ଭୁବନେଶ୍ବର, ୧୯।୬ : ଗୋପାଳପୁର ଗଣଧର୍ଷଣ ଘଟଣାର ତଦନ୍ତ ପାଇଁ କମିଟି ଗଢିଲା ଏଆଇସିସି । କଂଗ୍ରେସ ସଭାପତି ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। କମିଟି ଓଡିଶା ଆସି ଘଟଣାର ଅନୁସନ୍ଧାନ କରିବ।  ଘଟଣାର ବିସ୍ତୁତ  ରିପୋର୍ଟ  କଂଗ୍ରେସ ସଭାପତିଙ୍କୁ ପ୍ରଦାନ କରିବ। 

ଉକ୍ତ  ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ୫ ଜଣ ସଦସ୍ୟ ରହିଛନ୍ତି। କମିଟିର ଆବାହକ ଭାବେ ଦୀପା ଦାସମୁନସି ରହିଛନ୍ତି। ଏମପି ରଣଜିତ ରଞ୍ଜନ, ଏମପି ପ୍ରଣତି ସିନ୍ଧେ, ଏମପି ଏସ ଜୋଠିମଣି ଏବଂ ଶୋଭା ଓଝା କମିଟିର ସଦସ୍ୟ  ରହିଛନ୍ତି। 

ସୂଚନାଯୋଗ୍ୟ ଯେ, ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁ ସହ  ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ୧୦ ଜଣ ଯୁବକ ଉଭୟଙ୍କୁ ଘେରି ଯାଇଥିଲେ । ପୁରୁଷ ବନ୍ଧୁ ଏବଂ ଯୁବତୀଙ୍କ ଭିଡିଓ ଉତ୍ତୋଳନ କରି ଘର ଲୋକଙ୍କୁ ପଠାଇବେ କହି ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥିଲେ ଏବଂ ଫୋନ୍‌ ପେ’  ଜରିଆରେ କିଛି ଟଙ୍କା ବି ନେଇଥିଲେ । ଏହାକୁ  ନେଇ ଯୁବକମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ସେମାନେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଥିଲେ ।  ପରେ କିଛି ଯୁବକ ପୁରୁଷ ବନ୍ଧୁଙ୍କୁ କାବୁ କରି ନେଇଥିଲେ । ଯୁବତୀଙ୍କୁ ଅନ୍ଧାର ସ୍ଥାନକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ହାତରେ ୧୦ ଜଣ ଧରାପଡିଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଥିଲେ। ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।  ୪ ଜଣ ନାବାଳଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଥିଲା।  ପରବର୍ତ୍ତି ସମୟରେ ଡିଜିପିଙ୍କ ନିର୍ଦେଶକ୍ରମେ  ସିଆଇଡି କ୍ରାଇମବ୍ରାଞ୍ଚ ଏହି ଘଟଣାର  ତଦନ୍ତ କରୁଛି।