ନୂଆଦିଲ୍ଲୀ,୨୪।୬: ଶରୀର ଏବଂ ମନକୁ ବିଶ୍ରାମ ଏବଂ ସତେଜ କରିବା ପାଇଁ ଅନେକ ସ୍ପା’ ଯାଆନ୍ତି। ସ୍ପା ହେଉଛି ଏକ ସ୍ୱତନ୍ତ୍ର ସ୍ଥାନ, ଯେଉଁଠି ମସାଜ, ଥେରାପି ଏବଂ ସ୍କିନ୍ କେୟାର ମାଧ୍ୟମରେ ଥକ୍କାପଣ ଦୂର ହୁଏ। ହେଲେ କେବେ ସ୍ପା ସେଣ୍ଟର ଦେଖିଛନ୍ତି କି, ଯେଉଁଠି ହଟ୍ ଟବ୍, ସୌନା ବାଥ୍ କିମ୍ବା କୋଲ୍ଡ ପ୍ଲଞ୍ଜ ଥେରାପି ନେବା ସମୟରେ ଶରୀରର ରୋଗ ଜଣାପଡିଯିବ। ଏଆଇ ଇମେଜ୍ ତିଆରି କରୁଥିବା କମ୍ପାନୀ ‘ମିଡଜର୍ଣ୍ଣିଂ’ ଏଭଳି ନିଜର ଏକ ପ୍ରୋଟୋଟାଇପ୍ ମଡେଲ ତିଆରି କରି ଖୁବ୍ ଚର୍ଚ୍ଚାରେ ରହିଛି। କମ୍ପାନୀ ଏଭଳି ବଡି ସ୍କାନର ବିକଶିତ କରୁଛି, ଯାହାକି କେବଳ ମାତ୍ର ୬୦ ସେକେଣ୍ଡରେ ପୁରା ଶରୀରର କରିଦେବ ଯାଞ୍ଚ। ସବୁଠାରୁ ବଡ଼ କଥା ହେଲା ଏହା କୌଣସି ହସ୍ପିଟାଲରେ ନୁହେଁ ସ୍ପା ସେଣ୍ଟର ଭଳି ପରିବେଶରେ ହେବ।
ପ୍ରାୟତ ୪୦ ବର୍ଷ ହେବା ମାତ୍ରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଥାଏ। ସାଧାରଣତଃ ବ୍ଲଡ ଟେଷ୍ଟ, ଅଲଟ୍ରା ସାଉଣ୍ଡ, ଏକ୍ସରେ ଏବଂ ଦରକାର ପଡିଲେ ଅନ୍ୟ ପରୀକ୍ଷା ବି କରିବାକୁ ପଡେ। ମିଡଜର୍ନିର ଦାବି ଅନୁସାରେ, ଭବିଷ୍ୟତରେ ସ୍ପା’ରେ ହିଁ ଜଣାପଡିଯିବ ଦେହରେ କ’ଣ ରହିଛି ରୋଗ ? ପାଣି ଭର୍ତ୍ତି ଟାଙ୍କିରେ ପ୍ରାୟ ଗୋଟେ ମିନିଟ୍ ଠିଆ ହେଲେ ଶରୀରର ସବୁ ସମସ୍ୟା ଜଣାପଡିଯିବ। ଦେହରେ କେତେ ପରିମାଣର ଫ୍ୟାଟ୍ ରହିଛି, ମାଂସପେଶୀ କିମ୍ବା ଆଭ୍ୟନ୍ତରୀଣ ଅଙ୍ଗର ସ୍ଥିତି କିଭଳି ରହିଛି ତାହା ମେସିନ୍ ଦ୍ବାରା ଜଣାପଡିବ। ଏହି ଟେକ୍ନୋଲୋଜି ଅଲ୍ଟ୍ରାସାଉଣ୍ଡାର ବ୍ୟବହାର କରିବ। ଅଲଟ୍ରାସାଉଣ୍ଡ ହେଉଛି ସେହି ଟେକ୍ନୋଲୋଜି, ଯାହାର ବ୍ୟବହାର ଗର୍ଭବସ୍ଥାରେ ଗର୍ଭସ୍ଥ ସନ୍ତାନର ଫଟୋ ଓ ସ୍ଥିତି ଜାଣିବାକୁ କରାଯାଏ। କେବଳ ଫରକ୍ ଏହା ଯେ, ତାହା ଛୋଟ ଜାଗାକୁ ସ୍କାନ କରୁଥିଲା, ଏହା ପୁରା ଶରୀରକୁ ଏକା ସାଙ୍ଗରେ ସ୍କାନ୍ କରିବ।
‘ମିଡଜର୍ଣ୍ଣି’ର ପ୍ରତିଷ୍ଠାତା ଡେଭିଡ୍ ହୋଲଜ୍ କହିଛନ୍ତି ଏହାଦ୍ବାରା ରୋଗ ଗୁରୁତର ହେବା ପୂର୍ବରୁ ଲୋକେ ସତର୍କ ରହିପାରିବେ। ଲୋକଙ୍କୁ ଶରୀର ବିଷୟରେ ଅଧିକ ସୂଚନା ରହିବା । ଯଦି ଜଣେ ବ୍ୟକ୍ତି ଲିଭର ଚାରିପାଖରେ ଅଧିକ ଚର୍ବି ଜମା କିମ୍ବା ଶରୀରର କୌଣସି ଅଂଶରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖୁଛନ୍ତି, ତେବେ ସେମାନେ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ କରିପାରିବେ। ଏହି ପ୍ରୋଜେକ୍ଟର ସବୁଠାରୁ ଖାସ୍ କଥା ହେଲା ଏହାର ସ୍ପା ମଡେଲ୍। କମ୍ପାନୀ ଏପରି ସେଣ୍ଟର ଖୋଲିବାକୁ ଚାହୁଁଛି ଯେଉଁଠାରେ ଲୋକମାନେ ସ୍କାନିଂ ସମୟରେ ହଟ୍ ଟବ୍, ସୌନା ବାଥ୍ ଏବଂ କୋଲ୍ଡ ପ୍ଲଞ୍ଜ ଥେରାପି ଭଳି ସୁବିଧା ବ୍ୟବହାର କରିପାରିବେ। ଏହାର ଅର୍ଥ ହେଉଛି ଏହି ଅଭିଜ୍ଞତା ହସ୍ପିଟାଲ ଅପେକ୍ଷା ଏକ ଓ୍ବେଲନେସ୍ ସେଣ୍ଟର ଭଳି ରହିବ।
ମିଡଜର୍ନି ସାନ ଫ୍ରାନ୍ସିସ୍କୋରେ ଏପରି ଏକ କେନ୍ଦ୍ର ଖୋଲିବାକୁ ଯୋଜନା କରିଛି। ପ୍ରଥମ ସେଣ୍ଟର ୨୦୨୭ ସୁଦ୍ଧା ଖୋଲିବାକୁ ଯୋଜନା କରାଯାଇଛି। କମ୍ପାନୀ ୨୦୩୧ ସୁଦ୍ଧା ସାରା ବିଶ୍ୱରେ ୫୦ ହଜାର ଏପରି ସ୍କାନର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।ତେବେ ଡାକ୍ତରମାନେ ଏହି ଦାବିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ ମତରେ ଶରୀରରେ ଛୋଟ ଛୋଟ ପରିବର୍ତ୍ତନ ରୋଗ ନୁହେଁ। ଯଦି ସ୍କାନ ଦ୍ବାରା ଶରୀରରେ କୌଣସି ଛୋଟ ଘା କିମ୍ବା ପରିବର୍ତ୍ତନ ଥାଏ ତେବେ ଏହାର ଅର୍ଥ ନୁହେଁ ଏହା କ୍ୟାନସର ସମସ୍ୟା। ଏହାକୁ ଚିକିତ୍ସା ଜଗତରେ ଓଭର ଟେଷ୍ଟିଂ କୁହାଯାଏ। ବିଶେଷଜ୍ଞଙ୍କ ମତରେ ଅଲ୍ଟ୍ରାସାଉଣ୍ଡ MRI କିମ୍ବା CT ସ୍କାନ୍ର ସ୍ଥାନ ନେଇପାରିବନି। ତେଣୁ ବର୍ତ୍ତମାନ ଏହାକୁ ହସ୍ପିଟାଲରେ ଚାଲିଥିବା ପାରମ୍ପରିକ ଯାଞ୍ଚର ବିକଳ୍ପ ମାନି ହେବନି।