ଶରୀରରେ ଜୀବକୋଷର ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଜରୁରି । ଫଳରେ ଆମ ଶରୀର ପାଇଁ ଶକ୍ତି(ଏଟିପି) ତିଆରି କରେ । ଆମ ବାୟୁମଣ୍ଡଳରେ ୫ ଭାଗରୁ ୧ ଭାଗ ଅମ୍ଳଜାନ ରହିଛି । ପ୍ରଶ୍ୱାସରେ ଆମେ ଭିତରକୁ ବାୟୁ ନେଉ, ଯାହାକି ଆମକୁ ଅମ୍ଳଜାନ ଦିଏ । ମାତ୍ର ୧ ମିନିଟ୍ ବାୟୁ ଗ୍ରହଣ ନକଲେ ଅଣନିଃଶ୍ୱାସୀ ଲାଗେ, ୩ ମିନିଟ୍ ପରେ ମସ୍ତିଷ୍କ କାମ କରିବା ଗତି କମ୍ ହୁଏ, ୫ ମିନିଟ୍ ପରେ ମସ୍ତିଷ୍କର କୋଷଗୁଡିକ ନଷ୍ଟହେବା ଆରମ୍ଭ ହୁଏ, ୧୦ ମିନିଟ୍ ପରେ ମସ୍ତିଷ୍କ ପ୍ରାୟତଃ ଅଚଳ ହୋଇଯାଏ ଓ ପରେ ପରେ ଆମର ପ୍ରାଣବାୟୁ ଉଡ଼ିଯାଏ । ତେଣୁ ବାୟୁ ଆମର ଜୀବନ । ଅଧିକ ବର୍ଷ ବଞ୍ଚିବା ପାଇଁ ଶୁଦ୍ଧ ବାୟୁ ଜରୁରି । ବାୟୁ ପ୍ରଦୂଷିତ ହେଲେ ଫୁସଫୁସ୍ ରୋଗାକ୍ରାନ୍ତ ହୁଏ, ହୃଦ୍କ୍ରିୟାରେ ସମସ୍ୟା ସୃଷ୍ଟି ହୁଏ, କର୍କଟର ସମ୍ଭାବନା ରହେ, ଶ୍ୱାସନଳୀ ଖରାପ ହୁଏ ଓ କମ୍ ଦିନରେ ବାର୍ଦ୍ଧକ୍ୟ ଆସିଥାଏ । ତେଣୁ ବାୟୁ ସହିତ ଆୟୁର ସମ୍ପର୍କ ନିବିଡ଼ । ବାୟୁ ଆମର ଆୟୁକୁ ବଢ଼େଇ ପାରିବ ଓ କମେଇ ପାରିବ ।
ବାୟୁମଣ୍ଡଳରେ ୭୮ ପ୍ରତିଶତ ଯବକ୍ଷାରଜାନ ଓ ୨୧ ପ୍ରତିଶତ ଅମ୍ଳଜାନ ରହିଛି । ତା' ସହିତ ଆର୍ଗନ୍, ଅଙ୍ଗାରକାମ୍ଳ, ନିୟନ୍, ହିଲିୟମ୍, କ୍ରୀପ୍ଟନ୍, ଜେନନ୍, ଓଜୋନ୍, ଉଦଜାନ ଇତ୍ୟାଦି ବାଷ୍ପ ଅଳ୍ପ ଅଳ୍ପ ରହିଛି । ବାଷ୍ପର ପରିମାଣରେ ହ୍ରାସବୃଦ୍ଧି ଘଟିଲେ ଆମ ପରିବେଶ ଉପରେ କୁପ୍ରଭାବ ପଡୁଛି । ବାୟୁମଣ୍ଡଳରେ କ୍ଷତିକାରକ ବାହ୍ୟ ବାଷ୍ପ ଓ କଣିକାର ଉପସ୍ଥିତି ବାୟୁକୁ ପ୍ରଦୂଷିତ କରୁଛି । ଏଇ କିଛି ବର୍ଷ ହେଲା ବାୟୁ ପ୍ରଦୂଷଣର କୁପ୍ରଭାବ ସ୍ୱରୂପ ଶ୍ୱାସ, ଚର୍ମ ରୋଗ, ଚକ୍ଷୁ ରୋଗ, ଫୁସଫୁସ୍ କର୍କଟ, ରକ୍ତହୀନତା, ମୁଣ୍ଡବିନ୍ଧା, କିଡ୍ନୀ ସମସ୍ୟା, ରକ୍ତଚାପ ବୃଦ୍ଧି, ଗଛଲତାର ପତ୍ର ହଳଦିଆ ପଡ଼ିବା, ଫୁଲପତ୍ରରେ ଦାଗ ହେବା, ଓଜନ ହ୍ରାସ, ଝାଡ଼ା, ଭୋକ ନହେବା, ପଙ୍ଗୁ ହେବା, ଅମ୍ଳବୃଷ୍ଟି, ଜାଗତିକ ଉଷ୍ମତା ବୃଦ୍ଧି ଓ ଓଜୋନରନ୍ଧ୍ର ସୃଷ୍ଟି ଭଳି ପରିଘଟଣାମାନ ଅଧିକ ପରିଲକ୍ଷିତ ହେଉଛି । ତେଣୁ ଏବେ ପ୍ରଦୂଷଣର ମାତ୍ରା ଅଧିକ ବଢିଯାଇଛି । ବାୟୁମଣ୍ଡଳରେ ଏସବୁ ପରିବର୍ତ୍ତନ ସକାଶେ ଆମର ଆୟୁଷ କମି କମି ଯାଉଛି । ଏଥିପାଇଁ ମଣିଷର ଅବିବେକୀ କାର୍ଯ୍ୟକଳାପକୁ ବିଶେଷ ଭାବରେ ଦାୟୀ କରାଯାଉଛି ।
