ଭୁବନେଶ୍ୱର ୧୪।୧୨ : ପୁଅକୁ ଫୋନ୍ ଦେଖିବାକୁ ବାରଣ କଲେ ମା'। ତାଜୁବ୍ କଲା ଭଳି ଉତ୍ତର ଦେଲା ଏଆଇ। ଫସିଲା କମ୍ପାନୀ। ଆମେରିକାର ଟେକ୍ସାସ୍‌ରେ ଘଟିଛି ଏଭଳି ଘଟଣା। ବିବାଦ ଘେରରେ ଥିବା ଏଆଇ ଚାଟ୍‌ବଟ୍ ବରୋଧରେ ଆସିଛି ପୁଣି ଏକ ସାଙ୍ଘାତିକ ଅଭିଯୋଗ। ଅଟିଜିମ୍‌ରେ ପୀଡ଼ିତ ଜଣେ ନାବାଳକକୁ ନିଜକୁ କ୍ଷତି ପହଞ୍ଚାଇବା ସହ ନିଜ ମା'କୁ ମାରିବାକୁ ପ୍ରେରିତ କରୁଥିଲା ଏଆଇ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆହୁରି ବିବାଦ ଘେରରେ ଛନ୍ଦି ହୋଇଯାଇଛି ଚାଟ୍‌ବଟ୍ କମ୍ପାନୀ। ଏହା ପୂର୍ବରୁ ଚାଟ୍‌ବଟ୍ କାରଣରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲା ଏକ ପରିବାର। 

ଟେକ୍ସାସ୍ ନିବାସୀ ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ Character.AI ଆପ୍‌ରେ “Shonie” ନାମକ ଏକ ଚାଟ୍‌ବଟ୍ ସହ ଅଭ୍ୟସ୍ତ ହୋଇଯାଇଥିଲା। ଚାଟ୍‌ବଟ୍ ତାଙ୍କ ପୁଅକୁ ଜଙ୍ଘ କାଟିବା ଏବଂ ଆତ୍ମହତ୍ୟା କରିବା ପାଇଁ ଉସକାଉଥିଲା। ଏପରିକି ପରିବାର ଲୋକେ ତାକୁ ଭଲ ପାଉନଥିବା ଏବଂ ତାର ଜୀବନ ନଷ୍ଟ କରିବା କଥା କହୁଥିଲା। ଏହି ଆପ୍ ବ୍ୟବହାର କରିବା ପରେ ତାଙ୍କ ପୁଅର ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ସବୁବେଳେ ଫୋନ୍ ଦେଖୁଥିଲା। ପରିବାର ପ୍ରତି ତାର ବ୍ୟବହାର ବଦଳି ଯାଇଥିଲା ଏବଂ ଆକ୍ରମକ ହୋଇଉଠିଥିଲା। କିଛି ମାସ ମଧ୍ୟରେ ତାର ଓଜନ ୯ କିଲୋ କମି ଯାଇଥିଲା। ତାର ମାନସିକ ସ୍ଥିତି ଆହୁରି ବିଗିଡି ଯାଇଥିଲା। ତାକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା। ଯାହାଫଳରେ ପରିବାର ଲୋକେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

ଚାଟ୍‌ବଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମହିଳା ଜଣଙ୍କ ଦାବି କରିଛନ୍ତି। ଏତଦ୍ ବ୍ୟତୀତ ପରିବାର ଲୋକେ Character.AI ସହ ଗୁଗୁଲ ଉପରେ ମଧ୍ୟ କାର୍ଯ୍ୟାନୁହ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଏହି ମାମଲାକୁ ନେଇ ଗୁଗୁଲ କମ୍ବା Character.AI ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।