ନୂଆଦିଲ୍ଲୀ, ୨୧/୦୮ : ମୃତ୍ୟୁ ପରେ ଆତ୍ମୀୟଙ୍କୁ ଝୁରୁଛନ୍ତି କି ? ଆବସାଦରୁ ବାହାରି ପାରୁନାହାନ୍ତି କି ? ବାରମ୍ବାର ମନେ ପଡୁଛନ୍ତି କି ? ତାହେଲେ ଚିନ୍ତା କରନ୍ତୁନି... ଏବେ ମୃତ ବ୍ୟକ୍ତିଙ୍କ ସହିତ କଥା କରାଇଦେବ ଏଆଇ । ସିଧା ଯମପୁରକୁ ଯିବ କଲ୍। ତେବେ ଭାବୁଛନ୍ତି କି... ଏହା କେମିତି ସମ୍ଭବ ? କ’ଣ ସତରେ ମୃତ ବ୍ୟକ୍ତିଙ୍କ ସହ କଥା ହୋଇହେବ ? ଏଥିପାଇଁ କ’ଣ ତନ୍ତ୍ର କି ମନ୍ତ୍ର ସାଧନା କରିବାକୁ ପଡ଼ିବ ? ତାହେଲେ ପଢନ୍ତୁ ଏହି ଖବର ।
କେହି ଜଣେ ନିଜର ଚାଲିଗଲେ ତାଙ୍କ କଥା ଖୁବ୍ ମନେ ପଡ଼େ। ଭାବି ଭାବି କାନ୍ଦ ଲାଗେ, ଆଖିରୁ ଅଶ୍ରୁ ଗଡ଼େ । ହେଲେ ଏବେ ଆଉ ଆତ୍ମୀୟଙ୍କୁ ମିସ୍ କରିବାକୁ ପଡ଼ିବନି। କାରଣ ଟେକ୍ନୋଲୋଜି ଦୁନିଆ ଏହାର ବାଇପାସ୍ ବିକଳ୍ପ ବାହାର କରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ଟୁଲ୍ ସାହାଯ୍ୟରେ ଏବେ ମୃତ ବ୍ୟକ୍ତିଙ୍କ ସହ ଡାଇରେକ୍ଟ କଥା ହୋଇ ପାରିବେ। ଘଣ୍ଟା ଘଣ୍ଟା ଗପି ପାରିବେ। ତାଙ୍କୁ ନିଜର ମନ କଥା କହି ପାରିବେ। ବିଚାର ବିମର୍ଶ ବି କରିପାରିବେ। ଡେଲି ଷ୍ଟାର୍ ରିପୋର୍ଟ ଅନୁଯାୟୀ, କ୍ରିପି ଏଆଇ ଏହି ସୁବିଧା ଦେଉଛି। ଏହା ମୃତ ବ୍ୟକ୍ତିଙ୍କ ସହ କଥା କରାଇ ଦେଉଛି । ତେବେ ଧ୍ୟାନ ଦିଅନ୍ତୁ ସତ ସତିକା ମୃତ ବ୍ୟକ୍ତି କଥା ହୁଅନ୍ତିନି, ବରଂ ତାଙ୍କ ଭଏସ୍ର ନକଲ କରି ଏଆଇ କଥା ହୁଏ। ଅର୍ଥାତ୍ ମୃତ ବ୍ୟକ୍ତି ଜଣଙ୍କ ଡିଜିଟାଲ୍ ରୂପରେ ଜୀବିତ ହୋଇଯାଏ। ତେବେ ଏଥିପାଇଁ ଏଆଇକୁ ମୃତ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ଦେବାକୁ ପଡ଼େ।
ଏହି ଏଆଇ ଟେକ୍ନୋଲୋଜି ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ସହ କଥା ହୋଇ ତାଙ୍କ ପରିଜନଙ୍କୁ ଆଶ୍ଵସ୍ତି ମିଳୁଛି । ସେମାନେ ସବୁବେଳେ ଆଖପାଖରେ ଥିବା ଭଳି ମନେ ହେଉଛି । ହେଲେ ଏକ୍ସପର୍ଟମାନେ ଏହାର ଏକ ଭୟଙ୍କର ପରିଣାମ ବିଷୟରେ ଚେତାବନୀ ଦେଇଛନ୍ତି । ଏହାଦ୍ଵାରା ଜୀବିତ ଥିବା ବ୍ୟକ୍ତି କାଳ୍ପନିକ ଦୁନିଆର ମାୟା ଜାଲରେ ଛନ୍ଦି ହୋଇଯାଉଛି। ବାସ୍ତବ ଦୁନିଆ ଅପେକ୍ଷା କଳ୍ପନାରେ ବୁଡ଼ି ରହୁଛି। ଏହାଦ୍ଵାରା ମାନସିକ ସ୍ଵାସ୍ଥ୍ୟ ବିଗୁଡ଼ୁଛି। ଖାଲି ସେତିକି ନୁହେଁ ଏଆଇକୁ ମୃତ ବ୍ୟକ୍ତିଙ୍କ ତଥ୍ୟ ଦେବା ଦ୍ଵାରା ଏଆଇ ଏହି ଡାଟାକୁ ଷ୍ଟୋର୍ କରି ରଖୁଛି। ଯାହାକୁ ପରବର୍ତ୍ତୀ ସମୟରେ ଅପବ୍ୟବହାର ହେବାର ସମ୍ଭାବନା ରହିଛି।
ଏନେଇ କମ୍ପାନୀ ମଧ୍ୟ ପ୍ରତିକ୍ରିୟା ଦେଇଛି । କମ୍ପାନୀ କହିଛି ଯେ, କୌଣସି ପ୍ରକାରର ତଥ୍ୟକୁ ଅପବ୍ୟବହାର କରିବା କମ୍ପାନୀର ଉଦ୍ଦେଶ୍ୟ ନୁହେଁ। କମ୍ପାନୀ କେବଳ ଲୋକମାନଙ୍କୁ ସେମାନଙ୍କ ପ୍ରିୟଜନ ସହ କଥା କରାଇ ଦେଉଛି। ଇମୋସନାଲ୍ ବଣ୍ଡିଂକୁ ଷ୍ଟ୍ରଙ୍ଗ୍ କରୁଛି । ହେଲେ ବିଶେଷଜ୍ଞମାନେ ଏହାକୁ ଅନୁଚିତ୍ ବୋଲି ଦର୍ଶାଇଛନ୍ତି। ଏହା ଏକ ପ୍ରକାରର ମାନସିକ ଶୋଷଣ ବୋଲି କହିଛନ୍ତି। ଏନେଇ ମନୋବିଜ୍ଞାନୀ ମଧ୍ୟ ମତ ପ୍ରକାଶ କରିଛନ୍ତି। ଏହିଭଳି ଭାବେ ଅଧିକ ଦିନ ଯାଏଁ ଯଦି ଏଆଇ ସହ କଥାବାର୍ତ୍ତା ଜାରି ରୁହେ ତାହେଲେ ଜୀବିତ ବ୍ୟକ୍ତି ଧୀରେ ଧୀରେ କାଳ୍ପନିକ ଦୁନିଆର ମାୟାଜାଲରେ ଛନ୍ଦି ହୋଇଯିବ।