ନୂଆଦିଲ୍ଲା,୨୨/୦୬:ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ଟେଷ୍ଟ କରାଯାଇଥିଲା। ଯାହା ପରେ ଏପର୍ଯ୍ୟନ୍ତ ୨୪୭ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି। ଆଉ ସେଥିମଧ୍ୟରୁ ୨୩୨ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସେହିପରି ପୂର୍ବ ନମୁନା ମେଳ ଖାଉ ନଥିବାରୁ ୮ ଜଣଙ୍କ ପରିବାରକୁ ଡିଏନଏ ପରୀକ୍ଷା ପାଇଁ ଅନ୍ୟ ସମ୍ପର୍କୀୟଙ୍କ ନମୁନା ଦେବାକୁ କୁହାଯାଇଛି।
ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଡାକ୍ତର ରାକେଶ ଜୋଶୀ କହିଛନ୍ତି, ଶନିବାର ସନ୍ଧ୍ୟା ସୁଦ୍ଧା ୨୪୭ ଟି ଡିଏନଏ ନମୁନା ମେଳ ହୋଇଛି। ଏହି ମୃତକଙ୍କ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରାଯାଇଛି। ଏପର୍ଯ୍ୟନ୍ତ ୨୩୨ ଜଣ ପୀଡିତଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହା ସହିତ ଅନ୍ୟ ଡିଏନଏ ନମୁନା ମଧ୍ୟ ଯାଞ୍ଚ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚିହ୍ନଟ ହୋଇଥିବା ୨୪୭ ଜଣ ପୀଡିତଙ୍କ ମଧ୍ୟରେ ୧୮୭ ଜଣ ଭାରତୀୟ,୫୨ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ୍ ନାଗରିକ ଏବଂ ଜଣେ କାନାଡିଆନ୍ ଅଛନ୍ତି। ସେହିପରି ବିମାନ ଦୁର୍ଘଟଣା ପରଠାରୁ ନିଖୋଜ ଥିବା ଗୁଜରାଟୀ ଚଳଚ୍ଚିତ୍ର ନିର୍ମାତା ମହେଶ ଜିରାୱାଲାଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଡିଏନଏ ପରୀକ୍ଷା ମାଧ୍ୟମରେ ତାଙ୍କୁ ଚିହ୍ନଟ କରାଯାଇଛି। ଯାହା ପରେ ତାଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି, "ଡିଏନଏ ପରୀକ୍ଷା ଦ୍ୱାରା ଜିରାୱାଲାଙ୍କ ପରିଚୟ ନିଶ୍ଚିତ ହେବା ପରେ ତାଙ୍କ ପରିବାର ଶୁକ୍ରବାର ତାଙ୍କ ମୃତଦେହକୁ ନେଇଯାଇଥିଲେ। ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା ତାଙ୍କ ସ୍କୁଟରକୁ ମଧ୍ୟ ଦୁର୍ଘଟଣାସ୍ଥଳ ନିକଟରୁ ଉଦ୍ଧାର କରାଯାଇଥିଲା। ପ୍ରକାଶ ଥାଉକି,ଜୁନ୍ ୧୨ ତାରିଖରେ,ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ବିଜେ ମେଡିକାଲ କଲେଜ ଏବଂ ସିଭିଲ୍ ହସ୍ପିଟାଲର ହଷ୍ଟେଲ କୋଠା ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିରେ ବିମାନରେ ଥିବା ୨୪୧ ଜଣ ଏବଂ ୧୦ ଜଣ,ଏବଂ ବାକି ୩୪ ଜଣଙ୍କ ମୃତ୍ୟୁ ହୋଇଥିଲା।