ଭୁବନେଶ୍ବର,୧୪/୧୨ : ଆଖି ପୋଡ଼ୁଛି, ଖେଞ୍ଚି ହେଉଛି । ନାକ ରୁନ୍ଧି ହୋଇଗଲା ଭଳି ଲାଗୁଛି । ଘନଘନ କାଶରେ ବିଗିଡ଼ିଗଲାଣି ଶରୀର। ପ୍ରତିଦିନ ଏମିତି ସ୍ୱାସ୍ଥ୍ୟ ସମସ୍ୟା ନେଇ ଭୁବନେଶ୍ୱର, ତାଳଚେର, ଅନୁଗୁଳ, କଟକ ସମେତ ବିଭିନ୍ନ ସହରର ହସ୍ପିଟାଲରେ ରୋଗୀଙ୍କ ଭିଡ଼ । ସମ୍ ହସ୍ପିଟାଲର ଛାତି ରୋଗ ବିଶେଷଜ୍ଞ ଡ. ବନାନୀ ଜେନାଙ୍କ କହିବାନୁସାରେ ରାଜ୍ୟରେ ଫୁସଫୁସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ୧୦ ବର୍ଷ ପୂର୍ବର ସ୍ଥିତି ଓ ଆଜିର ସ୍ଥିତି ଭିତରେ ବିରାଟ ଫରକ ଆସିଛନ୍ତି । ପୂର୍ବାପେକ୍ଷା ପ୍ରାୟ ୩ ଗୁଣା ବଢ଼ି ଚାଲିଛି ଏଭଳି ରୋଗୀଙ୍କ ସମସ୍ୟା । ବାୟୁମଣ୍ଡଳରେ ଯେଉଁଭଳି ହାରରେ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି, ତାହା ମଣିଷର ସ୍ୱାସ୍ଥ୍ୟ ବିଗାଡ଼ୁଛି । ତଣ୍ଟି, ନାକ, ଆଖିରେ ସମସ୍ୟା ଉପୁଜିଛି । ଆଲର୍ଜି ମଧ୍ୟ ବଢ଼ୁଛି । ନିଃଶ୍ୱାସ, ପ୍ରଶ୍ୱାସରେ ବହୁ ସମସ୍ୟା ଦେଖିବାକୁ ମିଳୁଛି । ଚିନ୍ତାର ବିଷୟ ହେଲା, ସବୁ ବର୍ଗ ଏଥିରେ ପ୍ରଭାବିତ ।
ବୟସ୍କ, ମହିଳାଙ୍କ ସହ ଶିଶୁ ଓ ଯୁବବର୍ଗ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି । ଏବେ ପ୍ରକାଶିତ ଏକ ଆନ୍ତର୍ଜାତିକ ଗବେଷଣା ସଂସ୍ଥାର ରିପୋର୍ଟ କହୁଛି, ବାୟୁ ପ୍ରଦୂଷଣ ଯୋଗୁ ହିଁ ଭାରତରେ ବର୍ଷକୁ ଅନ୍ୟୁନ ୧୫ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ବାୟୁ ପ୍ରଦୂଷଣ ପାଇଁ ସେମାନେ ବିଭିନ୍ନ ରୋଗାକ୍ରାନ୍ତ ହେବା ସହ ସ୍ୱାସ୍ଥ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ବାୟୁମଣ୍ଡଳରେ ଘୂରି ବୁଲୁଥିବା ଅତି ସୂକ୍ଷ୍ମ ଧୂଳିକଣା (ପିଏମ୍ ୨.୫) ଶ୍ୱାସ ରୋଗ, ଫୁସଫୁସ କ୍ୟାନସର ସହ ଫୁସ୍ଫୁସ୍ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି । ଯାନବାହନରୁ ନିର୍ଗତ ଧୂଆଁ, ନିର୍ମାଣଜନିତ କାର୍ଯ୍ୟ ଓ ଶିଳ୍ପରୁ ନିର୍ଗତ ଧୂଆଁ ଯୋଗୁ ଏଭଳି ପ୍ରଦୂଷଣ ବଢ଼ୁଛି । ଲଗାତାର ଭାବେ ରାଜ୍ୟର ପ୍ରମୁଖ ସହର ଓ ଶିଳ୍ପାଞ୍ଚଳ ଦେଶର ପ୍ରଦୂଷିତ ସହର ତାଲିକାରେ ରହି ଆସୁଛି । ଭୁବନେଶ୍ୱର, ତାଳଚେର, ଅନୁଗୁଳ, ବ୍ୟାସନଗର ଓ କଟକ ଭଳି ସହରରେ ବିଗିଡ଼ିଲାଣି ବାୟୁର ମାନ। ୧୩ ଡିସେମ୍ବର ଅପରାହ୍ନ ୪ଟାବେଳର ତଥ୍ୟ ଅନୁସାରେ ଦେଶର ୨୯ଟି ସହରରେ ବାୟୁର ମାନ ନିମ୍ନସ୍ତରରେ ରହିଛି । ଏହି ତାଲିକାରେ ଓଡ଼ିଶାର ୪ଟି ସହର ଥିବାବେଳେ ତାଳଚେର ତୃତୀୟ ସ୍ଥାନରେ ରହିଛି । ଆଜି ଦିଲ୍ଲୀଠାରୁ ବି ତାଳଚେର ପ୍ରଦୂଷଣରେ ଉପରେ ଥିଲା । ଭୁବନେଶ୍ୱର ବି ଦିଲ୍ଲୀ ପାଖାପାଖି ଥିଲା ।
ବିହାରର ହାଜିପୁରରେ ଶୁକ୍ରବାର ଏୟାର କ୍ୱାଲିଟି ଇନଡେକ୍ସ (ଏକ୍ୟୁଆଇ) ୨୯୯ ଥିଲା । ହାୱାଡ଼ାରେ ଏକ୍ୟୁଆଇ ୨୯୪ ଥିବାବେଳେ ତାଳଚେର ଥିଲା ୨୯୩ । ଭୁବନେଶ୍ୱରରେ ହାରାହାରି ଏକ୍ୟୁଆଇ ୨୪୧, କଟକ ୨୨୪, ଅନୁଗୁଳ ୨୨୨, ବାଲେଶ୍ୱର ୧୮୦, ବ୍ୟାସନଗର ୧୬୦ । ବିଶେଷଜ୍ଞଙ୍କ କହିବାନୁସାରେ ଏକ୍ୟୁଆଇ ୧୦୦ ଟପିଲେ ଶ୍ୱାସ, ଫୁସଫୁସ ଓ ହୃଦ୍ରୋଗୀଙ୍କ ପାଇଁ ସମସ୍ୟା ବଢ଼ିଥାଏ । ବିଶେଷଜ୍ଞଙ୍କ କହିବାନୁସାରେ ଯଦି ୧ କ୍ୟୁବିକ ମିଟର ସ୍ଥାନରେ ୧୦ ମାଇକ୍ରୋଗ୍ରାମ ଅତି ଛୋଟ ଧୂଳିକଣା (ପିଏମ ୨.୫ ମାଇକ୍ରନ) ଥାଏ, ତାହା ମୃତ୍ୟୁ ହାରକୁ ୮.୬% ବୃଦ୍ଧି କରେ । ରାଜ୍ୟରେ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ଯାନବାହନର ବହୁଳ ବ୍ୟବହାର । ୨୦୨୩- ୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ଯାନବାହନ କିଣାରେ ୧୯.୩୨% ବୃଦ୍ଧି ପାଇଛି । ଓଡ଼ିଶା ବଜାରରେ ୨୦୨୩- ୨୪ରେ ୭ ଲକ୍ଷ ୭୬ ହଜାର ଯାନବାହନ ବିକ୍ରି ହୋଇଛି, ପୂର୍ବ ବର୍ଷ ଏହି ସଂଖ୍ୟା ଥିଲା ୬.୫୧ ଲକ୍ଷ । ଇ-ଯାନରେ ଏବେ ବି ବହୁ ପଛରେ ରହିଛି ଓଡ଼ିଶା । ତେଣୁ ରାଜ୍ୟରେ ପ୍ରଦୂଷଣ ସ୍ତର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । ପରିବେଶ ବିଜ୍ଞାନୀ ଡକ୍ଟର ବିଜୟ ମିଶ୍ର କହିଛନ୍ତି, ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଯେଉଁଭଳି ନିୟମ ରହିଛି, ସହରାଞ୍ଚଳରେ ପ୍ରଦୂଷଣ ରୋକିବାକୁ ସେଭଳି କଡ଼ାକଡ଼ି ନିୟମ ଲାଗୁ ହେବା ଦରକାର । ନଚେତ୍ ପ୍ରଦୂଷଣ ସ୍ତର ଆହୁରି ବିଗିଡ଼ିବ । ଏହାର ପରିଣାମ ସାରା ଜୀବଜଗତ ଭୋଗିବ ।