ଭୁବନେଶ୍ୱର,୧୪/୦୭: ବାଲେଶ୍ୱର ଫକୀର ମୋହନ କଲେଜରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଛି । ଶରୀରର ୯୫% ଜଳିଯାଇଛି । ନ୍ୟାୟ ପାଇଁ ଲଢ଼ିଥିବା ଏହି ଛାତ୍ରୀ ଏବେ ମରଣ ସହ ଲଢୁଛନ୍ତି । ତାଙ୍କ ଶ୍ୱାସନଳୀ, କିଡ୍ନୀ ଓ ଫୁସଫୁସ୍ ଗୁରୁତର ପ୍ରଭାବିତ ହୋଇଛି । ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଓ ଡାଏଲିସିସ୍ ସରିଛି । ଆଗାମୀ ୨୭ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ। ଏନେଇ ଆଜି ସୂଚନା ଦେଲେ ଭୁବନେଶ୍ବର ଏମସ ଅଧୀକ୍ଷକ ଦିଲୀପ ପରିଡ଼ା।
ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱର ପକ୍ଷରୁ ୮ଜଣିଆ ବିଶେଷଜ୍ଞ ଟିମ୍ ଗଢ଼ା ହୋଇଛି । ନିଶ୍ଚେତକ ବିଭାଗ, ମେଡିସିନ୍, ଛାତିରୋଗ, ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ, ହୃଦ୍ରୋଗ, ନେଫ୍ରୋଲୋଜି ଓ ନର୍ସିଂ ବିଭାଗକୁ ନେଇ ଟିମ୍ ଗଢ଼ାଯାଇଛି । ବିଶେଷଜ୍ଞ ଟିମ୍ ଚିକିତ୍ସାରେ ଲାଗିଛନ୍ତି । ଏହି ଟିମ୍ ଆଜି ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ସହ ଭର୍ଚୁଆଲ ଯୋଗେ କଥା ହେବା ସହ ଚିକିତ୍ସା ସମ୍ପର୍କରେ ଆବଶ୍ୟକ ପରାମର୍ଶ ନେଇଛନ୍ତି । ତାଙ୍କ ପରାମର୍ଶ ମୁତାବକ ଚିକିତ୍ସା ଚାଲିଛି । ଛାତ୍ରୀଙ୍କ କିଡ୍ନୀ ଗୁରୁତର ପ୍ରଭାବିତ ହୋଇଥିବାରୁ ରେନାଲ ରିପ୍ଲେସ୍ମେଣ୍ଟ ଥେରାପି ଚାଲିଛି।ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ମଧ୍ୟ ଜଟିଳ ରହିଛି। ଶରୀରରେ ଟିକେ ଟେମ୍ପରେଚର ଆସିଥିଲା। ଏଥିସହିତ ବ୍ଲଡ ପ୍ରେସର ଅଧିକ ରହିଛି । ତେବେ ବିଶେଷ ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ।