ଭୁବନେଶ୍ୱର,୨୬/୧୨: ସତୁରୀ ଦଶକର ଶେଷ ଏବଂ ଅଶୀ ଦଶକର ଆରମ୍ଭରୁ ହୋଇଥିଲା ଗ୍ରୀଟିଙ୍ଗସ ଯୁଗ । ୯୦ ଦଶକରେ ଏହା ଯେମିତି ଟ୍ରେଣ୍ଡ୍ ପାଲଟିଯାଇଥିଲା । ସ୍କୁଲ, କଲେଜ ପିଲା ଗ୍ରୀଟିଙ୍ଗସ୍ କାର୍ଡ କିଣିବାକୁ ବ୍ୟାକୁଳ ହୋଇଯାଉଥିଲେ । ଖାଲି ସେତିକି ନୁହେଁ, ନୂଆ ବର୍ଷରେ ମନର ଭାବକୁ ପ୍ରକାଶ କରିବା ପାଇଁ ଏହି କାର୍ଡ ହିଁ ସାଜିଥିଲା ସୂତ୍ରଧର । ନୂଆବର୍ଷରେ କିଏ ଭଲ ପାଉଥିବା ନାୟିକା ପାଇଁ ଲାଲ ଗୋଲାପର କାର୍ଡ଼ ଦେଉଥିଲା ତ କିଏ ପାନପତ୍ର କାର୍ଡରେ କରୁଥିଲେ ପ୍ରେମ ନିବେଦନ । ସେଥିରେ ପୁଣି ଲେଖାଯାଉଥିଲା ଢଗ- ‘ବୁଣିଲି ସୋରିଷ, ଉଠିଲା ବିରି, ଛୋଟ ଉପହାର ଭାବି ଦେବନି ଚିରି’... ।

ସେହିପରି ‘ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ, ସାଙ୍ଗକୁ ମୋର ଅଭିନନ୍ଦନ’... । ‘ଗୋବର ଗଦାରେ ଉଠିଛି କଇଁ, ଗରିବ ସାଙ୍ଗକୁ ଭୁଲିବ ନାଇଁ’... । ନୂଆବର୍ଷରେ ଏହିଭଳି ଢଗକୁ ନେଇ ପହଞ୍ଚୁଥିଲା ଗ୍ରୀଟିଙ୍ଗସ୍ କାର୍ଡ । ହେଲେ ଆଉ ସେ ଗ୍ରୀଟିଙ୍ଗସ୍ ଯୁଗ ନାହିଁ । ସୋସିଆଲ ମିଡିଆର ମାୟା ଜାଲରେ ଗ୍ରୀଟିଙ୍ଗସ୍ କାର୍ଡ ଏକ ପ୍ରକାର ଅସ୍ତିତ୍ୱ ହରାଇଲାଣି । ପ୍ରଥମେ ମୋବାଇଲ୍ କଲ୍ ଆଉ ମେସେଜ³ ଏବେ ସୋସିଆଲ୍ ମିଡ଼ିଆର ପ୍ଲାଟଫର୍ମ ଆସିବା ପରେ ହଜିଗଲାଣି ଗ୍ରୀଟିଙ୍ଗସ୍ କାର୍ଡ । ଛକ ବଜାରରେ ଗ୍ରୀଟିଙ୍ଗସ୍ ଦୋକାନ କାଁ ଭାଁ ଦିଶୁଛି । ରାଜଧାନୀରେ ଥିବା ଅନେକ କାର୍ଡ ହାଉସ୍ରେ ବେପାର ଆଗଭଳି ନାହିଁ ।

ଆଜିର ଯୁବପିଢ଼ିଙ୍କ ପାଇଁ ଗ୍ରୀଟିଙ୍ଗସ୍ କାର୍ଡର ସେଭଳି ଗୁରୁତ୍ୱ ନାହିଁ । ମାତ୍ର ଦିନ ଥିଲା ନୂଆବର୍ଷର ପ୍ରାୟ ମାସକ ଆଗରୁ ଗ୍ରୀଟିଙ୍ଗସ ଦୋକାନ ବସୁଥିଲା । ଫିଲ୍ମ ନାୟକ, ନାୟିକାଙ୍କ ଫଟୋ ଥିବା ଗ୍ରୀଟିଙ୍ଗସ୍ କାର୍ଡରୁ ଆରମ୍ଭ କରି ଥାକ ଥାକ ହୋଇ ଖୋଲୁଥିବା ଫୁଲ ଫଟୋର ଗ୍ରୀଟିଙ୍ଗସ କାର୍ଡ ଚାହିଦା କାହିଁରେ କେତେ । କାହା ପାଇଁ କେଉଁ ଗ୍ରୀଟିଙ୍ଗସ୍ କାର୍ଡ କିଣାହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଉଥିଲା । ଏହି କାର୍ଡକୁ ପୁଣି କେତେ ଯୁବପିଢ଼ି ସାଇତି ରଖୁଥିଲେ ବହି, ଖାତା ଥାକରେ । କିନ୍ତୁ ଆଜିକାଲି କାର୍ଡ ଦେଖିବା କଷ୍ଟକର । ବିଭିନ୍ନ ଉପହାର ଓ କାର୍ଡ ସାଇତି ରଖିଥିବା ସୋନାଲି କୁହନ୍ତି, ସମୟ ସହିତ ଲୋକଙ୍କ ଚାହିଦା ବଦଳିଛି । ସାମାଜିକ ଗଣମାଧ୍ୟମରେ ଶୀଘ୍ର ଓ ଶସ୍ତାରେ ଲୋକମାନେ ଶୁଭେଚ୍ଛା ଜଣାଇପାରୁଛନ୍ତି । ସେଥିପାଇଁ ଆଜିକାର ପିଢିଙ୍କ ଭିତରେ ଏହାପ୍ରତି ଆଗ୍ରହ ନାହିଁ । ହେଲେ କେତେକ ରୁଚି ସମ୍ପନ୍ନ ଲୋକ ଏବେ ବି ନିଜର ମନପସନ୍ଦ କାର୍ଡ ନେବା ପାଇଁ ଦୋକାନକୁ ଆସିଥାନ୍ତି । ନିଜ ପ୍ରିୟ ମଣିଷ ପାଇଁ କଷ୍ଟମାଇଜ୍ କାର୍ଡର ବରାଦି ଦିଅନ୍ତି ।