୍ରାମ ସୁନା ମିଳିଥିଲା । ସେହିପରି ନଗଦ ୮୦ ହଜାର, ଏକ ମୋବାଇଲ୍ ଫୋନ୍, ଏକ ଲାପଟପ୍, ୯ଟି ପାସ୍ପୋର୍ଟ ଓ ଅନ୍ୟ ସାମଗ୍ରୀ ମିଳିଥିଲା । ତାକୁ ସେମାନେ ତଦନ୍ତକାରୀ ଅଧିକାରୀଙ୍କୁ ଦେଇଥିଲେ । ଅନ୍ୟପଟେ ଘଟଣାସ୍ଥଳରୁ ମିଳିଥିବା ସାମଗ୍ରୀଗୁଡି଼କର ଦସ୍ତାବିଜକରଣ ପରେ ତାକୁ ମୃତକଙ୍କ ପରିଜନଙ୍କୁ ଫେରାଯିବ ବୋଲି ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି । ରାଜେଶ ପଟେଲଙ୍କ ଲାଗି ଏଭଳି ସମାଜକଲ୍ୟାଣମୂଳକ କାର୍ଯ୍ୟ କିଛି ନୂଆ କଥା ନୁହେଁ । ପୂର୍ବରୁ ୨୦୦୮ ଅହମ୍ମଦାବାଦ ସିରିଏଲ୍ ବିସ୍ଫୋରଣ ସମୟରେ ମଧ୍ୟ ସ୍ୱେଚ୍ଛାସେବୀ ଭାବେ ସେ କାର୍ଯ୍ୟ କରିଥିଲେ । ତାଙ୍କର ଏପରି କାର୍ଯ୍ୟକୁ ସୋସିଆଲ ମିଡିଆ ୟୁଜର୍ସ ରିୟଲ ହିରୋ ବୋଲି କହିଛନ୍ତି ।