ଅହମ୍ମଦାବାଦ,୧୨।୬: ଲଣ୍ଡନ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦ ଏୟାପୋର୍ଟ ନିକଟରେ ଭୟଙ୍କର ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୨୦୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅହମ୍ମଦାବାଦ ପୋଲିସ କମିଶନର ଜିଏସ୍ ମଲିକ୍ ସୂଚନା ଦେଇଛନ୍ତି। ଏହାଛଡା ୪୧ରୁ ଅଧିକଙ୍କର ଏବେ ବି ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଉଡାଣ ଭରିବାର ମାତ୍ର କିଛି ମିନିଟ୍ ପରେ ବିମାନ ମେଘାନୀନଗର ମେଡିକାଲ କଲେଜ ପରିସରରେ ମାଡ଼ ହୋଇଥିଲା। ଇଣ୍ଟର୍ନ ଡାକ୍ତରଙ୍କ ହଷ୍ଟେଲରେ ବିମାନର ଏକ ଅଂଶ ମାଡ ହେବା କାରଣରୁ ୫ ମେଡିକାଲ ଷ୍ଟୁଡେଣ୍ଟଙ୍କ ମୃତ୍ୟୁ ହୋଇଛି। ଏହାଛଡା ଅନେକ ଆହତ ହୋଇଛନ୍ତି।
ପୋଲିସ କମିଶନର ମଲିକ୍ କହିଛନ୍ତି, ୨୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବର୍ତ୍ତମାନ ସୁଦ୍ଧା ଜଣାପଡିଛ।୨୦୪ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇ ସାରିଛି। ଏବେ ଏହା ସ୍ପଷ୍ଟ ହୋଇନି ଯେ, ସମସ୍ତେ ବିମାନର ଯାତ୍ରୀ କି ନୁହେଁ। ସେ କହିଛନ୍ତି, ଯେଉଁ ହଷ୍ଟେଲରେ ଏହା ମାଡ ହୋଇଥିଲା ସେଠାରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଯେଉଁ ଲୋକଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି ତାଙ୍କ ଭିତରୁ କେତେ ବିମାନରେ ଥିଲେ ଓ କେତେ ହଷ୍ଟେଲ ଓ ଆଖପାଖର ଲୋକ ଥିଲେ, ତାହା ଏବେ ସ୍ପଷ୍ଟ ହୋଇନି।
ଅମ୍ମଦାବାଦ ସ୍ବାସ୍ଥ୍ୟ ବିଭାଗର ଆଡିସନାଲ ଚିଫ୍ ସେକ୍ରେଟରୀ ଧନଞ୍ଜୟ ଦ୍ବିବେଦୀ କହିଛନ୍ତି, ଏୟାର ଇଣ୍ଡି ୧୭୧ ବିମାନରେ ୨୩୦ ପାସେଞ୍ଜରଙ୍କ ବୁକିଂ ଥିଲା। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଥିଲେ। ଏହାଛଡା ୧୨ ଜଣ କ୍ରୁ ମେମ୍ବର ଥିଲେ। ଟେକଅଫ୍ ହେବା ସାଙ୍ଗେ ସାଙ୍ଗେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଠି ବିମାନ ପଡିଛି ତାହା ଅହମ୍ମଦାବାଦ ସିଭିଲ ହସ୍ପିଟାଲ ହଷ୍ଟେଲ, ଷ୍ଟାଫ୍ କ୍ବାଟର ଓ ଆବାସିକ ଅଞ୍ଚଳ ଥିଲା। ସେଠାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ବିମାନର ଯେଉଁ ପାସେଞ୍ଜର ଥିଲେ ତାଙ୍କ ପରିବାର ଲୋକଙ୍କୁ ଅପିଲ କରାଯାଉଛି ସେମାନେ ତାଙ୍କର ଡିଏନ୍ଏ ସାମ୍ପଲ ଦିଅନ୍ତୁ। ଯାହାଫଳରେ ମୃତଦେହକୁ ଚିହ୍ନଟ କରିହେବ। ପୀଡିତଙ୍କ ପରିବାର ଲୋକଙ୍କୁ ଯଦି କିଛି ପଚରା ଉଚରା କରିବାର ଅଛି ତେବେ ହେଲପ୍ ଲାଇନ୍ ନମ୍ବର ୬୩୫୭୩୭୩୮୩୧ ଓ ୬୩୫୭୩୭୮୪୧ ରେ ଯୋଗାଯୋଗ କରିପାରିବେ।