୧୮୦୧ ମସିହାରେ ପୃଥିବୀର ଜନସଂଖ୍ୟା ଥିଲା ୧୦୦ କୋଟି । ୧୯୦୧ ମସିହା ବେଳକୁ ହେଲା ୨୦୦ କୋଟି । ୧୯୬୦ ମସିହାରେ ୩୦୦ କୋଟି, ୧୯୭୫ ମସିହାରେ ୪୦୦ କୋଟି, ୧୯୮୭ ମସିହାରେ ୫୦୦ କୋଟି ଏବଂ ଆଜି ୨୦୨୫ ମସିହାରେ ପୃଥିବୀର ଜନସଂଖ୍ୟା ୮୦୦ କୋଟିରୁ ଅଧିକ । ଅର୍ଥାତ୍, ୨୨୫ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟା ୭ ଗୁଣ ବୃଦ୍ଧିପାଇଛି । ତା' ସହିତ ଅବିଶ୍ୱସନୀୟ ଭାବରେ କଳକାରଖାନା ଓ ଗାଡ଼ିମୋଟର ସଂଖ୍ୟା ବଢ଼ିଛି, ଯାହାକି ବାୟୁପ୍ରଦୂଷଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଯାନବାହନ ଓ କଳକାରଖାନାରୁ ନିର୍ଗତ ଧୂଆଁରେ ଅଙ୍ଗାରକାମ୍ଳ ବାଷ୍ପ, କାର୍ବୋନ୍ ମନୋକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ସଲ୍ଫର୍ ଡାଇଅକ୍ସାଇଡ୍, ହାଇଡ୍ରୋକାର୍ବୋନ୍, ସୀସା, ହାଉଡ୍ରୋଜେନ୍ ଫ୍ଲୋରାଇଡ୍, ମାରାତ୍ମକ ବିକିରଣ, ଆମୋନିଆ, ଗନ୍ଧକାମ୍ଳ, ମିଥେନ୍, ସିଏଫ୍ସି, ସଲ୍ଫର୍ ଡାଇଅକ୍ସାଇଡ୍, ପାଉଁଶ ଓ ଅନ୍ୟାନ୍ୟ ପ୍ରଦୂଷକ ରହୁଛି । ଏହା ଆମ ଶରୀର ଭିତରକୁ ଯାଉଛି । ବାୟୁରେ ଅମ୍ଳଜାନ କମ୍ ରହିଲେ ଆମେ ଅଳ୍ପ ଦିନ ବଞ୍ଚିବା । ବାୟୁରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢିଲେ ଆମ ରକ୍ତରେ ପି.ଏଚ୍. ମୂଲ୍ୟ କମିଯାଏ ଓ ରକ୍ତର ଅମ୍ଳତା ବଢ଼ିଯାଏ ।
କାର୍ବନ୍ ମୋନୋକ୍ସାଇଡ୍ ରକ୍ତର ହିମୋଗ୍ଲୋବିନ୍ ସହିତ ମିଶି ଅମ୍ଳଜାନ ଗ୍ରହଣରେ ବାଧା ସୃଷ୍ଟି କରେ । ଗାଡ଼ିମଟର ଓ ପ୍ରାକୃତିକ ଗ୍ୟାସ ଦହନ ପ୍ରକ୍ରିୟାରୁ ଏହି ବାଷ୍ପ ଆସିଥାଏ। ପେଟ୍ରୋଲ୍, କୋଇଲା ଓ ପ୍ରାକୃତିକ ଗ୍ୟାସ୍ ଜଳିଲେ ସେଥିରେ ରହିଥିବା ସଲ୍ଫର୍ ଓ ନାଇଟ୍ରୋଜେନ୍ ଇତ୍ୟାଦି ଅମ୍ଳଜାନ ସହିତ ମିଶି ଅକ୍ସାଇଡ୍ ସୃଷ୍ଟି କରନ୍ତି । ଇନ୍ଧନ ଜଳିଲେ ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ନିର୍ଗତ ହୁଏ । ତୈଳ ବିଶୋଧନ ଏବଂ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ମଧ୍ୟ ପ୍ରଚୁର ପରିମାଣର ସଲ୍ଫର୍ ଡାଇଅକ୍ସାଇଡ୍ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶିଥାଏ । ମୋଟର ଗାଡ଼ି ବି ନାଇଟ୍ରୋଜେନ୍ ଅକ୍ସାଇଡ୍ ବୃଦ୍ଧିକରେ । ପରେ ପରେ ସେଥିରୁ ଅମ୍ଳବୃଷ୍ଟି ସୃଷ୍ଟି ହୁଏ । ତୈଳ ବିଶୋଧନ ଏବଂ ଜୀବାଶ୍ମ ଜାଳେଣିର ଅର୍ଦ୍ଧଦହନ ଫଳରେ ହାଇଡ୍ରୋକାର୍ବନ୍ ସୃଷ୍ଟିହୁଏ । ହାଇଡ୍ରୋକାର୍ବନ୍ ସହିତ ଓଜୋନ ଗ୍ୟାସ ମିଶି ଯେଉଁ ବିଷାକ୍ତ ଗ୍ୟାସ୍ ସୃଷ୍ଟିହୁଏ, ତାହା ଆଖିରେ ଜଳାପୋଡ଼ା କରେ ଓ ଶ୍ୱାସନଳୀକୁ ନଷ୍ଟକରେ । ଗାଡ଼ିଧୂଆଁରେ ଥିବା ସୀସା ବାୟୁମଣ୍ଡଳକୁ ବିଶେଷ ଭାବରେ ପ୍ରଦୂଷିତ କରେ । ବିଷାକ୍ତ ବାୟୁମଣ୍ଡଳରେ ରହୁଥିବା ମଣିଷ ଶ୍ୱାସରୁଦ୍ଧ ଅନୁଭବ କରୁଛି । ବ୍ରଙ୍କାଇଟିସ୍ ଏବଂ ହୃଦରୋଗର ଶିକାର ହେଉଛି । ଜମିରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ବାୟୁରେ ନାଇଟ୍ରୋଜେନର ବିଭିନ୍ନ ଅକ୍ସାଇଡ୍ ମିଶି ଓଜୋନ ସ୍ତରକୁ ବିନାଶ କରୁଛି । ଶୁଦ୍ଧ ବାୟୁରେ ଦଶ ଲକ୍ଷ ବାୟୁକଣିକାରେ ୨୮୦ଟି ଅଙ୍ଗାରକାମ୍ଳ କଣିକା ରହିବା କଥା । କିନ୍ତୁ, ଏହାର ପରିମାଣ ୨୦୨୫ ଅଗଷ୍ଟ ମାସରେ ୪୨୬ ରହିଛି ।
ସୁସ୍ଥ ମାନସିକତା ନେଇ ବିଚାର କଲେ ଆମେ ଜାଣିପାରିବା ଯେ ଆମର ଉନ୍ନତି ଆମକୁ ମରଣ ମୁହଁକୁ ଯିବା ପାଇଁ ଉତ୍ସାହିତ କରୁଛି । ବାୟୁ ସହିତ ବିବେକହୀନ ଖେଳ ଆମର ଆୟୁଷ ହ୍ରାସ କରୁଛି । ଆଧୁନିକତା ନାମରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଆମେ ଅଧାଜ୍ଞାନୀ ବୋଲି କାରଖାନା ବସେଇଲା ବେଳେ ଓ ଗାଡ଼ି ତିଆରି କଲାବେଳେ ନିଜର ଆୟୁଷ କଥା ଚିନ୍ତା କରିନାହୁଁ । ବାୟୁ ସହିତ ଖେଳ ଆଜି ଆମର ଆୟୁଷ ପାଇଁ କାଳ ହେଲା । ଜାଗତିକ ଉଷ୍ଣତା ବୃଦ୍ଧି ସାଙ୍ଗକୁ ଅନିୟମିତ ଜଳବାୟୁ ଆମ ପାଇଁ ବାଧକ ସାଜିଲା । ଅନେକ ପ୍ରଜାତି ଲୋପ ପାଇଗଲେ । ନୂଆ ନୂଆ ରୋଗ ଦେଖାଦେଲା । ଆମେ ତ ଯେମିତି ହେଉ ଚଳିଯିବା । ଅସଲ କଷ୍ଟ ପାଇବେ ଆମ ପିଲାଛୁଆ । ନାକରେ ଅମ୍ଳଜାନ ନଳୀ, ପିଠିରେ ଅମ୍ଳଜାନ ଥଳି ଓ ଅଣ୍ଟାରେ ଏ.ସି. ଝୁଲେଇ ରାସ୍ତାରେ ବୁଲିବେ । ସ୍ୱର୍ଗରେ ଥାଇ ଆମେ ଦେଖିବା ବାୟୁ ସହିତ ଆମର ଖେଳ ତାଙ୍କ ପାଇଁ କେମିତି କାଳ ହୋଇଛି ।