ଭୁବନେଶ୍ୱର,୧୪/୦୭: ବାଲେଶ୍ୱର ଫକୀର ମୋହନ କଲେଜରେ  ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ  ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଛି । ଶରୀରର ୯୫% ଜଳିଯାଇଛି । ନ୍ୟାୟ ପାଇଁ  ଲଢ଼ିଥିବା ଏହି ଛାତ୍ରୀ ଏବେ ମରଣ ସହ  ଲଢୁଛନ୍ତି । ତାଙ୍କ ଶ୍ୱାସନଳୀ, କିଡ୍‌ନୀ ଓ ଫୁସଫୁସ୍‌ ଗୁରୁତର ପ୍ରଭାବିତ ହୋଇଛି ।  ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଓ  ଡାଏଲିସିସ୍‌ ସରିଛି । ଆଗାମୀ ୨୭  ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ। ଏନେଇ ଆଜି ସୂଚନା ଦେଲେ ଭୁବନେଶ୍ବର ଏମସ ଅଧୀକ୍ଷକ ଦିଲୀପ ପରିଡ଼ା।

ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏମ୍‌ସ  ଭୁବନେଶ୍ୱର ପକ୍ଷରୁ ୮ଜଣିଆ ବିଶେଷଜ୍ଞ  ଟିମ୍‌ ଗଢ଼ା ହୋଇଛି । ନିଶ୍ଚେତକ ବିଭାଗ,  ମେଡିସିନ୍‌, ଛାତିରୋଗ, ବର୍ଣ୍ଣ ଓ ପ୍ଲାଷ୍ଟିକ  ସର୍ଜରୀ, ହୃଦ୍‌ରୋଗ, ନେଫ୍ରୋଲୋଜି ଓ  ନର୍ସିଂ ବିଭାଗକୁ ନେଇ ଟିମ୍‌ ଗଢ଼ାଯାଇଛି ।  ବିଶେଷଜ୍ଞ ଟିମ୍‌ ଚିକିତ୍ସାରେ ଲାଗିଛନ୍ତି ।  ଏହି ଟିମ୍‌ ଆଜି ଦିଲ୍ଲୀ ଏମ୍‌ସ ବିଶେଷଜ୍ଞଙ୍କ  ସହ ଭର୍ଚୁଆଲ ଯୋଗେ କଥା ହେବା ସହ  ଚିକିତ୍ସା ସମ୍ପର୍କରେ ଆବଶ୍ୟକ ପରାମର୍ଶ  ନେଇଛନ୍ତି । ତାଙ୍କ ପରାମର୍ଶ ମୁତାବକ  ଚିକିତ୍ସା ଚାଲିଛି । ଛାତ୍ରୀଙ୍କ କିଡ୍‌ନୀ  ଗୁରୁତର ପ୍ରଭାବିତ ହୋଇଥିବାରୁ ରେନାଲ ରିପ୍ଲେସ୍‌ମେଣ୍ଟ ଥେରାପି ଚାଲିଛି।ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ମଧ୍ୟ ଜଟିଳ ରହିଛି। ଶରୀରରେ ଟିକେ ଟେମ୍ପରେଚର ଆସିଥିଲା। ଏଥିସହିତ ବ୍ଲଡ ପ୍ରେସର ଅଧିକ ରହିଛି ।  ତେବେ ବିଶେଷ ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ।