ନୂଆଦିଲ୍ଲୀ, ୧୮/୨: ଦିଲ୍ଲୀର ଭାରତ ମଣ୍ଡପମରେ ୧୬ରୁ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଏଆଇ ଇମ୍ପାକ୍ଟ ସମିଟ-୨୦୨୬’ର ପ୍ରଭାବ ଏବେ ସମଗ୍ର ଏନ୍ସିଆର୍ର ହୋଟେଲ ଭଡ଼ାରେ ଦେଖିବାକୁ ମିଳୁଛି । କେବଳ ଦିଲ୍ଲୀ ନୁହେଁ, ବରଂ ଗୁରୁଗ୍ରାମ, ନୋଏଡା ଏବଂ ଫରିଦାବାଦରେ ବିଳାସ ଏବଂ ବିଜ୍ନେସ୍ ହୋଟେଲ ଭଡ଼ା ୩ ଗୁଣା ପର୍ଯ୍ୟନ୍ତ ବଢ଼ିଯାଇଛି । ଗୁରୁଗ୍ରାମର ‘ଦ ଲିଲା ଏମ୍ବିଆନ୍ସ’ରେ ଗୋଟିଏ ରାତିର ଭଡ଼ା ୬.୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ସାଧାରଣ ଦିନଗୁଡ଼ିକରେ ଯାହା ଭଡ଼ା ରୁହେ ଉକ୍ତ ତୁଳନାରେ ଏହା ୩ ଗୁଣା ଅଧିକ । ଏହି ମେଗା କାର୍ଯ୍ୟକ୍ରମରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସହ- ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଓପନ୍ ଏଆଇର ସାମ୍ ଅଲ୍ଟମ୍ୟାନଙ୍କ ଭଳି ବଡ଼ ବଡ଼ ବ୍ୟକ୍ତି ଯୋଗ ଦେଉଛନ୍ତି । ଅଧିକ ଚାହିଦା କାରଣରୁ ଫେବ୍ରୁଆରୀ ୧୮ ପାଇଁ ହୋଟେଲଗୁଡ଼ିକ ନିଜ ନିଜର ଦରକୁ ୫୦%ରୁ ନେଇ ୩୦୦% ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି ।
ମେକମାଇଟ୍ରିପ ତଥ୍ୟ ଅନୁସାରେ, ରୁମ୍ ଭଡ଼ା ଏବେ ବଡ଼ ଆକାରରେ ବଢ଼ିଯାଇଛି । ସାଇବର ସିଟି ଗୁରୁଗ୍ରାମରେ ବର୍ଦ୍ଧିତ ଚାହିଦାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି । ‘ଦ ଲିଲା ଏମ୍ବିଆନ୍ସ’ର ପାନାରୋମିକ୍ ସୁଇଟ୍ ୧୮ ଫେବ୍ରୁଆରୀ ପାଇଁ ୬.୧୫ ଲକ୍ଷ ଟଙ୍କା(ଟିକସ ସହିତ) ରେ ମିଳୁଛି । ମାର୍ଚ୍ଚ ୯ ପାଇଁ ଏହାର ଦାମ ରହିଛି ୧.୯ ଲକ୍ଷ ଟଙ୍କା । ସେହିଭଳି ‘ଦ ୱେଷ୍ଟିନ୍ ଗୁର୍ଗାଓଁ’ରେ ରୟାଲ ସୁଇଟ୍ର ଭଡ଼ା ୨.୧୦ ଲକ୍ଷ ଟଙ୍କାରେ ପହଞ୍ଚିଛି, ଯାହା ସାଧାରଣ ଦିନଗୁଡ଼ିକରେ ୯୦ ହଜାର ଟଙ୍କା ପାଖାପାଖ ରହିଥାଏ । ‘ଲି ମେରିଡିୟନ୍’ରେ ବି କିଙ୍ଗ୍ ବେଡ୍ ରୁମ୍ର ଦାମ ୨୫,୦୦୦ ଟଙ୍କାରୁ ବଢ଼ି ୪୭,୨୦୦ ଟଙ୍କା ହୋଇଛି । କେବଳ ପଞ୍ଚତାରକା ହୋଟେଲ ନୁହେଁ, ମଧ୍ୟମ ଶ୍ରେଣୀ ବିଜ୍ନେସ୍ ହୋଟେଲଗୁଡ଼ିକରେ ବି ଭଡ଼ା ଦୁଇ ଗୁଣା ବଢ଼ିଯାଇଛି । ସେକ୍ଟର ୨୯ସ୍ଥିତ ‘ଲେମନ୍ ଟ୍ରୀ ପ୍ରିମିୟର’ରେ ଡିଲକ୍ସ ରୁମ୍ର ଭଡ଼ା ୧୩,୩୭୫ ଟଙ୍କାରୁ ବଢ଼ି ୨୬,୫୬୩ ଟଙ୍କା ହୋଇଯାଇଛି । ‘ରେଡିସନ୍ ହୋଟେଲ’ରେ ବି ରୁମ୍ ଦର ଏବେ ୧୨,୯୫୧ ଟଙ୍କାରୁ ବଢ଼ି ୨୨,୪୧୬ ଟଙ୍କା ହୋଇଛି ।
ଆହୁରି ପଢନ୍ତୁ- ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା
ବିଶେଷଜ୍ଞଙ୍କ ଅନୁସାରେ, ଦିଲ୍ଲୀରେ ହୋଟେଲ ଫୁଲ୍ ହୋଇଯାଇଥିବାରୁ ଲୋକେ ଗୁରୁଗ୍ରାମରେ ବୁକ୍ କରୁଛନ୍ତି । ଭଡ଼ାରେ ଅଧିକ ପ୍ରତିଶତ ବୃଦ୍ଧି ନୋଏଡ଼ାରେ ଦେଖିବାକୁ ମିଳିଛି । ନୋଏଡ଼ାର ‘ସାଭୟ ସୁଇଟ୍ସ’ରେ ଟ୍ୱିନ୍ ବେଡ୍ ସୁଇଟ୍ର ଭଡ଼ା ଫେବ୍ରୁଆରୀ ୧୮ ପାଇଁ ୮୯,୨୦୮ ଟଙ୍କା ରହିଛି । ଏହା ମାର୍ଚ୍ଚ ୯ ପାଇଁ ୧୩,୯୮୯ ଟଙ୍କାରେ ଉପଲବ୍ଧ । ଅର୍ଥାତ୍ ରୁମ୍ ଦର ୬ ଗୁଣାରୁ ଅଧିକ ବଢ଼ିଯାଇଛି । ସେକ୍ଟର ୬୨ର ‘ବ୍ଲୁମ୍ ହୋଟେଲ’ରେ ବି ଭଡ଼ା ୬,୦୦୦ ଟଙ୍କାରୁ ବଢ଼ି ୧୫,୦୦୦ ଟଙ୍କା ପାର୍ କରିଯାଇଛି । ସ୍ୟାଣ୍ଡେଲ୍ ସୁଇଟ୍ସରେ ବି ଦର ଦୁଇ ଗୁଣା ବୃଦ୍ଧି ପାଇଛି । ଫରିଦାବାଦରେ ବି ହୋଟେଲ ବୁକିଂ ବଢୁଛି । ‘ରେଡିସନ୍ ବ୍ଲୁ ଫରିଦାବାଦ’ରେ ସୁପିରିୟର ରୁମ୍ର ଭଡ଼ା ୧୫,୬୧୧ ଟଙ୍କାରୁ ବଢ଼ି ୨୫,୦୯୦ ଟଙ୍କା ହୋଇଯାଇଛି । ସେହିଭଳି ‘ତାଜ୍ ସୁରଜକୁଣ୍ଡ’ରେ ବି ସମାନ୍ୟ ବୃଦ୍ଧି ଦେଖିବକୁ ମିଳିଛି । ପୂର୍ବରୁ କିଛି ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଦିଲ୍ଲୀରେ କିଛି ହୋଟେଲରେ ଭଡ଼ା ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଏହା ଉପରେ ଇନ୍ଫୋସିସ୍ର ପୂର୍ବତନ ସିଏଫ୍ଓ ମୋହନ ଦାସ ପାଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ନିଜ ଏକ୍ସ ପୋଷ୍ଟରେ ଲେଖିଥିଲେ ଯେ, ୩୦ ଲକ୍ଷ ଭଡ଼ା ଭାରତର ଛବିକୁ ଖରାପ କରୁଛି । ଏଭଳି ଲାଗୁଛି ଯେ, ଆମେ ବିଦେଶୀ ଅତିଥିଙ୍କୁ ଲୁଟୁଛୁ । ହୋଟେଲ ଚେନ୍ଗୁଡ଼ିକୁ ଏକ କୋଡ୍ ଅଫ୍ କଣ୍ଡକ୍ଟ ବନାଇବା ଦରକାର ।